Home General ରାଜ୍ୟର ପ୍ରଥମ ଟିଏଚଆର ୟୁନିଟ୍ ଉଦଘାଟିତ

ରାଜ୍ୟର ପ୍ରଥମ ଟିଏଚଆର ୟୁନିଟ୍ ଉଦଘାଟିତ

ଭୁବନେଶ୍ୱର : ବଲାଙ୍ଗିରର ଟିଟିଲାଗଡ ଠାରେ ରାଜ୍ୟର ପ୍ରଥମ ମଡେଲ ଟେକ ହୋମ ରାସନ (ଟିଏଚଆର)ର ଅତ୍ୟାଧୁନିକ ଛତୁଆ ୟୁନିଟ୍‍ ଉଦଘାଟିତ ହୋଇଛି । ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହାକୁ ଉଦଘାଟନ କରିଥିବାବେଳେ ରାଜ୍ୟ ଜଳ ସମ୍ପଦ ଏବଂ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବସନ୍ତୀ ହେମ୍ବ୍ରମ ଉପସ୍ଥିତ ଥିଲେ ।

ନିରନ୍ତର ଖାଦ୍ୟ ଏବଂ ପୁଷ୍ଟି ନିରାପତ୍ତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ଆଇସିଡିଏସ୍ ଯୋଜନା କାର୍ଯ୍ୟକାରୀ କରିଛନ୍ତି।  ଏହି ଆଇସିଡିଏସ୍ ଅଧୀନସ୍ଥ ଅତିତିକ୍ତ ପୁଷ୍ଟିକର ପ୍ରୋଗ୍ରାମ (ଏସଏନପି) ମାଧ୍ୟମରେ ଟେକ୍ ହୋମ୍ ରେସନ୍ସ (ଟିଏଚଆର) କାର୍ଯ୍ୟକ୍ରମ ଚାଲୁଅଛି। ଯାହା ଫଳରେ ଗର୍ଭବତୀ ମହିଳା ଏବଂ ୬ ରୁ ୩୬ ମାସର ପିଲାଙ୍କୁ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଘରେ ରାସନ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। 

ବିଶେଷକରି ମାତୃ ଓ ଶିଶୁଙ୍କ ମଧ୍ୟରେ ଅପପୁଷ୍ଟି ଦୂରୀକରଣ ଲାଗି ଦୁଇଟି ଉପାୟରେ ଏସଏନପି  ପ୍ରଦାନ କରାଯାଇଥାଏ। ପ୍ରଥମଟି ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ଦ୍ୱାରା ଟେକ୍-ହୋମ୍ ରେସନ୍ ପ୍ରଦାନ ଏବଂ ଦ୍ଵିତୀୟରେ ଶୁଷମ ରନ୍ଧା ଖାଦ୍ୟ ଯୋଗାଣ। ସ୍ଥାନୀୟ ଅର୍ଥନୀତିର ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବ୍ୟତୀତ ହିତାଧିକାରୀଙ୍କୁ ହାତ ପାହାନ୍ତାରେ  ସୁଚାର ରୂପେ ରାସନ ଯୋଗାଇବାରେ ଟିଏଚଆର ଏକ ଯୁଗାନ୍ତକାରୀ ବିକେନ୍ଦ୍ରୀକରଣ ଉତ୍ପାଦନ ମଡେଲ୍ ଭାବେ ଉଭାହୋଇଛି। ଟିଏଚଆର ଦ୍ୱାରା ଯୋଗାଇ ଦିଆଯାଉଥିବା ପ୍ରତ୍ୟେକ ସାମଗ୍ରୀ ଉତ୍ତମ ଗୁଣବତ୍ତା ସହ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ପୁଷ୍ଟିକର ଆହାର ଆବଶ୍ୟକତାକୁ ସୁନିଶ୍ଚିତ କରାଏ।

ଇଣ୍ଟିଗ୍ରେଟେଡ୍ ଶିଶୁ ବିକାଶ ସେବା ମାଧ୍ୟମରେ ପ୍ରଦାନ କରାଯାଇଥିବା ସପ୍ଲିମେଣ୍ଟାରୀ ପୁଷ୍ଟିକର ଖାଦ୍ୟର ସାମଗ୍ରିକ ଗୁଣବତ୍ତା, ଚାହିଦା ଏବଂ ବ୍ୟବହାରକୁ ସୁସଙ୍ଗଠିତ କରିବା ଉଦ୍ଦେଶ୍ୟରେ ଡବ୍ଲ୍ୟୁଏଫପି ଏବଂ ଭାରତ ସରକାରଙ୍କ ମଧ୍ୟରେ ୨୫ ଫେବୃଆରୀ ୨୦୨୧ ରେ ଏକ ସହଭାଗୀତା ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା। ବିଶେଷକରି ଟିଏଚଆର (ଛତୁଆ) ର ପୁଷ୍ଟିକର ଗୁଣବତ୍ତା ବୃଦ୍ଧି ଲାଗି ଆବଶ୍ୟକ ବୈଷୟିକ  ସହାୟତା ପ୍ରଦାନ ନିମନ୍ତେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଟିଟିଲାଗଡ଼ଠାରେ ଡବ୍ଲ୍ୟୁଏଫପି ଦ୍ୱାରା ଉନ୍ନତ ମାନର ମିଠା ଛତୁଆ ପ୍ରସ୍ତୁତି ନେଇ ପାଇଲଟ୍ ପ୍ରକଳ୍ପ ଭାବେ ଏକ ସ୍ୱୟଂଚାଳିତ ଟିଏଚଆର ୟୁନିଟ୍ (ମଡେଲ୍ ଟିଏଚଆର ୟୁନିଟ୍) ସ୍ଥାପନ କରାଯାଇଛି।

ଏହି ୟୁନିଟ୍ ରୁ ୮ଘଣ୍ଟାରେ ୧.୬ ମେଟ୍ରିକ ଟନ ଛତୁଆ ଉତ୍ପାଦନ ହେଇପାରିବ। ସ୍ଥାନୀୟ ମମତା ଶକ୍ତି ସଞ୍ଚୟିକା ଗୋଷ୍ଠୀର ୨୦ ଜଣ ସଦସ୍ୟାଙ୍କ ଦ୍ୱାରା ଏହି ୟୁନିଟ୍ ପରିଚାଳିତ ହେବ। ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣା, ଉପଜିଲ୍ଲାପାଳ ମନୋଜ ଏସ ମହାଜନ ଏବଂ ହିମାଂଶୁ ବଳ, ହେଡ ଡବ୍ଲ୍ୟୁଏଫପି, ଓଡିଶା ପ୍ରମୁଖ ଉପସ୍ଥିତ ଥିଲେ।