Home General ରାଜ୍ୟରେ ୨୪୬୭ଟି ଅପହଞ୍ଚ ଗାଁ

ରାଜ୍ୟରେ ୨୪୬୭ଟି ଅପହଞ୍ଚ ଗାଁ

ଭୁବନେଶ୍ୱର : ରାଜ୍ୟର ୨୪୬୭ଟି ଗାଁ ଏବେ ବି ଅପହଞ୍ଚ ହୋଇ ରହିଛି । ଏହି ତାଲିକାରେ ସର୍ବାଧିକ ୩୦୫ଟି ଗାଁ ରାୟଗଡ଼ା ଜିଲ୍ଲାରେ ରହିଛି ।

ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୪୬୭ଟି ଅପହଞ୍ଚ ଗାଁ ମଧ୍ୟରୁ ୨୭୦ଟି କଳାହାଣ୍ଡିରେ, ଜଗତସିଂହପୁରରେ ୨୧୧, ନବରଙ୍ଗପୁରରେ ୧୮୮, ଗଜପତିରେ ୧୬୦, ମାଲକାନଗିରି ୧୫୦, ମୟୁରଭଞ୍ଜରେ ୧୪୫, କେନ୍ଦୁଝରରେ ୧୪୧, କନ୍ଧମାଳରେ ୧୨୬ ଓ ଅନୁଗୁଳରେ ୧୦୮ଟି ରହିଛି । ସୁବର୍ଣ୍ଣପୁର, ଯାଜପୁର, କଟକ, ବଲାଙ୍ଗୀର, ଭଦ୍ରକ ଓ ବରଗଡ ଜିଲ୍ଲାରେ ଗୋଟିଏ ହେଲେ ଅପହଞ୍ଚ ଗାଁ ନ ଥିବା ବେଳେ ପୁରୀ ଜିଲ୍ଲାରେ ସବୁଠାରୁ କମ୍‍ ୨ଟି, ଖୋର୍ଦ୍ଧାରେ ୩ଟି ଓ ଝାରସୁଗୁଡ଼ାରେ ୬ଟି ଗ୍ରାମ ଅପହଞ୍ଚ ତାଲିକାରେ ରହିଛି ।

ଅପହଞ୍ଚ ଗାଁକୁ ସଡ଼କ ସଂଯୋଗ ନିମନ୍ତେ ଉପାନ୍ତ ଯୋଜନାରେ ୫୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ଏହି ଯୋଜନା ମାଧ୍ୟମରେ ୧୦୦ରୁ ଅଧିକ ଜନସଂଖ୍ୟା ଥିବା ରାଜସ୍ୱ ଗ୍ରାମଗୁଡ଼ିକୁ ଏମ୍‍ଜିନରେଗା ଏବଂ ସିଏଫ୍‍ସି/ଏସ୍‍ଏଫ୍‍ସି ଯୋଜନାରେ ଉପଲବ୍ଧ ଅର୍ଥରୁ ଖର୍ଚ୍ଚ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

ସମ୍ପୂର୍ଣ୍ଣା ଯୋଜନାରେ ରାଜ୍ୟର ୫୫୨୫ଟି ଗ୍ରାମକୁ ଅପହଞ୍ଚ ଗ୍ରାମ ଭାବେ ଚିହ୍ନଟ କରାଯାଇଛି । ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ମାତୃ ଏବଂ ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ କରିବା । ୨୦୧୫-୧୬ ବର୍ଷରେ ରାଜ୍ୟ ସରକାରଙ୍କ ଦ୍ୱାରା ଏହି ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ଏହା ମାଧ୍ୟମରେ ଅପହଞ୍ଚ ଗ୍ରାମଗୁଡ଼ିକରେ ନିୟମିତ ଭାବେ ଟିକାକରଣ, ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଘରକୁ ଘର ବୁଲି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପରାମର୍ଶ କରାଯାଇଥାଏ ।

ଅପହଞ୍ଚ ଅଞ୍ଚଳରୁ ନିକଟସ୍ଥ ଯାନବାହାନ ଚଳାଚଳ ପର୍ଯ୍ୟନ୍ତ ପ୍ରସୂତୀମାନଙ୍କୁ ଆଣିବା ଲାଗି ଗାଁ କଲ୍ୟାଣ ସମିତିକୁ ୪୮୧୩ଟି ହାଲୁକା ଷ୍ଟ୍ରେଚର୍‍ ପ୍ରଦାନ କରାଯାଇଛି । ପ୍ରସୂତୀମାନଙ୍କୁ ଅପହଞ୍ଚ ଅଞ୍ଚଳରୁ ଡାକ୍ତରଖାନାକୁ ଆଣିବା ପାଇଁ ଏକ ହଜାର ଟଙ୍କା ଦେବାର ବ୍ୟବସ୍ଥା ହୋଇଛି । ସେହିଭଳି ଡାକ୍ତରଖାନାରୁ ଫେରିବା ପାଇଁ ବି ୫୦୦ ଟଙ୍କା ପ୍ରଦାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here