Home General ରାଜଧାନୀରେ ଅସମ୍ଭାଳ ଭିଡ

ରାଜଧାନୀରେ ଅସମ୍ଭାଳ ଭିଡ

ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବୁଧବାରଠାରୁ ୧୪ ଦିନିଆ ଲକ୍‍ଡାଉନ୍‍ ଘୋଷଣା କରିଥିବା ପରିପ୍ରେକ୍ଷୀରେ ଆଜି ରାଜଧାନୀ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବ୍ୟାଙ୍କ ଏଟିଏମ୍‍ଠାରୁ ଆରମ୍ଭ କରି ତେଜରାତି ଦୋକାନ ଓ ହାଟ ବଜାର ପର୍ଯ୍ୟନ୍ତ ବ୍ୟାପକ ଗହଳି ଲକ୍ଷ୍ୟ କରାଯାଇଛି । ଆତଙ୍କିତ ନ ହେବା ପାଇଁ ମୁଖ୍ୟ ଶାସନ ସଚିବ ନିବେଦନ କରିଥିବା ସତ୍ତ୍ୱେ ଅର୍ଥ ଓ ସାମଗ୍ରୀ ସଂଗ୍ରହ ପାଇଁ ଏଭଳି ଗହଳି ହୋଇଛି ।

ଏଥର ଲକ୍‍ଡାଉନ୍‍ ସମୟରେ ସକାଳ ବେଳା ତେଜରାତିଠାରୁ ଆରମ୍ଭ କରି ପନିପରିବା ଆଦି ଦୋକାନ ଖୋଲା ରହିବ ଏବଂ ଗହଳି ନ କରି ଲୋକେ ଦୂରତା ରକ୍ଷା ସହ ସାମଗ୍ରୀ ସଂଗ୍ରହ କରିପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏମିତିକି ରାଜଧାନୀରେ ଲୋକଙ୍କ ହାତ ପାଆନ୍ତାରେ ପନିପରିବା ଆଦି ମିଳିବାର ବ୍ୟବସ୍ଥା କରାଯାଉଥିବା ବେଳେ ଔଷଧ ଦୋକାନ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସେବା ଖୋଲା ରହିବ ବୋଲି ମଧ୍ୟ ସରକାର ପ୍ରଚାର କରାଇଛନ୍ତି । ଏସବୁ ସତ୍ତ୍ୱେ ଆତଙ୍କିତ ଲୋକେ ଆଜି ହାଟ ବଜାରରୁ ସାମଗ୍ରୀ ବୋହି ନେଉଥିବାର ଦେଖାଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ଦୁଇଦିନିଆ ସପ୍ତାହାନ୍ତ ସଟ୍‍ଡାଉନ୍‍ ଶେଷରେ ୧୪ ଦିନିଆ ଲକ୍‍ଡାଉନ୍‍ ଘୋଷଣା କରାଯାଇଛି ଏବଂ ଏହି ସମୟ ମଧ୍ୟରେ ଶନିବାର ଓ ରବିବାରରେ ସଟ୍‍ଡାଉନ୍‍ ବଳବତ୍ତର ରହିବ ବୋଲି କୁହାଯାଇଛି । ଦୁଇଦିନର ସଟ୍‍ଡାଉନ୍‍ ପରେ ଆଜି ସେମିତି କିଛି କଡ଼ା କଟକଣା ନ ଥିଲେ ବି ବ୍ୟାଙ୍କ ଏଟିଏମ୍‍ଗୁଡ଼ିକ ଆଗରେ ଲମ୍ବା ଧାଡ଼ି ପରିଲକ୍ଷିତ ହୋଇଛି । ଅନେକ ସ୍ଥାନରେ ଏଟିଏମ୍‍ ଧିମା ଗତିରେ ଚାଲିବା ଓ ସ୍ଥଳବିଶେଷରେ ଅଚଳ ହୋଇଯିବା ଏବଂ ଅର୍ଥ ସରିଯିବା ଯୋଗୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ଲକ୍‍ଡାଉନ୍‍ ସମୟରେ ଏଟିଏମ୍‍ ସବୁ ଖୋଲା ରହିବ । ଏହାଛଡ଼ା ବ୍ୟାଙ୍କ କାରବାର ବି ଚାଲିବ । ଏସବୁ ସତ୍ତ୍ୱେ ୪୦ ଡିଗ୍ରୀ ପାଖାପାଖି ଉତ୍ତାପରେ ବହୁ ଏଟିଏମ୍‍ ସାମ୍ନାରେ ଲୋକେ ଘଣ୍ଟା ଘଣ୍ଟାଧରି ପ୍ରବଳ ଖରାରେ ଧାଡ଼ିବାନ୍ଧି ଛିଡ଼ାହୋଇ ରହୁଥିଲେ ଓ ଗୋଟିଏ ଏଟିଏମ୍‍ରୁ ଅନ୍ୟ ଏଟିଏମ୍‍କୁ ଦୌଡ଼ୁଥିଲେ । ଏହାଛଡ଼ା ପେଟ୍ରୋଲ ଟାଙ୍କିିଗୁଡ଼ିକରେ ବି ଅପେକ୍ଷାକୃତ ଅଧିକା ଭିଡ଼ ଆଜି ପରିଲକ୍ଷିତ ହୋଇଛି । ଲକ୍‍ଡାଉନ୍‍ ସମୟରେ ପେଟ୍ରୋଲ ଟାଙ୍କି ଖୋଲା ରହିବ ବୋଲି କୁହାଯାଇଥିବା ସତ୍ତ୍ୱେ ଲୋକେ କିନ୍ତୁ ଛାନିଆରେ ପେଟ୍ରୋଲ ଟାଙ୍କିଗୁଡ଼ିକରେ ବି ଭିଡ଼ ଜମାଇଛନ୍ତି ।

ରାଜଧାନୀର ବଡ଼ ବଡ଼ ହାଟଗୁଡ଼ିକୁ ଭିନ୍ନ ଭିନ୍ନ ଖୋଲା ସ୍ଥାନଗୁଡ଼ିକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି । ଆଜି ସକାଳୁ ସଞ୍ଜ ପର୍ଯ୍ୟନ୍ତ ଏହି ଅସ୍ଥାୟୀ ହାଟଗୁଡ଼ିକରେ ପନିପରିବା, ମାଛ, ମାଂସ, ଅଣ୍ଡା ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ ପାଇଁ ବି ଢେର୍‍ ଭିଡ଼ ଲକ୍ଷ୍ୟ କରାଯାଇଛି ।

ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜ୍ୟରେ ପ୍ରଚୁର ପରିମାଣର ଖାଉଟି ସାମଗ୍ରୀ ଉପଲବ୍ଧ ଥିବା ଏବଂ ଲକ୍‍ଡାଉନ୍‍ ବେଳେ ସୀମତ ସମୟ ପାଇଁ ଦୋକାନ ବଜାର ଖୋଲା ରହୁଥିବାରୁ ଜୀବନକୁ ବାଜି ଲଗାଇ ଲୋକେ ଅଯଥା ଭିଡ଼ କରିବା ଅନୁଚିତ । ଅତ୍ୟଧିକ ସାମଗ୍ରୀ କ୍ରୟ କରାଯିବା ଫଳରେ କୃତ୍ରିମ ଅଭାବ ସୃଷ୍ଟି କରି ଅସାଧୁ ବ୍ୟବସାୟୀମାନେ ଫାଇଦା ନେବାର ଆଶଙ୍କା ଥିବାରୁ ପ୍ରତିକାର ପାଇଁ ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ଦ୍ୱିତୀୟ ଲହର କରୋନା ସଂକ୍ରମଣ ଏବେ ଆମ ଦେଶରେ ଭୟଙ୍କର ସ୍ଥିତିରେ ଥିବା ବେଳେ ତୁଳନାତ୍ମକ ଭାବେ ଓଡ଼ିଶାର ସ୍ଥିତି ଢେର୍‍ ଭଲ ରହିଛି । କୋଭିଡ୍‍ ଟିକା ପାଇଁ ବି ରାଜଧାନୀର ବିଭିନ୍ନ କେନ୍ଦ୍ରରେ ଅପେକ୍ଷାକୃତ ଅଧିକ ଗହଳି ମଧ୍ୟ ପରିଲକ୍ଷିତ ହେଉଛି । ଏ ପରିପ୍ରେକ୍ଷୀରେ ଗତବର୍ଷ ଭଳି କୋଭିଡ୍‍ ମାର୍ଗନିର୍ଦ୍ଦେଶିକାର କଡ଼ା ଅନୁପାଳନ ଉପରେ ବିଭିନ୍ନ ମହଲ ଗୁରୁତ୍ୱାରୋପ କରୁଛନ୍ତି ।(ତଥ୍ୟ)