Home General ରାଜ୍ୟରେ ପଶୁ ଚିକିତ୍ସକ ଅଭାବ

ରାଜ୍ୟରେ ପଶୁ ଚିକିତ୍ସକ ଅଭାବ

ଭୁବନେଶ୍ୱର : ଗାଁ ଗହଳରେ ପଶୁମାନଙ୍କ ଚିକିତ୍ସାପାଇଁ ଏବେ ଚିକିତ୍ସକଙ୍କ ଅଭାବ । ପ୍ରତ୍ୟେକ ଜିଲ୍ଲାରେ ଏକାଥିକ ପଶୁଡାକ୍ତର ପଦବୀ ଖାଲି ପଡିଥିବାବେଳେ ଜିଲ୍ଲାରୁ କେତେକ ଡାକ୍ତରଙ୍କୁ ଆଣି ଭୁବନେଶ୍ୱର, ପୁରୀ ଭଳି ସହରରେ କାମରେ ଲଗାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ମୋଟ୍‍ ୯୨୫ଟି ମଞ୍ଜୁରପ୍ରାପ୍ତ ପ୍ରାଣୀ ଚିକିତ୍ସକ ଓ ଅତିରିକ୍ତ ପ୍ରାଣୀ ଚିକିତ୍ସକ ପଦବୀ ଥିବାବେଳେ ଚଳିବର୍ଷ ମାର୍ଚ୍ଚ ମାସବେଳକୁ ଏଥିରୁ ୩୩୫ଟି ଖାଲି ପଡିଥିଲା । ଅର୍ଥାତ୍‍ ମୋଟ୍‍ ପଦବୀରେ ମାତ୍ର ୫୯୦ଜଣ ଡାକ୍ତର ଥିଲେ । ତେବେ ଗାଁ ଗହଳରେ ପଶୁ ଚିକିତ୍ସାର ମଙ୍ଗ ଧରିଥିବା ପ୍ରାଣୀଧନ ନିରୀକ୍ଷକ ପଦବୀରେ ମଧ୍ୟ ୧୪୧୨ଟି ଖାଲି ପଡିଛି । ଏହି ପଦବୀରେ ମୋଟ୍‍ ୩୩୩୦ ମଞ୍ଜୁରୀପ୍ରାପ୍ତ କର୍ମଚାରୀ ରହିବାକଥା ।

ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୭୦ଟି ମଞ୍ଜୁରୀପ୍ରାପ୍ତ ପଶୁ ଚିକିତ୍ସକ ଓ ଅତିରିକ୍ତ ପଶୁ ଚିକିତ୍ସକ ପଦବୀ ଥିବାବେଳେ ସେଥିରୁ ୨୧ଟି ଖାଲି ପଡିଛି । ଦୁଇଜଣ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କୁ ନିର୍ଦ୍ଦେଶାଳୟରେ ଓ ଅନ୍ୟ ଜଣଙ୍କୁ ପୁରୀରେ ଦାୟିତ୍ୱରେ ରଖାଯାଇଛି । ରାଜ୍ୟର ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନ ହେଉଥିବା ଉପକୂଳ ଜିଲ୍ଲାରେ ବି ମାଳ ମାଳ ପଶୁଚିକିତ୍ସକ ଓ ଅତିରିକ୍ତ ପଶୁ ଚିକିତ୍ସକ ପଦବୀ ଖାଲି ପଡିଛି । କଟକ ଜିଲ୍ଲାରେ ୪୪ ପଦବୀ ମଧ୍ୟରୁ ୨୫ଟି ଖାଲି ପଡିଥିବାବେଳେ ଜଗତ୍‍ସିଂହପୁର ଜିଲ୍ଲାରେ ୨୩ରୁ ୯ଟି, ପୁରୀରେ ୨୮ରୁ ୧୩ଟି, କେନ୍ଦ୍ରାପଡାରେ ୨୫ରୁ ୧୫ଟି, ଖୋରଧାରେ ୩୩ରୁ ୧୬ଟି ଖାଲି ପଡିଛି ।

ପଶୁ ଚିକିତ୍ସକ ଅଭାବ ସହିତ ଉପକୂଳ ଜିଲ୍ଲାର ଅନେକ ଚିକିତ୍ସକ ମୁଖ୍ୟାଳୟ ବାହାରେ ରହୁଥିବାରୁ ଗୁରୁତର ପଶୁମାନଙ୍କୁ ଚିକିତ୍ସା କରିବାପାଇଁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଗାଁ ଗହଳରେ ପ୍ରାଣୀଧନ ନିରୀକ୍ଷକମାନେ ହିଁ ପଶୁ ଚିକିତ୍ସା ବ୍ୟବସ୍ଥାକୁ ଏକ ପ୍ରକାର ସମ୍ଭାଳିଛନ୍ତି । ବହୁ କ୍ଷେତ୍ରରେ ପଶୁ ଚିକିତ୍ସକ କିମ୍ବା ଅତିରିକ୍ତ ପଶୁ ଚିକିତ୍ସକମାନେ କ୍ଷେତ୍ର ଉପରକୁ ନଯାଇ ପଶୁଧନ ନିରୀକ୍ଷକମାନଙ୍କୁ ପଠାଇ ଦେଉଛନ୍ତି । ଅତି ଜରୁରୀ ହେଲେ କିମ୍ବା ଚାପ ପଡିଲେ ଯାଇ ପଶୁ ଚିକିତ୍ସକମାନେ ଗାଁ ଗହଳକୁ ଯାଉଛନ୍ତି ।

ତେଣେ ପାଖାପାଖି ଦେଢ ହଜାର ପ୍ରାଣୀଧନ ନିରୀକ୍ଷକ ପଦବୀ ଖାଲି ପଡିଥିବାରୁ ଜଣେ ଜଣେ ନିରୀକ୍ଷକଙ୍କୁ ଏକାଧିକ ପଞ୍ଚାୟତ ଦାୟିତ୍ୱରେ ରଖାଯାଉଛି । ଆଉ କେତେକଙ୍କୁ ଏକାଧିକ ଦାୟିତ୍ୱ ସହିତ ଜିଲ୍ଲା ସ୍ତରର ଦପ୍ତରରେ କାଗଜପତ୍ର ଚାଷ କିମ୍ବା ସାମଗ୍ରୀ ଆଣିବା କାର୍ଯ୍ୟରେ ଲଗାଯାଉଛି । ତେଣୁ ବହୁ ପଞ୍ଚାୟତରେ ଆବଶ୍ୟକ ସମୟରେ ପ୍ରାଣୀଧନ ନିରୀକ୍ଷକମାନଙ୍କର ଦେଖାଦର୍ଶନ ବି ମିଳୁନାହିଁ ।

ରାଜ୍ୟ ସରକାର ରାଜ୍ୟରେ ଦୁଗ୍ଧ ଉତ୍ପାଦନ ସହିତ ପଶୁପାଳନ ଓ କୁକୁଡାଚାଷ ଜରିଆରେ ଆତ୍ମନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେଉଥିବାବେଳେ ଶହ ଶହ ସଂଖ୍ୟାରେ ପଶୁ ଚିକିତ୍ସକ ଓ ପ୍ରାଣୀଧନ ନିରୀକ୍ଷକ ପଦବୀ ଖାଲି ପଡିବା ଏବେ ଏ କ୍ଷେତ୍ରରେ ବଡ ସମସ୍ୟା ହୋଇଛି । ଗାଁ ଗହଳରେ ଏବେ ପଶୁ ଚିକିତ୍ସା ଅନେକ ଅନଭିଜ୍ଞ ଲୋକଙ୍କ ହାତରେ ହେଉଥିବାବେଳେ ଏମାନେ ନିଜକୁ ପଶୁଡାକ୍ତରର ପରିଚୟ ଦେଇ ବିଭିନ୍ନ କମ୍ପାନୀର ଔଷଧ ବିକ୍ରିରେ ମାତିଛନ୍ତି । ତେଣୁ ସରକାର ମଞ୍ଜୁର କରିଥିବା ପଦବୀ ଗୁଡିକ ତୁରନ୍ତ ପୂରଣ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here