Home Finance ରାଜ୍ୟରେ ଉତ୍ସାହଜନକ ଟିକସ ଆଦାୟ

ରାଜ୍ୟରେ ଉତ୍ସାହଜନକ ଟିକସ ଆଦାୟ

ଭୁବନେଶ୍ୱର : କୋଭିଡ ମହାମାରୀର କରାଳ ଯନ୍ତ୍ରଣା ସତ୍ୱେ ଓଡିଶା ସରକାରଙ୍କ ନିଜସ୍ୱ ରାଜସ୍ୱ ସଂଗ୍ରହ କିନ୍ତୁ ଉତ୍ସାହଜନକ ରହିଛି । ଅର୍ଥନୀତିଜ୍ଞମାନଙ୍କ ପୂର୍ବାନୁମାନକୁ ଭୁଲ୍‍ ପ୍ରମାଣିତ କରି ରାଜ୍ୟ ସରକାର ଧାର୍ଯ୍ୟ ଲକ୍ଷ୍ୟର ପାଖାପାଖି ନିଜସ୍ୱ ରାଜସ୍ୱ ସଂଗ୍ରହରେ ସଫଳ ହୋଇଛନ୍ତି ।

ତେବେ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ଏବଂ କେନ୍ଦ୍ରୀୟ ଅନୁଦାନ ବାବଦରେ ଓଡିଶା ଯେତେ ଅର୍ଥ ପାଇବ ବୋଲି ଆଶା ରଖିଥିଲା ତାହା ତୁଳନାରେ ଢେର କମ୍‍ ମିଳିବା ରାଜ୍ୟ ଅର୍ଥନୀତି ପ୍ରତି ସମସ୍ୟା ସୃଷ୍ଟି କରୁଛି ।

ଚଳିତ ଆର୍ଥିକ ବର୍ଷର ଗତ ଜାନୁଆରୀ ଶେଷ ସୁଦ୍ଧା ଓଡିଶା ସରକାର ନିଜସ୍ୱ ଟିକସ ବାବଦରେ ୨୫,୧୬୭.୯୨କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଗତ ଆର୍ଥିକ ବର୍ଷର ପ୍ରଥମ ୧୦ମାସରେ ରାଜ୍ୟ ସରକାର ୨୫,୪୪୧.୮୬କୋଟି ଟଙ୍କାର ନିଜସ୍ୱ ରାଜସ୍ୱ ସଂଗ୍ରହ କରିଥିଲେ ।

୨୦୨୦-୨୧ ଆର୍ଥିକ ବର୍ଷରେ ଓଡିଶା ସରକାର ୩୮,୩୫୦ କୋଟି ଟଙ୍କାର ନିଜସ୍ୱ ରାଜସ୍ୱ ସଂଗ୍ରହ ଲାଗି ଲକ୍ଷ୍ୟ ରଖିଥିବାବେଳେ ପ୍ରଥମ ୧୦ମାସରେ ୬୫.୬୩ ପ୍ରତିଶତ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି । ଗତ ଜାନୁଆରୀ ୩୧ ତାରିଖ ସୁଦ୍ଧା ବାଣିଜ୍ୟକର ଆକାରରେ ୧୫,୬୩୦.୪୩କୋଟି ଟଙ୍କା ମିଳିଥିବାବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ସୁଦ୍ଧା ସଂଗ୍ରହ ହୋଇଥିଲା ୧୬,୪୫୫.୫୯କୋଟି ଟଙ୍କା ।

ଅର୍ଥନୀତି ବିଶାରଦମାନେ କହୁଛନ୍ତି ଯେ କୋଭିଡ କଟକଣା ଯୋଗୁଁ ବାଣିଜ୍ୟିକ କାରବାରକୁ ଶକ୍ତ ଝଟ୍‍କା ଲାଗିଥିବା ସତ୍ୱେ ଓଡିଶାରେ ବାଣିଜ୍ୟକର ସଂଗ୍ରହର ହାର କିନ୍ତୁ ଉତ୍ସାହଜନକ ରହିଛି । ତେବେ ମାସ ମାସ ଧରି ମଦ ଦୋକାନ ସବୁ ବନ୍ଦ ରହିବା ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ୧୦ମାସରେ ଅବକାରୀ ଟିକସ ସଂଗ୍ରହ ହାର ଗତବର୍ଷ ତୁଳନାରେ ୧୯ ପ୍ରତିଶତ କମିଛି ।

ସେହିପରି ଚଳିତ ଆର୍ଥିକ ବର୍ଷରେ ଓଡିଶା ସରକାର ଅଣଟିକସ ରାଜସ୍ୱ ବାବଦରେ ୧୭,୬୫୦କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିବାର ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ଗତ ଜାନୁୟାରୀ ଶେଷସୁଦ୍ଧା ୧୩,୫୪୫.୩୮କୋଟି ଟଙ୍କା ସଂଗ୍ରହ କରିଛନ୍ତି । ଗତ ଆର୍ଥିକ ବର୍ଷର ଏହି ସମୟ ସୁଦ୍ଧା ୧୦,୬୭୩କୋଟି ଟଙ୍କାର ଅଣଟିକସ ରାଜସ୍ୱ ସଂଗୃହୀତ ହୋଇଥିଲା । ଅର୍ଥାତ୍‍ କୋଭିଡ ସତ୍ୱେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୧୦ମାସରେ ବିଗତବର୍ଷ ତୁଳନାରେ ୨୭ପ୍ରତିଶତ ଅଧିକ ଅଣଟିକସ ରାଜସ୍ୱ ମିଳିଛି ।

ଖଣିଜ କ୍ଷେତ୍ରରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ୧୦ମାସରେ ୯୮୭୮କୋଟି ୨୬ଲକ୍ଷ ଟଙ୍କାର ରାଜସ୍ୱ ମିଳିଛି ଯାହାକି ବିଗତବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ ବୋଲି କୁହାଯାଉଛି । ମୋଟାମୋଟି ଭାବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୧୦ମାସରେ ରାଜ୍ୟର ନିଜସ୍ୱ ଟିକସ ଓ ଅଣଟିକସ ରାଜସ୍ୱ ବାବଦରେ ୩୮,୭୧୩.୩୦କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ଗତ ଆର୍ଥିକ ବର୍ଷର ଏହି ସମୟସୀମା ମଧ୍ୟରେ ଆଦାୟ ହୋଇଥିଲା ୩୬,୧୧୪.୮୮ କୋଟି ଟଙ୍କା ।

ଓଡିଶା କେନ୍ଦ୍ରୀୟ ଟିକସ ଅଂଶରୁ ଏବର୍ଷ ୩୬,୨୯୯.୭୪କୋଟି ଓ କେନ୍ଦ୍ରୀୟ ଅନୁଦାନ ବାବଦରେ ୩୨ହଜାର କୋଟି ଟଙ୍କା ଚଳିତବର୍ଷରେ ପାଇବ ବୋଲି ଆଶା ରଖିଥିବାବେଳେ ଗତ ଜାନୁୟାରୀ ଶେଷସୁଦ୍ଧା କେନ୍ଦ୍ରୀୟ ଟିକସ ବାବଦରେ ମାତ୍ର ୧୮,୯୨୬କୋଟି ଓ କେନ୍ଦ୍ରୀୟ ଅନୁଦାନ ବାବଦରେ ୧୭,୬୨୯କୋଟି ଟଙ୍କା ପାଇଛି । ମୋଟାମୋଟି ଭାବେ ଗତ ଜାନୁୟାରୀ ଶେଷସୁଦ୍ଧା ଓଡିଶାର ରାଜସ୍ୱ ସଂଗ୍ରହ ୭୫ହଜାର କୋଟି ଟଙ୍କାକୁ ଟପିଛି ଯାହା ପୂର୍ବବର୍ଷ ତୁଳନାରେ ହଜାରେ କୋଟି ଅଧିକ ।