Home Infrastructure ରାଜଧାନୀରେ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ରାଜଧାନୀରେ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ (ବି.ଡି.ଏ)ର ବିଭିନ୍ନ ଅଂଚଳରେ ଟାଉନ୍‌ ପ୍ଲାନିଂ ସ୍କିମ୍‌ର ଲୋକପ୍ରିୟତା ଯୋଗୁ ଏଥିରେ ବିଶେଷ ଅଗ୍ରଗତି ପରିଲକ୍ଷିତ ହୋଇଛି ।  ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି ।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ବି.ଡି.ଏର ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ସିଂ ଟାଉନ୍‌ ପ୍ଲାନିଂ ସ୍କିମ୍‌ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ ଏବଂ ଆର୍ଥିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ସ୍କିମ୍‌ର ଅଗ୍ରଗତି ସମୀକ୍ଷାକରି ପ୍ରତି ଟାଉନ୍‌ ପ୍ଲାନିଂ ଅଂଚଳରେ ଗମନାଗମନ, ପାନୀୟଜଳ ଯୋଗାଣ, ବିଦ୍ୟୁତ୍‌ ଯୋଗାଣ ଆଦି ନିମନ୍ତେ ଉତ୍ତମ ଭିତ୍ତିଭୂମି ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗ ଓ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ସ୍କିମ୍‌ ଅଂଚଳରେ ମୁଖ୍ୟ ରାସ୍ତା ଗୁଡ଼ିକୁ ପୁର୍ତ୍ତ ବିଭାଗ ଏବଂ ଭିତର ରାସ୍ତାଗୁଡ଼ିକୁ ବି.ଡି.ଏ ନିର୍ମାଣ କରିବେ ବୋଲି ବୈଠକରେ ସ୍ଥିର ହୋଇଥିଲା ।

ଜଳ ଯୋଗାଣ ଏବଂ ନର୍ଦ୍ଦମା ପରିଚାଳନା ନିମନ୍ତେ ଦୂରଦର୍ଶୀ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଓ୍ୱାଟ୍‌କୋଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସ୍କିମ୍‌ ଅଂଚଳ ମାନଙ୍କରେ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ନିମନ୍ତେ ସବିଶେଷ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ପାଇଁ ଶ୍ରୀ ମହାପାତ୍ର ଟାଟା ପାଓ୍ୱାର କେନ୍ଦ୍ରୀୟ ବିତରଣ କଂପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟ ସମୟାନୁବନ୍ଧିତ ଭାବେ ପୂର୍ଣ୍ଣାଙ୍ଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ବି.ଡି.ଏ ଉପାଧ୍ୟକ୍ଷ ଶ୍ରୀ ସିଂ କହିଥିଲେ ଯେ ଭୁବନେଶ୍ୱର ଦୃତବର୍ଦ୍ଧିଷ୍ଣୁ ସ୍ଥିତି ଦୃଷ୍ଟିରୁ ବି.ଡି.ଏଦ୍ୱାରା ୪୫ ଟି ଟାଉନ୍‌ ପ୍ଲାନିଂ ସ୍କିମ୍‌ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ ଟି ସ୍କିମ୍‌ ଆରମ୍ଭ କରାଯାଇଛି ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହୋଇଛି ।

ତା ଛଡ଼ା ଅନ୍ୟ ୯ ଟି ସ୍କିମ୍‌ର ପ୍ରାରମ୍ଭିକ ପ୍ରସ୍ତୁତି କାମ ମଧ୍ୟ ତ୍ୱରାନ୍ୱିତ ହୋଇଛି । ସ୍କିମ୍‌ ନମ୍ବର-୧,୨,୩, ଏବଂ ୪ ରେ କ୍ଷେତ୍ରସ୍ତରୀୟ ସର୍ଭେ, ଜମି ଏକତ୍ରୀକରଣ, ସଂଶୋଧିତ ଜମି ପଟ୍ଟା ପ୍ରସ୍ତୁତି ଏବଂ ବଣ୍ଟନ କାର୍ଯ୍ୟ ଚାଲିଛି । ଆସନ୍ତା ୧ ରୁ ୨ ମାସ ମଧ୍ୟରେ ସମସ୍ତ ସଂଶୋଧିତ ପଟ୍ଟା ଯୋଗାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଟଉନ୍‌ ପ୍ଲାନିଂ ସ୍କିମ୍‌-୧ ସହଜପୁର, ନାରୋଗଦା, ସିଜୁପୁଟ ଏବଂ ପାଇକରାପୁର ମୌଜାରେ କରାଯାଉଛି । ସେହିପରି ସ୍କିମ୍‌-୨ ତମାଣ୍ଡୋ ଏବଂ ବିଜିପୁର ମୌଜା; ସ୍କିମ୍‌-୩ ନୂଆାଗାଁ ଓ ପାଇକରାପୁର; ଏବଂ, ସ୍କିମ୍‌-୪ ଶ୍ୟାମସୁନ୍ଦରପୁର ମୌଜାରେ କରାଯାଉଛି । ଏହି ୪ଟି ସ୍କିମ୍‌ ସମୁଦାୟ ୧୬୦୦ ଏକର ଜମି ଉପରେ କରାଯାଉଛି । ଏସବୁରେ ପ୍ରାୟ ୧.୫୦ ଲକ୍ଷରୁ ଅଧିକ ଲୋକ ବସବାସ କରିପାରିବେ । ପ୍ରାରମ୍ଭିକ ଆକଳନ ଅନୁସାରେ ଏହି ୪ଟି ସ୍କିମ୍‌ର ବିକାଶ ପାଇଁ ପ୍ରାୟ ୭୪୯ କୋଟି ଟଙ୍କାର ବିନିଯୋଗ କରାଯିବ ।  ମୌଳିକ ଭିତ୍ତିଭୂମି ସୃଷ୍ଟିକରାଯିବା ପରେ ଏହି ସ୍କିମ୍‌ ଗୁଡ଼ିକ ନିଜେ ନିଜ ପାଇଁ ରାଜସ୍ୱ ସୃଷ୍ଟି କରିବା ନିମନ୍ତେ ସମର୍ଥ ହେବେ ବୋଲି ଉପାଧ୍ୟକ୍ଷ ଶ୍ରୀ ସିଂ ଜଣାଇଥିଲେ  ।

ନଗର ଏବଂ ଗୃହ ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥାନନ୍‌, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ପଂଚାୟତି ରାଜ ଏବଂ ପାନୀୟ ଜଳଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ବି.ଡି.ଏ ର ଯୋଜନା ସଦସ୍ୟ ଶ୍ରୀ ଗୌରୀଶଙ୍କର ଭୂୟାଁଙ୍କ ସମେତ ସଂପୃକ୍ତ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।