Home General ରାଜଧାନୀରେ ବଢୁଛନ୍ତି ବଙ୍ଗଳାଦେଶୀ

ରାଜଧାନୀରେ ବଢୁଛନ୍ତି ବଙ୍ଗଳାଦେଶୀ

ଭୁବନେଶ୍ୱର : ରାଜଧାନୀରେ ବିଚ୍‍ ରାସ୍ତାରେ ହଣାକଟା ପରେ ଏବେ ସହରରେ ପ୍ରାୟ ୫ଶହ ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କ ସହିତ ତିନି ହଜାରୁ ଅଧିକ ବାହାର ରାଜ୍ୟର ଅପରାଧି ଶ୍ରେଣୀୟ ବ୍ୟକ୍ତି ବସବାସ କରୁଥିବା ଜଣାଯାଇଛି । ଦିନକୁ ଦିନ ଏମାନଙ୍କ ସଂଖ୍ୟା ବଢୁଥିବାବେଳେ ଏମାନେ ମୁଖ୍ୟତଃ ନିଶାଦ୍ରବ୍ୟ କାରବାର ଓ ନିର୍ମାଣ ଶ୍ରମିକ ଭାବେ କାମ କରୁଛନ୍ତି ଏବଂ ସମୟ ସୁବିଧା ଦେଖି ବିଭିନ୍ନ ଅପରାଧରେ ଲିପ୍ତ ହେଉଛନ୍ତି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀର ଶିଶୁପାଳଗଡ, ଲକ୍ଷ୍ମୀସାଗର, ଝାରପଡା, ବରମୁଣ୍ଡା ଓ ତିନି ନମ୍ବରର ମାଳିସାହି ଅଞ୍ଚଳରେ ବଙ୍ଗଳାଦେଶୀ ବହୁ ସଂଖ୍ୟାରେ ଶରଣାର୍ଥୀ ବସବାସ କରୁଛନ୍ତି । ଏମାନେ ମୁଖ୍ୟତଃ ପଶ୍ଚିମବଙ୍ଗରୁ ଏଠାକୁ ଆସିଛନ୍ତି । ଏମାନେ ପଶ୍ଚିମବଙ୍ଗଳ ମୂଳ ବାସିନ୍ଦା ହୋଇନଥିବାବେଳେ ଓ ସେଠାରେ ଅତ୍ୟନ୍ତ ଦୁର୍ଗମ ଇଲାକାରେ ରହୁଥିବାରୁ ଏଠାରେ ଅପରାଧ ଘଟାଇ ଫେରାର ହେଲେ ସେମାନଙ୍କୁ ଧରିବା ବି କାଠିକର ପାଠ ବୋଲି କୁହାଯାଉଛି । ଏପରିକି ଏହି ଶରଣାର୍ଥୀଙ୍କୁ ଧରିବାକୁ ହେଲେ ପଶ୍ଚିମବଙ୍ଗରେ ୩/୪ଟି ନଈ ପାରିହୋଇ ଯିବାକୁ ପଡିବ ବୋଲି କିଛି ପୁଲିସ୍‍ କର୍ମଚାରୀ ସୂଚନା ଦେଇଛନ୍ତି ।

ତେବେ ଏହି ଶରଣାର୍ଥୀମାନେ ରାଜଧାନୀର ବିଭିନ୍ନ ସ୍ଥାନରେ ନିଶାଦ୍ରବ୍ୟ ବ୍ୟବସାୟ ସହିତ ଦିନବେଳା କୋଠାବାଡି ନିର୍ମାଣରେ ଶ୍ରମିକ ଭାବେ କାର୍ଯ୍ୟ କରିଥାନ୍ତି । ଏମାନେ ମୁଖ୍ୟତଃ ୪/୫ ଜଣିଆ ଦଳରେ ବିଭକ୍ତ ହୋଇ କାର୍ଯ୍ୟ କରୁଥିବାବେଳେ ବିଭିନ୍ନ ସ୍ଥାନରେ କିନ୍ତୁ ଦଳ ଦଳ ହୋଇ ରହିଥାନ୍ତି । ଦିନରେ ମିସ୍ତ୍ରୀକାମ କରିବାପରେ ରାତିରେ ଏମାନଙ୍କ ମଧ୍ୟରୁ କେତେକ ଅପରାଧ ଘଟାଇଥାନ୍ତି । ବର୍ତ୍ତମାନ କିଛି ଶରଣାର୍ଥୀ ରାଜଧାନୀର ବିଭିନ୍ନ ସ୍ଥାନରେ ଉଠାଦୋକାନ କରିଥିବାବେଳେ ସ୍ଥାନୀୟ ଯୁବକମାନେ ଏମାନଙ୍କୁ ସହାୟତା କରୁଛନ୍ତି ।

ଶରଣାର୍ଥୀଙ୍କ ବ୍ୟତିତ ଅନ୍ୟ ରାଜ୍ୟରୁ ଅପରାଧ ଘଟାଇଥିବା କିମ୍ବା ଅପରାଧ ପ୍ରବୃତ୍ତିର ବହୁ ଯୁବକ ରାଜଧାନୀର ବିଭିନ୍ନ ବସ୍ତି ଓ ଆଖପାଖ ଅଞ୍ଚଳରେ ଡେରା ପକାଇଛନ୍ତି । ଏମାନେ ସହର ଉପକଣ୍ଠ ବାଲିଅନ୍ତା, ପାହାଳ, ପାତ୍ରପଡା, ଉତ୍ତରା ଆଦି ଅଞ୍ଚଳରେ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ନିର୍ମାଣ ହେଉଥିବା ବଡ ବଡ ଅଟ୍ଟାଳିକାରେ ଏମାନେ ସହରଠାରୁ ଦୂରରେ ରହୁଥିବାରୁ ପୁଲିସ୍‍ ଏମାନଙ୍କ ଟେର୍‍ ପାଉନାହିଁ । ସହରରେ ବିଭିନ୍ନ ଅପରାଧ ବିଶେଷକରି ରାଜଧାନୀ ମୋବାଇଲ ଚୋରିରେ ଏମାନଙ୍କର ବଡ ଅବଦାନ ରହୁଥିବା କୁହାଯାଉଛି ।

ରାଜଧାନୀରେ ବଙ୍ଗଳାଦେଶୀ ଶରଣାର୍ଥୀ ଓ ଅନ୍ୟ ରାଜ୍ୟର ଅପରାଧିମାନେ ଆସି ରହୁଥିବାବେଳେ ଏମାନଙ୍କ ସଂକ୍ରାନ୍ତରେ କୌଣସି ସର୍ଭେ ହେଉନାହିଁ । ଏପରିକି ସ୍ଥାନୀୟ ଥାନାରେ ବି ଏମାନଙ୍କ ସଂକ୍ରାନ୍ତରେ ବିଶେଷ କିଛି ସୂଚନା ନାହିଁ । ବସ୍ତି ଅଞ୍ଚଳରେ ରହୁଥିବା ଏହି ଶରଣାର୍ଥୀ ଓ ଅନ୍ୟ ରାଜ୍ୟର ଯୁବକମାନେ କେତେ ମାତ୍ରାରେ ଅପରାଧ ପ୍ରବଣ ତାହା ମାଷ୍ଟରକ୍ୟାଣ୍ଟିନ ଛକରେ ଦିନ ଦ୍ୱିପ୍ରହରେ ଘଟିଥିବା ହଣାକଟାରୁ ଜଳ ଜଳ ହୋଇ ଦିଶୁଛି ।

ତେଣୁ କମିଶନରେଟ ପୁଲିସ୍‍ ପକ୍ଷରୁ ଏମାନଙ୍କ ସଂକ୍ରାନ୍ତରେ ସବିଶେଷ ସୂଚନା ସହିତ ସହରତଳି ଅଞ୍ଚଳରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅନ୍ୟ ରାଜ୍ୟର ଯୁବକମାନଙ୍କ ତଥ୍ୟ ସଂଗ୍ରହ ପାଇଁ ମତପ୍ରକାଶ ପାଉଛି । ଏହା ନହେଲେ ଆଗାମୀ ଦିନରେ ରାଜଧାନୀରେ ଏମାନଙ୍କ ସଂଖ୍ୟା ବଢିବା ସହିତ ଅପରାଧର ମାତ୍ରା ବି ବୃଦ୍ଧି ପାଇବ । (ତଥ୍ୟ)