Home Finance ରାଜସ୍ୱ ଆୟ ୧୨ପ୍ରତିଶତ ବଢିପାରେ

ରାଜସ୍ୱ ଆୟ ୧୨ପ୍ରତିଶତ ବଢିପାରେ

ଭୁବନେଶ୍ୱର : ଆକଳନ ହୋଇଥିବା ଅଭିବୃଦ୍ଧି ହାରକୁ ଦୃଷ୍ଟିରେ ରଖି ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ରାଜସ୍ୱ ଆୟ ଚଳିତ ବର୍ଷର ସଂଶୋଧନ ଆକଳନ ତୁଳନାରେ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ରାଜସ୍ୱ ଆୟ ୧.୫୦ ଲକ୍ଷ କୋଟି ଟଙ୍କା ଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ ୧.୮୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଥିଲା ।

୨୦୨୩-୨୪ ଆର୍ଥିକ ବର୍ଷର ଅକ୍ଟୋବର ଶେଷ ସୁଦ୍ଧା ସମସ୍ତ ଉତ୍ସରୁ ମୋଟ ରାଜସ୍ୱ ଆଦାୟ ୯୦,୫୫୯.୬୯ କୋଟି ଟଙ୍କା ଥିଲା, ଯାହା କି ୨୦୨୨ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ହୋଇଥିବା ୭୭,୦୪୩.୦୩ କୋଟି ଟଙ୍କା ତୁଳନାରେ ୧୭.୫୪ ପ୍ରତିଶତ ଅଧିକ । ଏହା ମଧ୍ୟ ଚଳିତ ବର୍ଷ ପାଇଁ କରାଯାଇଥିବା ବଜେଟ୍ ଆକଳନର ୪୯ ପ୍ରତିଶତ ଥିଲା ।

ଆସନ୍ତା ବର୍ଷ ରାଜ୍ୟର ରାଜସ୍ୱ ଆୟ ୧୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଥିଲେ ହେଁ ଅନ୍ତର୍ଜାତୀୟ ସ୍ତରରେ ଖଣିଜ ଦରରେ ଅସ୍ଥିରତା ଏବଂ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅଧୀନରେ କେନ୍ଦ୍ରୀୟ ସହାୟତା ପ୍ରବାହରେ ଅନିଶ୍ଚିତତା କାରଣରୁ ରାଜସ୍ୱ ଆଦାୟରେ ବଡ଼ ଝଟକା ଲାଗିପାରେ ।

ଚଳିତ ଓ ଆଗାମୀ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ପ୍ରାୟ ୬.୫% ଅଭିବୃଦ୍ଧି ହାସଲ କରିବ ବୋଲି ଆରବିଆଇ ଆକଳନ କରିଛି । ତେବେ ଦୁର୍ବଳ ବାହ୍ୟ ଚାହିଦା, ଭୂ-ଅର୍ଥନୈତିକ ବିଭାଜନ ଏବଂ ୟୁରୋପ ଓ ମଧ୍ୟପ୍ରାଚ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଉତ୍ତେଜନା ଅଭିବୃଦ୍ଧି ଦୃଷ୍ଟିକୋଣ ପାଇଁ ବିପଦ ସୃଷ୍ଟି କରିବ ।

ମାନବ, ପ୍ରାକୃତିକ ଓ ଆର୍ଥିକ ସମ୍ବଳର ଉପଯୋଗ ସହିତ ଅର୍ଥନୀତିର ଉତ୍ପାଦନ ଭିତ୍ତିଭୂମିକୁ ସୁଦୃଢ଼ କରି ୨୦୨୩-୨୪ରେ ରାଜ୍ୟର ଅର୍ଥନୀତି ବାସ୍ତବ ଦୃଷ୍ଟିରୁ ୮ ପ୍ରତିଶତରୁ ୮.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ଏବଂ ୨୦୨୪-୨୫ରେ ଏହି ଗତି ଜାରି ରହିବ ବୋଲି ଆଶା କରାଯାଉଛି ।

ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶା ୨୦୨୦-୨୧ ଆର୍ଥିକ ବର୍ଷ ବ୍ୟତୀତ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର ବାର୍ଷିକ ହାରାହାରି ଅଭିବୃଦ୍ଧି ହାସଲ କରିଛି, ଯେଉଁଥିରେ କୋଭିଡ୍‌-୧୯ ମହାମାରୀ କାରଣରୁ ଜିଏସଡଇପି ୫.୩୫ ପ୍ରତିଶତ ହ୍ରାସ ପାଇଛି । (ତଥ୍ୟ)