Home Election ରାଜ୍ୟସଭା ପାଇଁ ୪୦ ଆଶାୟୀ

ରାଜ୍ୟସଭା ପାଇଁ ୪୦ ଆଶାୟୀ

ଭୁବନେଶ୍ୱର : ଓଡିଶାର ୪ଟି ରାଜ୍ୟସଭା ଆସନପାଇଁ ନିର୍ବାଚନ ହେବାକୁ ଯାଉଥିବାବେଳେ ଏଥିପାଇଁ ଆଶାୟୀଙ୍କ ସଂଖ୍ୟା ୪୦ ଛୁଇଁଲାଣି । କେବଳ ବିଜେଡି ନୁହେଁ ବିଜେପି ଶିବିରରେ ବି ଏଥିଘେନି ତତ୍ପରତା ଲକ୍ଷ୍ୟ କରାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ନିକଟରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଡକ୍ଟର ସସ୍ମିତ ପାତ୍ର ଓ ଏନ୍‍.ଭାଷ୍କର ରାଓଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରିବାକୁ ଯାଉଛି । ଏହି ତିନିଟି ସ୍ଥାନରେ ଯେଉଁମାନେ ନିର୍ବାଚିତ ହେବେ ସେମାନଙ୍କ କାର୍ଯ୍ୟକାଳ ଛଅବର୍ଷ ରହିବ । ଏହାଛଡା ଦୁଇବର୍ଷ ଧରି ରାଜ୍ୟସଭାର ସଦସ୍ୟ ଥିବା ବିଜେଡି ନେତା ସୁବାସ ସିଂହ ନିକଟରେ କଟକର ମେୟର ଭାବେ ନିର୍ବାଚିତ ହେବାପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ଯିଏ ରାଜ୍ୟସଭାକୁ ଯିବେ ତାଙ୍କର କାର୍ଯ୍ୟକାଳ ପ୍ରାୟ ୨ବର୍ଷ ରହିବ ।

ଶ୍ରୀ ଆଚାର୍ଯ୍ୟ ପଶ୍ଚିମଓଡିଶାର ଜଣେ ଟାଣୁଆ ନେତା ହୋଇଥିବାବେଳେ ଶ୍ରୀ ରାଓ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜଣେ ଭଲ ସଂଗଠକ । ଡକ୍ଟର ପାତ୍ର ଓ ଶ୍ରୀ ସିଂହ ଅବିଭକ୍ତ କଟକ ଜିଲ୍ଲାର । ଏହି ସମୀକରଣକୁ ଆଖିଆଗରେ ରଖି ୪ଟି ଯାକ ଆସନପାଇଁ ବିଜେଡି ପଶ୍ଚିମ, ଦକ୍ଷିଣ ଓ କେନ୍ଦ୍ରାଞ୍ଚଳରୁ ପ୍ରାୟ ଚୟନ କରିପାରେ ଏବଂ ସେତେବେଳେ ମହିଳାମାନଙ୍କୁ ମଧ୍ୟ ଅଗ୍ରାଧିକାର ଦିଆଯାଇପାରେ । ଏହାଛଡା ଯେଉଁମାନଙ୍କର କାର୍ଯ୍ୟକାଳ ଶେଷ ହେଉଛି ସେମାନଙ୍କ ଭିତରୁ ଜଣେ ଦୁଇଜଣ ବି ପୁନଃ ମନୋନିତ ହୋଇପାରନ୍ତି । କେବଳ ଦଳୀୟ ନେତାଙ୍କୁ ନୁହେଁ, ଦଳ ବାହାରୁ ବି ବିଜେଡି ରାଜ୍ୟସଭା ପାଇଁ ପ୍ରାର୍ଥୀଦେବା ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ ।

ଅତୀତରେ ଏ.ଭି.ସ୍ୱାମୀଙ୍କ ଠାରୁ ଆରମ୍ଭକରି ଅମର ପଟ୍ଟନାୟକ ଏମିତିକି ବିଜେପିର ପ୍ରାର୍ଥୀ ହୋଇଥିବା ପୂର୍ବତନ ଆଇଏଏସ୍‍ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ରାଜ୍ୟସଭାକୁ ପଠାଇବାରେ ବିଜେଡିର ପ୍ରମୁଖ ଭୂମିକା ଥିଲା । ତେଣୁ କିଛି ଅବସରପ୍ରାପ୍ତ ଅମଲାତନ୍ତ୍ରୀ, ସାମାଜିକକର୍ମୀ, ଗଣମାଧ୍ୟମ ସହ ଜଡିତ ବ୍ୟକ୍ତିତ୍ୱ ଏବଂ ସାହିତ୍ୟିକ ବି ରାଜ୍ୟସଭା ଆସନ ପାଇବାପାଇଁ ବିଭିନ୍ନ ସ୍ତରରେ ଲବି କରୁଛନ୍ତି ।

ଅଶ୍ୱିନୀ ବୈଷ୍ଣବ ବିଜେପି ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜେଡି ତାଙ୍କୁ ସମର୍ଥନ ଦେବାରୁ ଏବେ ରାଜ୍ୟସଭାରେ ଓଡିଶାର ବିଜେପିର ଜଣେ ମାତ୍ର ସାଂସଦ ଅଛନ୍ତି । ଏ ପରିପ୍ରେକ୍ଷୀରେ ଏଥର ୪ଟି ଆସନ ମଧ୍ୟରୁ ବିଜେପି ବି ଗୋଟିଏ ଯେ ନହାତେଇବ ସେ ସମ୍ଭାବନାକୁ ରାଜନୈତିକ ବିଶ୍ଳେଷକମାନେ ଏଡାଇ ଦେଇ ପାରୁନାହାନ୍ତି । ବିଶେଷକରି ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ମୁଣ୍ଡଉପରେ ଥିବା ପରିପ୍ରେକ୍ଷୀରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କ୍ଷେତ୍ରରେ କିଛି ବି ବିସ୍ମୟକର ଘଟଣା ଘଟିପାରେ ।

ରାଜ୍ୟସଭା ସୃଷ୍ଟି ହେବା ପରଠାରୁ ପ୍ରଥମଥର ପାଇଁ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ରଙ୍କୁ ରାଷ୍ଟ୍ରପତିଙ୍କ ମନୋନିତ ସଦସ୍ୟଭାବେ ଓଡିଶାରୁ ପଠାଯାଇଥିଲା । ତେବେ ରଘୁନାଥ ମହାପାତ୍ରଙ୍କ ଅକାଳ ମୃତ୍ୟୁପରେ ଖାଲି ପଡିଥିବା ଆସନରୁ ବିଜେପି ଓଡିଶାରୁ ଆଉ କାହାକୁ ନପଠାଇ ଅନ୍ୟ ରାଜ୍ୟର ବ୍ୟକ୍ତିଙ୍କ ଦ୍ୱାରା ଏହା ପୂରଣ କରିଛି । ଏବେ ଅନ୍ୟୁନ ୫ଜଣ ମନୋନିତ ସଦସ୍ୟଙ୍କ କାର୍ଯ୍ୟକାଳ ପୁରୁଥିବା ପରିପ୍ରେକ୍ଷୀରେ ସେଥିରୁ ଗୋଟିଏ ଓଡିଶା ଭାଗରେ ପଡିପାରେ ବୋଲି କିଛି ବିଜେପି ନେତା ଆଶା କରୁଛନ୍ତି ।

ତେବେ ଯଦି କେନ୍ଦ୍ର ନେତୃତ୍ୱ ରାଜ୍ୟସଭା ପାଇଁ ଓଡିଶାରୁ କାହାକୁ ରାଷ୍ଟ୍ରପତିଙ୍କ ମନୋନିତ ସଦସ୍ୟ ହେବାର ସୁଯୋଗ ପ୍ରଦାନ କରନ୍ତି ତେବେ ରାଜନୈତିକ ଥଇଥାନ ବଦଳରେ ଅନ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା କାହାକୁ ବି ସୁଯୋଗ ମିଳିପାରେ । ଏକଥା ରାଜନୈତିକ ଖଟିରେ ଆଲୋଚିତ ହେଉଥିବା ପରିପ୍ରେକ୍ଷୀରେ ବିଜେପି ଉପରେ ମଧ୍ୟ ଆଶାୟୀଙ୍କ ଚାପ ବଢିବାରେ ଲାଗିଛି । (ତଥ୍ୟ)