Home Finance ରାଜସ୍ୱ ଆୟ ଦେଢ ଲକ୍ଷ କୋଟିକୁ ଟପିଲା

ରାଜସ୍ୱ ଆୟ ଦେଢ ଲକ୍ଷ କୋଟିକୁ ଟପିଲା

ଭୁବନେଶ୍ୱର : ଓଡିଶା ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ୍‍ ୧.୫୨ ଲକ୍ଷ କୋଟି ଟଙ୍କାର ରାଜସ୍ୱ ପାଇଛନ୍ତି ଯାହାକି ଏକ ରେକର୍ଡ । ସରକାର ୨୦୨୧-୨୨ ରେ ୧.୨୫ଲକ୍ଷ କୋଟି ଟଙ୍କାର ରାଜସ୍ୱ ପାଇବାର ଲକ୍ଷ୍ୟ ରଖିଥିବାବେଳେ ଆଦାୟ ରାଜସ୍ୱ ଏହାକୁ ଅତିକ୍ରମ କରିଯାଇଛି ।

୨୦୨୧-୨୨ ବଜେଟ୍‍ରେ ୧,୨୫,୬୦୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ଆର୍ଥିକବର୍ଷ ଶେଷ ସୁଦ୍ଧା ମୋଟ୍‍ ୧,୫୨,୫୨୮ କୋଟି ଟଙ୍କା ମିଳିପାରିଛି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ରାଜସ୍ୱ ଆଦାୟ ସଂକ୍ରାନ୍ତରେ କରିଥିବା ସମୀକ୍ଷାରୁ ଜଣାଯାଇଛି ଯେ ପୂର୍ବବର୍ଷର ରାଜସ୍ୱପ୍ରାପ୍ତି ଲକ୍ଷ୍ୟ ତୁଳନାରେ ୧୨୧ ପ୍ରତିଶତ ଅଧିକ ରାଜସ୍ୱ ମିଳିଛି ।

ନିଜସ୍ୱ ଟିକସ ରାଜସ୍ୱ ବାବଦରେ ଓଡିଶା ୩୭,୫୦୦ କୋଟି ଟଙ୍କା ପାଇବାର ଲକ୍ଷ୍ୟ ଥିବାବେଳେ ଆଦାୟ ହୋଇଛି ୪୦,୨୭୦.୩୦ କୋଟି ଟଙ୍କା ଯାହାକି ବଜେଟ୍‍ ଆକଳନର ୧୦୭ ପ୍ରତିଶତରୁ ଅଧିକ । ସେହିଭଳି ଅଣ ଟିକସ ରାଜସ୍ୱ ବାବଦରେ ଓଡିଶା ସରକାର ୨୦୨୧-୨୨ ବର୍ଷରେ ୫୩,୬୪୭.୨୭ କୋଟି ଟଙ୍କା ପାଇଛନ୍ତି ।

ବଜେଟ୍‍ ଆକଳନରେ ଅଣ ଟିକସ ରାଜସ୍ୱରୁ ସରକାର ୨୦,୦୦୦ କୋଟି ଟଙ୍କା ପାଇବାର ଲକ୍ଷ୍ୟ ରଖିଥିବାବେଳେ ଏହି କ୍ଷେତ୍ରରୁ ୨୬୮ ପ୍ରତିଶତରୁ ଅଧିକ ରାଜସ୍ୱ ମିଳିଛି । ବିଶେଷକରି ଖଣି କ୍ଷେତ୍ରରୁ ରେକର୍ଡ ପରିମାଣ ରାଜସ୍ୱ ଆଦାୟ ଅଣ ଟିକସ ରାଜସ୍ୱ ପରିମାଣକୁ ବଢାଇ ଦେଇଛି । ତେଣୁ ଉଭୟ ନିଜସ୍ୱ ଟିକସ ଓ ଅଣ ଟିକସ କ୍ଷେତ୍ରରୁ ବଜେଟ୍‍ ଆକଳନ ଠାରୁ ଅଧିକ ଅର୍ଥ ରାଜକୋଷକୁ ଆସିଛି ।

ନିଜସ୍ୱ ଟିକସ ଓ ନିଜସ୍ୱ ଅଣଟିକସ ବାବଦରୁ ରାଜ୍ୟ ସରକାର ୫୭,୫୦୦ କୋଟି ଟଙ୍କା ପାଇବାର ଲକ୍ଷ୍ୟ ରଖିଥିବାବେଳେ ଆଦାୟ ହୋଇଛି ୯୩,୯୧୭.୫୭କୋଟି ଟଙ୍କା ଯାହାକି ରାଜ୍ୟ ପାଇଁ ବଡ ସହାୟକ ହୋଇଛି । ସେହିଭଳି ୨୦୨୧-୨୨ ବର୍ଷରେ କେନ୍ଦ୍ରରୁ ୬୮,୧୦୦ କୋଟି ଟଙ୍କା ପାଇବାର ଲକ୍ଷ୍ୟ ରଖିଥିବାବେଳେ ଆର୍ଥିକବର୍ଷ ଶେଷସୁଦ୍ଧା ମିଳିଛି ୫୮,୬୧୦ କୋଟି, ଯାହା ଆକଳନ ଠାରୁ ପାଖପାଖି ୯୫୦୦ କୋଟି ଟଙ୍କା କମ୍‍ ।

କେନ୍ଦ୍ରରୁ ଅଂଶଧନ ଟିକସ ବାବଦରେ ରାଜ୍ୟ ସରକାର ୩୦,୧୩୬ କୋଟି ଟଙ୍କା ପାଇବାର ଲକ୍ଷ୍ୟ ରଖିଥିବାବେଳେ ମିଳିଛି ୩୮,୧୪୪.୭୯ କୋଟି ଟଙ୍କା । କେନ୍ଦ୍ରରୁ ମିଳୁଥିବା ଅନୁଦାନ ପରିମାଣ କିନ୍ତୁ ବର୍ଷକୁ ବର୍ଷ ହ୍ରାସ ପାଉଛି ଯାହାକି ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ୨୦୧୯-୨୦ ବର୍ଷରେ ଅନୁଦାନ ଆକାରରେ କେନ୍ଦ୍ରରୁ ୨୪,୧୫୨ କୋଟି ଟଙ୍କା ମିଳିଥିବାବେଳେ ୨୦୨୦-୨୧ ବର୍ଷରେ ତାହା ୨୩,୦୬୮ କୋଟି ଟଙ୍କାକୁ ହ୍ରାସ ପାଇଥିଲା । ୨୦୨୧-୨୨ ବର୍ଷରେ ଅନୁଦାନ ପରିମାଣ ୨୦,୪୬୫ କୋଟି ଟଙ୍କାକୁ କମି ଆସିଛି । କେନ୍ଦ୍ରୀୟ ଅନୁଦାନ ବଢିବା ପରିବର୍ତ୍ତେ ଓଡିଶା ପାଇଁ କମି କମି ଯାଉଛି ।

ତେବେ ଗତ ମାର୍ଚ୍ଚ ମାସ ଓଡିଶା ପାଇଁ ଖୁସି ଆଣିଦେଇଛି । ଏହି ଗୋଟିଏ ମାସରେ ରାଜ୍ୟ ରାଜକୋଷକୁ ୨୪,୨୭୨ କୋଟି ଟଙ୍କାର ରାଜସ୍ୱ ଆସିଛି । ଏହି ମାସରେ କେନ୍ଦ୍ରରୁ ଟିକସ ଓ ଅନୁଦାନ ବାବଦରେ ୯୮୧୮ କୋଟି ଟଙ୍କା ମିଳିଥିବାବେଳେ ଟିକସ ଓ ଅଣଟିକସ ରାଜସ୍ୱ ବାବଦରେ ଆଦାୟ ପରିମାଣ ୧୪,୪୫୪ କୋଟି ଟଙ୍କାକୁ ଟପିଯାଇଛି । (ତଥ୍ୟ)