Home News in Odia ରାଜଭବନରେ ପହଞ୍ଚିଲା ବିଜୁଳି କାଟ୍‍ ପ୍ରସଙ୍ଗ

ରାଜଭବନରେ ପହଞ୍ଚିଲା ବିଜୁଳି କାଟ୍‍ ପ୍ରସଙ୍ଗ

ଭୁବନେଶ୍ୱର : ବିଜୁଳି କାଟ୍‍ ପ୍ରସଙ୍ଗ ଆଜି ରାଜଭବନରେ ପହଞ୍ଚିଛି । ବିଜେପି ଆଜି ରାଜ୍ୟପାଳନଙ୍କ ନିକଟରେ ଏ ନେଇ ଫେରାଦ ହେବା ସହିତ କେନ୍ଦ୍ରୀୟ ସଂସ୍ଥାଦ୍ୱାରା ତଦନ୍ତ ଲାଗି ଦାବି କରିଛି । ଦଳ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । ଯଦି ରାଜ୍ୟରେ ବିଦ୍ୟୁତ ବଳକା ତାହାଲେ ବାରମ୍ବାର ବିଜୁଳି କଟ୍ କାହିଁକି ହେଉଛି?

ଗ୍ରାମାଂଚଳ, ସହରାଂଚଳରେ ବାରମ୍ବାର ପାୱାର କଟ୍ ହେବା ସହ ରାଜଧାନୀରେ “ଲୋ ଭୋଲଟେଜ”ର ଶିକାର କାହିଁକି ହେଉଛନ୍ତି ଉପଭୋକ୍ତା । ବିଜୁଳି ଭିତିଭୂମିର ବିକାଶ ପାଇଁ ଗତ ୧୦ ବର୍ଷରେ ୨୦ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା ରାଜ୍ୟ ସରକାର କହୁଥିବା ବେଳେ ବିତରଣ ଦାୟୀତ୍ୱରେ ଥିବା ଟାଟ ପାଓ୍‌ôାର କମ୍ପାନୀ କହୁଛି ୫୦୦୦କୋଟି ଟଙ୍କାର ଭିତିଭୂମି ଅଛି ।

ତେବେ ୧୫ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତି ହୋଇଛି । ଦୁର୍ନୀତି କରିଛି କିଏ? ଓଡିଶାର ବିଜୁଳି ଦୁର୍ନୀତି ଘଟଣା ଚଳିତ ଦଶନ୍ଧୀର ବଡ ଦୁର୍ନୀତି । ବିଜୁ ଜନତା ଦଳ ସରକାରର ଶକ୍ତିମନ୍ତ୍ରୀ ଦାୟିତ୍ୱରେ ଥିବା ସମସ୍ତ ମନ୍ତ୍ରୀମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଏହାର ତଦନ୍ତ ହେଉ ବୋଲି ଭୁବନେଶ୍ୱର ଜିଲ୍ଲା ବିଜେପି ତରଫରୁ ମାନ୍ୟବର ରାଜ୍ୟପାଳଙ୍କ ନିକଟରେ ଦାବୀ କରାଯାଇଛି ।

ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଆଜି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ପ୍ରଥମେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କ ବାରିପଦା ସଭାରେ ପାୱାର କଟ୍ ଏବଂ ୨-୩ ଦିନ ତଳେ ଭୂବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଆନ୍ତର୍ଜାତୀକ ଫୁଟବଲ ମ୍ୟାଚ ସମୟରେ ବାରମ୍ବାର ପାୱାର କଟ୍ କାରଣରୁ ଓଡ଼ିଶାବାସୀ ସମଗ୍ର ବିଶ୍ୱରେ ନିନ୍ଦିତ ହୋଇଛି । ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ସାଙ୍ଗରେ ବିଜୁଳିକୁ ନେଇ ପ୍ରତାରଣା କରିଛନ୍ତି ।

ଓଡିଶା ବିଦ୍ୟୁତ କାଟରେ ରେକର୍ଡ ସୃଷ୍ଟି କରିଛି । ଏଠାରେ ଶକ୍ତିମନ୍ତ୍ରୀଙ୍କ କଥାର ମୂଲ୍ୟ ନାହିଁ । ପ୍ରଥମେ କହିଲେ ଚଳିତବର୍ଷ ପାୱାର କଟ ହେବ ନାହିଁ । ପରେ ମନ୍ତ୍ରୀ ବକ୍ତବ୍ୟ ରଖିଲେ ଏହା ପାୱାର କଟ୍ ନୁହେଁ ପାୱାର ଟ୍ରିପ ହେଉଛି । ପୁଣି ମନ୍ତ୍ରୀ ପରେ କହିଥିଲେ ଝଡ ପବନ ହେଲେ ଲାଇନ କଟିବ । ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ସ୍ୱାର୍ଥ ଅପେକ୍ଷା ଟାଟା ପାଓ୍‌ôାର କମ୍ପାନୀର ପ୍ରବକ୍ତା ଭାବେ ଶକ୍ତିମନ୍ତ୍ରୀଙ୍କ ବୟାନବାଜୀ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସିଂ କହିଛନ୍ତି ।

ସ୍ମାର୍ଟ ଓ ନୂତନ ମିଟର ନାମରେ ପ୍ରାୟ ୧୫ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଭିତିଭୁମିର ବିକାଶ ପାଇଁ ପାଖାପାଖି ୪୦ହଜାର ୨୨୭କୋଟି ଖର୍ଚ୍ଚ ହେବା ପରେ ମଧ୍ୟ ଦିନକୁ ୪୦ଥର ପାୱାର କଟ୍ ହେବା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ଦାୟୀ । ଏହି ବ୍ୟାପକ ମାତ୍ରାର ଅର୍ଥକୁ ବିଜେଡି ମନ୍ତ୍ରୀ, ନେତା, ଅଫିସର ଏବଂ ତୃତୀୟ ମହଲାର ଅଧିକାରୀମାନେ ମିଳିମିଶି ଲୁଟ୍ କରିଛନ୍ତି । ପାଖାପାଖି ୨୦ରାଜ୍ୟରେ ଉପଭୋକ୍ତାମାନେ ୟୁନିଟ୍ ପିଛା ୪ଟଙ୍କା ୯୯ପଇସା ଦେଉଥିବାବେଳେ ଓଡ଼ିଶାରେ ଉପରୋକ୍ତାମାନେ ୫ଟଙ୍କା ୨୨ପଇସା ଦେଉଛନ୍ତି । ଅଣ୍ଡରଗ୍ରାଉଣ୍ଡ କେବଲିଙ୍ଗ ପାଇଁ ୨୨୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବିଦ୍ୟୁତ ବଳକା ରାଜ୍ୟ ଓଡ଼ିଶାର ଉପଭୋକ୍ତା କାହିଁକି ଅଧିକ ଟଙ୍କା ଦେବେ? ବିଜୁଳି ଉପଭୋକ୍ତାଙ୍କୁ ଶୋଷଣ କରି ରାଜ୍ୟ ସରକାର ଅଧିକାରୀ କମ୍ପାନୀ ପ୍ରୀତି କାହିଁକି କରୁଛନ୍ତି । ବିଜୁଳି ଉପଭୋକ୍ତାଙ୍କଠାରୁ ବେଆଇନଭାବେ ସଂଗ୍ରହ ହୋଇଥିବା ୨୭୨୭କୋଟି ଟଙ୍କାକୁ ଓଇଆରସିର ତାଗିଦ ପରେ ମଧ୍ୟ ଫେରାଇ ନାହାନ୍ତି ରାଜ୍ୟ ସରକାର ।

ରାଜ୍ୟ ସରକାର ବିଜୁଳିର ସୁପରିଚାଳନା କରିବା ଆବଶ୍ୟକ । ଟାଟା କମ୍ପାନୀ ନିଜ ଲାଭ ପାଇଁ ଓଡ଼ିଶାରେ ବିତରଣ ଦାୟିତ୍ୱ ନେଇଛି । କିନ୍ତୁ ଓଡିଶା ସରକାର ଫାଇଦା ବା ଲାଭ ପାଇଁ ନୁହେଁ ବରଂ ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟ କରିବା ଉଚିତ । ବିଜୁଳି ବିଭ୍ରାଟ ପ୍ରସଙ୍ଗରେ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇ ଘରୋଇ ଟାଟା ପାୱାର କମ୍ପାନୀ ଉପରେ କାହିଁକି ଦୋଷ ଲଦି ଦେଉଛନ୍ତି ରାଜ୍ୟ ସରକାର ବୋଲି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି । ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା, ଜିଲ୍ଲା ଉପସଭାପତି ରାଜେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।