Home News in Odia ରାଜ୍ୟରେ ବଢୁଛି ଗୋ ଚାଲାଣ

ରାଜ୍ୟରେ ବଢୁଛି ଗୋ ଚାଲାଣ

ଭୁବନେଶ୍ୱର : ରାଜ୍ୟରୁ ଗୋ ଚାଲାଣ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ବିଗତ ୫ବର୍ଷ ଭିତରେ ଏ ସଂକ୍ରାନ୍ତୀୟ ରୁଜୁ ମାମଲାରୁ ଏହା ସ୍ପଷ୍ଟ ହେଉଛି । ତେବେ ଯେତିକି ସଂଖ୍ୟାରେ ମାମଲା ରୁଜୁ ହେଉଛି ତାହାଠାରୁ ଢେର ଅଧିକ ପରିମାଣରେ ଗୋଚାଲାଣକାରୀମାନେ ସକ୍ରିୟ ଥିବା ଲକ୍ଷ୍ୟ କରାଯାଉଛି ।

ରାଜ୍ୟ ବାହାରକୁ ଗୋଚାଲାଣ ବେଆଇନ୍‍ ହୋଇଥିବାରୁ ଏହା ଉପରେ ପୁଲିସ୍‍ ଓ ସାଧାରଣ ଲୋକେ ସତର୍କ ଦୃଷ୍ଟି ରଖିଥାନ୍ତି । ବିଭିନ୍ନ ସମୟରେ ଚୋରା ଲୁଚାରେ ଗୋଚାଲାଣ ହେଉଥିବାବେଳେ ଏହା ଜବତ ହୋଇଥାଏ । ଚାଲାଣକାରୀମାନେ ଅଧିକାଂଶ ସମୟରେ ଗାଈଗୋରୁଙ୍କୁ ଅତି ଦୟନୀୟ ଅବସ୍ଥାରେ ଚାଲାଣ କରୁଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଦ୍ଧାର ସମୟରେ ମୃତ୍ୟୁବରଣ କରିଥାନ୍ତି ।

ଓଡିଶା ଗୋବଦ୍ଧ ନିରାକରଣ ଅଧିନିୟମ ୧୯୬୦ ଅନୁଯାୟୀ ରଜ୍ୟରେ ଗୋବଦ୍ଧ ଏକ ଦଣ୍ଡନୀୟ ଅପରାଧ । ଯଦି କୌଣସି ଠାରେ ଗୋବଦ୍ଧ ହେବ ତେବେ ତାହା ବିରୁଦ୍ଧରେ କଠୋର ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ହୋଇଥାଏ । ତେଣୁ ଓଡିଶାରୁ ଗାଈ ଗୋରୁମାନଙ୍କୁ ପଡୋଶୀ ରାଜ୍ୟର କସେଂଇଖାନାଗୁଡିକୁ ଚାଲାଣ କରାଯାଇଥାଏ ।

ତେବେ ଗୋଚାଲାଣକାରୀଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୨୦୧୬-୧୭ ବର୍ଷରେ ରାଜ୍ୟରେ ମାତ୍ର ୧୦ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୯-୨୦ ରେ ଏହା ୪୦ ଏବଂ ୨୦୨୦-୨୧ ବର୍ଷରେ ୯୫ଟି ମାମଲା ରୁଜୁ ହୋଇଛି । ତେବେ ଚଳିତବର୍ଷ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ୭୧ଟି ମାମଲା ରୁଜୁ ହୋଇ ସାରିଲାଣି । ତେବେ ଯେତିକି ସଂଖ୍ୟାରେ ମାମଲା ରୁଜୁ ହୋଇଛି ଓ ଲୋକେ ଗିରଫ ହୋଇଛନ୍ତି ତାହାଠାରୁ ଢେର ଅଧିକ ପରିମାଣରେ ଗାଈ ଗୋରୁ ରାଜ୍ୟ ବାହାରକୁ ଚାଲାଣ ହୋଇଯାଉଛନ୍ତି ବୋଲି ଗୋସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି ।

ରାଜ୍ୟର ଉପକୂଳ ଜିଲ୍ଲାରୁ ବ୍ୟାପକ ଗାଈ ଗୋରୁ ଚାଲାଣ ହେଉଥିବାବେଳେ ପଶ୍ଚିମଓଡିଶା ଓ କୋରାପୁଟ ଭଳି ଜିଲ୍ଲାରୁ ମଧ୍ୟ ଗାଈ ଗୋରୁଙ୍କ ସମେତ ଉନ୍ନତ ପ୍ରଜାତିର ମଇଁଷିମାନେ ପଡୋଶୀ ରାଜ୍ୟକୁ ଚାଲାଣ ହେଉଛନ୍ତି । ରାଜ୍ୟ ପୁଲିସ୍‍ ଗୋଚାଲାଣ ଉପରେ ସତର୍କ ଦୃଷ୍ଟି ରଖିଥିବାବେଳେ ଅଧିକାଂଶ ସ୍ଥାନରେ କିନ୍ତୁ ସାଧାରଣ ଲୋକେ ବିଶେଷକରି ଗୋସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଯୁବକମାନେ ଗୋଚାଲାଣକାରୀମାନଙ୍କୁ ଧରି ପୁଲିସ ଜିମାରେ ଦେଉଛନ୍ତି । ତେବେ ରାଜ୍ୟରୁ ଯେଭଳି ଭାବେ ଗୋଚାଲାଣ ବୃଦ୍ଧି ପାଉଛି ତାହାକୁ ରୋକାନଗଲେ ଗୋବଂଶ ହ୍ରାସ ପାଇବା ସହିତ ସରକାରଙ୍କ ଦୁଗ୍ଧ ବନ୍ୟା ଯୋଜନା ବାଟବଣା ହୋଇଯିବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)