Home General ରାଜଧାନୀରେ ଚାଲିଛି ଶିଶୁ ଭିକ୍ଷାବୃତ୍ତି

ରାଜଧାନୀରେ ଚାଲିଛି ଶିଶୁ ଭିକ୍ଷାବୃତ୍ତି

ଭୁବନେଶ୍ୱର : ଶିଶୁମାନଙ୍କୁ ଭିକ୍ଷାବୃତ୍ତି ଓ ଶ୍ରମିକମାନଙ୍କୁ କାମରେ ଲଗାଇବା ଆଇନଗତ ଦୃଷ୍ଟିରୁ ଗର୍ହିତ ଅପରାଧ ହୋଇଥିଲେ ମଧ୍ୟ ଖୋଦ୍‍ ରାଜଧାନୀ ଭୁବନେଶ୍ୱର ସମେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ବେଆଇନ୍‍ କାମ ଚାଲିଛି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜରରେ ଦିନ ଦ୍ୱିପ୍ରହରରେ ରାସ୍ତାଘାଟରେ ଶିଶୁମାନଙ୍କୁ ଭିକମାଗିବା ଓ ବିଭିନ୍ନ ପ୍ରକାର ଶ୍ରମରେ ନିୟୋଜନ କରାଯାଉଥିବା ବେଳେ ଆଇନ୍‍ କିନ୍ତୁ ଏଠାରେ ଭିନ୍ନ ବାଟରେ ଯାଉଥିବା ଘେନି ଶିଶୁ ଅଧିକାର ସୁରକ୍ଷା ସହ ଜଡ଼ିତ ସ୍ୱେଚ୍ଛାସେବୀମାନେ ଖୋଲା ଅଭିଯୋଗ କରୁଛନ୍ତି ।

ରାଜଧାନୀର ବ୍ୟସ୍ତବହୁଳ ଏଜିଛକଠାରୁ ଆରମ୍ଭ କରି ଖଣ୍ଡଗିରି, କଳ୍ପନା, ନାଲ୍‍କୋ ଆଦି ଅଧିକାଂଶ ଛକରେ ଶିଶୁ ଭିକ୍ଷୁକ ହାଉଯାଉ ହେଉଛନ୍ତି । ଏମିତିକି ଦୁଇଚାରି ମାସର କଅଁଳା ଶିଶୁ ଧରି ଖରା, ଶୀତ, ବର୍ଷାରେ କିଛି ମହିଳା ଓ ଯୁବତୀ ଟ୍ରାଫିକ୍‍ ଛକମାନଙ୍କରେ ଖୋଲାଖୋଲି ଭାବେ ଭିକ ମାଗୁଛନ୍ତି । ହାତରେ ଖାଲି ବୋତଲ ଗୋଟିଏ ଲେଖାଧରି କଅଁଳା ଶିଶୁ ପାଇଁ ଦୁଧ ଟିକେ କିଣିବା ପାଇଁ ପଇସା ଦେବାଲାଗି ଆକୁଳନ ନିବେଦନ କରି ସେମାନେ ଟ୍ରାଫିକ୍‍ ଛକରେ ଅଟକିଥିବା ଗାଡ଼ିଗୁଡ଼ିକର ଆରୋହୀମାନଙ୍କଠାରୁ ଅର୍ଥ ସଂଗ୍ରହ କରିବାର ଦୃଶ୍ୟ ଅତି କରୁଣ ।

ଏମିତିକି ଭିକ ମାଗିବା ଲୋକ ହାଲିଆ ହୋଇ ବଦଳି ଯାଉଥିବା ବେଳେ ବହୁ ସମୟରେ କାନ୍ଧରେ ପଡ଼ିଥିବା ଶିଶୁଟି ବଦଳୁନାହାନ୍ତି । ଅନେକ କ୍ଷେତ୍ରରେ ଏହି କଅଁଳା ଶିଶୁମାନଙ୍କୁ କ’ଣ ଖାଇବାକୁ ଦିଆଯାଉଛି କେଜାଣି ସେମାନେ ନିସ୍ତେଜ ହୋଇ କାନ୍ଧରେ ପଡ଼ି ରହୁଛନ୍ତି । ଖରା, କାକର, ବର୍ଷା ସତ୍ତ୍ୱେ ଭିକମଗା ଛକମାନଙ୍କରେ ସେମାନଙ୍କର କାନ୍ଦ ପ୍ରାୟ ଶୁଭେ ନାହିଁ । ଅର୍ଥ ଉପାର୍ଜନ ପାଇଁ ଏହି ଶିଶୁମାନଙ୍କୁ କେଉଁମାନେ ଯୋଗାଉଛନ୍ତି ଓ ସେମାନଙ୍କୁ କେଉଁଠାରୁ ସଂଗ୍ରହ କରାଯାଉଛି ତାହାର ହିସାବ ବି କାହା ପାଖରେ ନାହିଁ ବୋଲି ଶିଶୁ ଅଧିକାର ସୁରକ୍ଷା ସହ ଜଡ଼ିତ ସ୍ୱେଚ୍ଛାସେବୀମାନେ କ୍ଷୋଭର ସହ କହୁଛନ୍ତି ।

ଆଉ କିଛି ଲୋକ ୪/୫ ବର୍ଷ ଶିଶୁମାନଙ୍କୁ ଭିକ ମାଗିବା ପାଇଁ ତାଲିମ୍‍ ଦେଇ ବି ରାଜଧାନୀର ବ୍ୟସ୍ତବହୁଳ ଛକଗୁଡ଼ିକରେ ନିୟୋଜିତ କରୁଥିବା ଦେଖିବାକୁ ମିଳୁଛି । ଏବେ ଭିକମାଗିବାର ଆଉ ଏକ ନୂଆ ତରିକା ବାହାରିଛି । ଛୋଟ ଛୋଟ ପିଲାଙ୍କ ଶସ୍ତା ବଲ୍‍ପେନ୍‍ମାନ ଧରାଇ ଦେଇ ପିଲାମାନଙ୍କୁ ନିଜ ନିଜ ମୁହଁ ଓ ପାଟିରେ ହାତମରି ଭୋକର ଜ୍ୱାଳ ମେଣ୍ଟାଇବା ପାଇଁ ଅର୍ଥ ଦେବାକୁ ନିବେଦନ କରାଯାଉଛି ।

ରାଜଧାନୀର କେତେକ ଜଣାଶୁଣା ପାର୍କ ଅଞ୍ଚଳରେ ଛୋଟ ଛୋଟ ଶିଶୁମାନଙ୍କୁ ବି ଯୌନ ଶୋଷଣ କାମରେ ନିୟୋଜନ କରାଯାଉଥିବା ଘେନି ବାରମ୍ବାର ଗୁରୁତର ଅଭିଯୋଗମାନ ଆସୁଥିବା ଜଣାଯାଇଛି । ଏହାଛଡ଼ା ସେମାନଙ୍କ ମାଧ୍ୟମରେ ବି କେତେକ ସ୍ଥଳରେ ନିଶା କାରବାର କରାଯାଉଥିବା ବିଭିନ୍ନ ବସ୍ତିରେ ଶିଶୁମାନଙ୍କ ଉପରେ କାମ କଯରୁଥିବା ସ୍ୱେଚ୍ଛାସେବୀମାନେ କହୁଛନ୍ତି । ଗୋଟିଏ ପଟେ ଦିନକୁ ହାରାହାରି ୧୨ ଜଣ ଶିଶୁ ଆମ ରାଜ୍ୟରେ ନିଖୋଜ ହେଉଥିବା ଘେନି ଜାତୀୟ କ୍ରାଇମ୍‍ ରେକର୍ଡ ବ୍ୟୁରୋ ତଥ୍ୟରୁ ଜଣାପଡ଼ୁଥିବା ବେଳେ ଉଦ୍ଧାର ହେଉଥିବା ଶିଶୁମାନଙ୍କ ହାର କିନ୍ତୁ ଅତ୍ୟନ୍ତ ନୈରାଶ୍ୟଜନକ ।

ସବୁଠାର ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେଉଁ ବୟସ୍କ ଲୋକମାନେ କଅଁଳା ଓ ଶିଶୁମାନଙ୍କୁ ଧରି ଟ୍ରାଫିକ୍‍ ଛକଗୁଡ଼ିକରେ ଅର୍ଥ ଉପାର୍ଜନର ବ୍ୟବସାୟ କରୁଛନ୍ତି ସେମାନେ ପ୍ରାୟତଃ ଦାତାମାନଙ୍କୁ ପଇସା ନ ମାଗି କେବଳ ସାଙ୍କେତିକ ଭାବେ କଥା କହିଥାନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କୁ ରାଜ୍ୟ ବାହାରୁ ଅଣାଯାଇ ଏହି ବୃତ୍ତିରେ ଲଗାଯାଉଥିବା ସନ୍ଦେହ କରାଯାଉଛି । ଏହି ସମସ୍ୟାର ମୂଳ ଖୋଜିଲେ ବଡ଼ ବଡ଼ ର‌୍ୟାକେଟ୍‍ ଧରାପଡ଼ିପାରେ ବୋଲି ଶିଶୁ ଅଧିକାର ସୁରକ୍ଷା କର୍ମୀମାନେ ମତବ୍ୟକ୍ତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here