Home News in Odia ରାଜ୍ୟସଭା ନିର୍ବାଚନରେ ବିଜେପିର ପଛଘୁଞ୍ଚାକୁ ନେଇ ଚର୍ଚ୍ଚା

ରାଜ୍ୟସଭା ନିର୍ବାଚନରେ ବିଜେପିର ପଛଘୁଞ୍ଚାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ସଦ୍ୟ ସମାପ୍ତ ରାଜ୍ୟସଭା ନିର୍ବାଚନରେ ଓଡିଶାରେ ବିଜୁ ଜନତା ଦଳର ପ୍ରାର୍ଥୀମାନେ ୪ଟି ଯାକ ଆସନରୁ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାବେଳେ ବିରୋଧିଦଳ ପକ୍ଷରୁ କୌଣସି ପ୍ରାର୍ଥୀ ଦିଆନଯିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ।

ସଂଖ୍ୟାର ଗଣିତ ଦୃଷ୍ଟିରୁ ଏହି ୪ଟି ଯାକ ଆସନ ସହଜରେ ବିଜେଡି ଖାତାକୁ ଯାଇଥାନ୍ତା । ବିଧାନସଭାରେ ଏବେ ମୁଖ୍ୟ ବିରୋଧିଦଳ ବିଜେପିର ୨୨ଜଣ ବିଧାୟକ ଥିବାବେଳେ ୨୦୨୪ରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି କରୁଥିବା କଂଗ୍ରେସର ୯ଜଣ ସଦସ୍ୟ ରହିଛନ୍ତି । ରାଜ୍ୟସଭା ପାଇଁ ମନୋନୟନପତ୍ରରେ ଅନ୍ୟୁନ ୧୦ଜଣ ବିଧାୟକ ପ୍ରସ୍ତାବକ ରହିବାକଥା ।

କଂଗ୍ରେସ ହାତରେ ଏହି ସଂଖ୍ୟା ନଥିଲେ ବି ବିଜେପି ହାତରେ କିନ୍ତୁ ସଂଖ୍ୟା ରହିଛି । ଏହାଛଡା ବିରୋଧିଦଳଙ୍କୁ ସମର୍ଥନ କରୁଥିବା ସିପିଏମ୍‍ ଓ ସ୍ୱାଧୀନ ବିଧାୟକ ମଧ୍ୟ ଅଛନ୍ତି । ଏହା ସତ୍ୱେ ବି ଲଢେଇ ମଇଦାନକୁ ନଆସି ବିରୋଧିଦଳମାନେ ବିଜେଡିକୁ ବିନା ପ୍ରତିଦ୍ୱନ୍ଦିତାରେ ୪ଟି ଯାକ ଆସନ ଛାଡି ଦେଇଛନ୍ତି ।

ଦୁଇ ବର୍ଷ ତଳେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପିର ଜିଣିବା ଭଳି ସଂଖ୍ୟା ନଥିଲେ ମଧ୍ୟ ଦଳ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରି ବିଜେଡି ସହାୟତାରେ ରାଜ୍ୟସଭା ଆସନଟି ହାସଲ କରିଥିଲା । ଏବେ ରାଜ୍ୟସଭାରେ ଓଡିଶାରୁ କଂଗ୍ରେସର କେହି ସଦ୍ୟ ନଥିବାବେଳେ ବିଜେପିର ଏକମାତ୍ର ଅଶ୍ୱିନୀ ବୈଷ୍ଣବ ରହିଛନ୍ତି ଏବଂ ସେ କେନ୍ଦ୍ର ରେଳମନ୍ତ୍ରୀ, ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ବିଭାଗର ମନ୍ତ୍ରୀଭାବେ କାର୍ଯ୍ୟ କରୁଛନ୍ତି ।

ଅତୀତରେ କଂଗ୍ରେସ ସରକାର ସମୟରେ ପର୍ଯ୍ୟାପ୍ତ ସଂଖ୍ୟା ନଥିଲେ ମଧ୍ୟ ବହୁ ବାର ବିରୋଧିଦଳ ପ୍ରାର୍ଥୀ ଦେଇଛନ୍ତି । ଏମିତିକି ୨୦୦୨ ମସିହାରେ ସ୍ୱଧୀନ ପ୍ରାର୍ଥୀଭାବେ ଦିଲ୍ଲୀପ ରାୟ ମନୋନୟନପତ୍ର ଦାଖଲ କରି ବିଜେଡି, କଂଗ୍ରେସ, ବିଜେପି ଓ ଝାଡଖଣ୍ଡ ବିଧାୟକମାନଙ୍କ ସମର୍ଥନରେ ଜିଣିଥିଲେ । ଆଉ କେତେ ଥର ରାଜ୍ୟସଭା ନିର୍ବାଚନରେ ସଂଖ୍ୟାନ୍ୟୁନ ବିରୋଧିଦଳ ପ୍ରାର୍ଥୀ ଦେଇ ସରକାରୀଦଳର କ୍ରସ ଭୋଟିଂ ନେଇ ସ୍ଥିତିରୁ ମଧ୍ୟ ଫାଇଦା ଉଠାଇଥିଲେ । ମୋଟାମୋଟି ଭାବେ ସରକାରୀଦଳ ବିରୁଦ୍ଧରେ ଏକଜୁଟ ହେବୋର ସୁଯୋଗ ରାଜ୍ୟସଭାର ଏଭଳି ନିର୍ବାଚନ ଜୁଟାଇଥାଏ ।

ଏ ଭି ସ୍ୱାମୀଙ୍କ ଭଳି ଅଣରାଜୈନତିକ ବ୍ୟକ୍ତିଙ୍କୁ ଅତୀତରେ ଉଭୟ ସରକାରୀ ଓ ବିରୋଧିଦଳଙ୍କ ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ କରାଯିବାର ମଧ୍ୟ ନଜିର ରହିଛି । ଏ ପରିପ୍ରେକ୍ଷୀରେ ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି ଯେ ରାଜ୍ୟସଭା ନିର୍ବାଚନ ମଇ-ଜୁନ୍‍ ମାସରେ ହେବ ବୋଲି ଢେର ବର୍ଷ ପୂର୍ବରୁ ଜଣାଥିଲା । କିନ୍ତୁ ବିରୋଧିଦଳମାନେ ସର୍ବସମ୍ମତ ପ୍ରାର୍ଥୀ ଚୟନ କରି ର୍ନିବାଚନ ମଇଦାକୁ ଓହ୍ଲାଇବାପାଇଁ କୌଣସି ଉଦ୍ୟମ କରିନଥିଲେ ।

ଏ ପରିପ୍ରେକ୍ଷୀରେବ ବିଜେଡି ପ୍ରାର୍ଥୀଙ୍କୁ ବିଜେପି କିମ୍ବା ବିଜେପି ପ୍ରାର୍ଥୀଙ୍କୁ କଗ୍ରେସ କିମ୍ବା କଂଗ୍ରେସ ପ୍ରାର୍ଥୀଙ୍କୁ ବିଜେପି ସମର୍ଥନ ଦେବା ସ୍ଥିତିରେ ନାହାନ୍ତି । ଏହି ଦୁଇ ଜାତୀୟ ଦଳଙ୍କ ଲଢେଇ ବିଜେଡି ସ୍ୱାଭାବିକ ଫାଇଦା ଉଠଶଇ ନିଦ୍ୱର୍ନ୍ଦରେ ରାଜ୍ୟସଭାର ୪ଟି ଯାକ ଆସନ ଦଖଲ କରିବା ସହ ରାଜ୍ୟରେ ସରକାରୀ ବିରୋଧି ଭୋଟ ବିଭାଜନ ରୁ ଫାଇଦା ଉଠାଇ ବିଧାନସଭା ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ବାଜିମାଦ୍‍ କରିଛି । (ତଥ୍ୟ)