Home Covid ରାଜଧାନୀରୁ ଆଜି ୧୩୨୧ ସଂକ୍ରମିତ ଚିହ୍ନଟ

ରାଜଧାନୀରୁ ଆଜି ୧୩୨୧ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଅଞ୍ଚଳରୁ ଆଜି ରେକର୍ଡ ସଂଖ୍ୟକ ୧୩୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବିଏମ୍‍ସି ଅଞ୍ଚଳରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୮ହଜାର ଟପିଯାଇଛି ।

ଗତ ସପ୍ତାହେ ହେଲା ଲଗାତାର ଭାବେ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଚଳିତ ମାସ ୧୧ତାରିଖରେ ବିଏମ୍‍ସି ଅଞ୍ଚଳରେ ୭୧୦ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୧୩ ତାରିଖରେ ଏହା ହଜାରେ ଅତିକ୍ରମ କରିଯାଇଥିଲା ।

ରାଜଧାନୀରେ ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ କରୋନା ନିୟମକୁ ଲୋକେ ମାନୁ ନାହାନ୍ତି କହିଲେ ଚଳେ । ହାଟ ବଜାରରେ ପୂର୍ବଭଳି ଲୋକ ଗହଳି ହେଉଥିବାବେଳେ ଅଧିକାଂଶ ମୁହଁରେ ମାସ୍କ ପିନ୍ଧୁ ନାହାନ୍ତି । ଯିଏ ବି ମୁହଁରେ ମାସ୍କ ବାନ୍ଧୁଛନ୍ତି ସେମାନଙ୍କ ମଧ୍ୟରୁ ଅନେକ କେବଳ ପୁଲିସ୍‍ ଆକ୍ରୋଷରୁ ବଞ୍ଚିବା ଲାଗି ନାକ ତଳକୁ ଝୁଲାଇ ଦେଉଛନ୍ତି ।

କରୋନା କଟକଣା ପାଇଁ ବଡ ବଡ ମଲ୍‍କୁ ସତର୍କ କରାଯାଇଥିବାବେଳେ ସେଠାରେ ବି ଲୋକେ ଗହଳି କରୁଛନ୍ତି । ବ୍ୟବସାୟୀମାନେ ଧର୍ମକୁ ଆଖିଠାର ମାରିବା ଭଳି ଦୋକାନ ସାମ୍ନାରେ ‘ବିନା ମାସ୍କରେ ପ୍ରବେଶ ନିଷେଧ’ ଲେଖିବା ସହିତ ସାନିଟାଇଜର ବୋତଲଟିଏ ରଖିଦେଇ କାମ ସାରିଦେଉଛନ୍ତି ।

ଅନ୍ୟ ପକ୍ଷରେ ସହରର ବିଭିନ୍ନ ଡାକ୍ତରଖାନା ଓ ଟିକାଦାନ କେନ୍ଦ୍ରରେ ଜନଗହଳି ଦେଖିବାକୁ ମିଳୁଛି । କ୍ୟାପିଟାଲ ହସ୍ପିଟାଲରେ ଏକାଧିକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ଲୋକେ ସେଠାରେ କରୋନା କଟକଣା ନିୟମକୁ କଡାକଡି ଭାବେ ପାଳନ କରୁନାହାନ୍ତି ।

ସେହିଭଳି ରାଜ୍ୟ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଅବଧିକୁ ୯ଟା କୁ ହ୍ରାସ କରିଥିଲେ ମଧ୍ୟ ତାହା କେବଳ ଧର୍ମକୁ ଆଖିଠାର ମହିଳା ହୋଇଛି । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ପୂର୍ବଭଳି ରାସ୍ତାରେ ଗାଡିମୋଟର ଚଳାଚଳ କରୁଥିବାବେଳେ ପୁଲିସ୍‍ ପ୍ରଶାସନର ଦେଖା ଦର୍ଶନ ନାହିଁ ।

ସରକାରଙ୍କ ବାରମ୍ବାର ତାଗିଦା ସତ୍ୱେ ଶିକ୍ଷିତ ସହର ରାଜଧାନୀରେ ଲୋକେ ଅମାନିଆ ହେବା ସହିତ ଯେଭଳି କରୋନା ସଂକ୍ରମଣ ମାଡି ଚାଲିଛି ତାହା ଜାରି ରହିଲେ ଜାନୁଆରୀ ଶେଷବେଳକୁ ରାଜଧାନୀରୁ ଦୈନିକ ୫ହଜାରରୁ ଅଧିକ ସଂକ୍ରମିତ ବାହାରିବେ ବୋଲି ଆକଳନ କରାଯାଉଛି ।

ଅନ୍ୟ ପକ୍ଷରେ ଗତକାଲିର ହିସାବ ଅନୁଯାୟୀ ରାଜ୍ୟରେ ଗୋଟିଏ ଦିନରେ ୧୧ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦ହଜାର ନିକଟତର ହୋଇଛି ।