Home Health ରାଜଧାନୀବାସୀ କଲ ବଲ

ରାଜଧାନୀବାସୀ କଲ ବଲ

ଭୁବନେଶ୍ୱର : ମଶା କାମୁଡାରେ ଏବେ ରାଜଧାନୀବାସୀ କଲ ବଲ । ମଶାଙ୍କ ସାନ୍ଧ୍ରତା ୮୦ ଟପିଥିବାବେଳେ ଏମାନଙ୍କୁ ଘଉଡାଇବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ପାଖରେ ଆବଶ୍ୟକ ଟିଫା ମେସିନ କି କର୍ମଚାରୀ ନାହାନ୍ତି ।

ସହରରେ ୬୭ଟି ୱାର୍ଡରେ ୧୦ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବାବେଳେ ଏଠାରେ ମଶାବଂଶ ନିୟନ୍ତ୍ରଣ ପାଇଁ ବିଏମ୍‍ସି ପାଖରେ ମାତ୍ର ୭ଟି ଟିଫା ମେସିନ ରହିଛି । ଏଥି ମଧ୍ୟରୁ ୨ଟି ବଡ ଓ ୫ଟି ଛୋଟ । ଏହା ଜରିଆରେ ସମଗ୍ର ବିଏମ୍‍ସି ଅଞ୍ଚଳରେ ମଶାଧୂଆଁ ଛାଡିବା ଏକ ପ୍ରକାର ଅସମ୍ଭବ । ତେଣୁ ସହରରେ ଏବେ ମଶାମାନେ ରାଜୁତି ଆରମ୍ଭ କରିଦେଇଛନ୍ତି । ବିଶେଷକରି ଅଦିନିଆ ବର୍ଷା ପରେ ମଶାଙ୍କ ସଂଖ୍ୟା ଆହୁରି ବଢିଯାଇଛି ।

ସେହିଭଳି ମଶା ନିୟନ୍ତ୍ରଣ ବିଶେଷକରି ମଶା ତେଲ ସିଞ୍ଚନ ପାଇଁ ବିଏମ୍‍ସି ପାଖରେ ୨୧୦ଜଣ କର୍ମଚାରୀ ରହିଛନ୍ତି । ଏମାନଙ୍କ ସଂଖ୍ୟା ୱାର୍ଡ ପିଛା ହାରାହାରି ୩ଜଣ କରି ରହିଛି । ଅଧିକାଂଶ କର୍ମଚାରୀ ଠିକା ଭିତ୍ତିକ ହୋଇଥିବାରୁ ନିୟମିତ ଭାବେ ଏମାନେ କାର୍ଯ୍ୟ କରିନଥାନ୍ତି । ତେଣୁ ଏହି କର୍ମଚାରୀଙ୍କ ଦ୍ୱାରା ମଶା ନିୟନ୍ତ୍ରଣ କାର୍ଯ୍ୟ ନାହିଁ କହିଲେ ଚଳେ ।

ରାଜଧାନୀରେ ଏବେ ମଶାଙ୍କ ଦୌରାମ୍ୟ ଏଭଳି ବଢିଯାଇଛି ଯେ ସଂଧ୍ୟା ସମୟ ତ ଦୂରରକଥା ଦିନ ବେଳା ବି କାମୁଡି ପକାଉଛନ୍ତି । ବିଭିନ୍ନ ସ୍ଥାନରେ ଗଦା ହେଉଥିବା ଆବର୍ଜନା ଓ ଖୋଲା ଡ୍ରେନ ମଶାବଂଶ ବୃଦ୍ଧିର ମାଧ୍ୟମ ସାଜିଛି । ଖୋଲାରେ ପଡୁଥିବା ଅଳିଆକୁ ବିଏମ୍‍ସି ପ୍ରତିଦିନ ଉଠାଉଥିବାବେଳେ ବିଭିନ୍ନ ବସ୍ତି ଅଞ୍ଚଳରେ ଜମୁଥିବା ପାଣି ଓ ଖୋଲା ନାଳ ମଶାଙ୍କ ବଂଶ ବୃଦ୍ଧିରେ ସହାୟକ ହେଉଛି । ନାଳ ନର୍ଦ୍ଦମାରେ ମଶା ବଂଶ ନିୟନ୍ତ୍ରଣ ପାଇଁ ବିଏମ୍‍ସିର ଗମ୍ବୁସିଆ ମାଛ ଯୋଜନା ବି ଏବେ ଶୀତଳ ଭଣ୍ଡାରରେ ।

ମଶା ବଂଶ ନିୟନ୍ତ୍ରଣ ପାଇଁ ପୂର୍ବରୁ ଯେଭଳି ସହରରେ ନିୟମିତ ଭାବେ ମଶାଧୂଆଁ ଛଡା ଯାଉଥିଲା ଓ କର୍ମଚାରୀମାନେ ଯାଇ ମଶାଲାର୍ଭାକୁ ନଷ୍ଟ କରୁଥିବା ତେଲ ପକାଉଥିଲେ ତାହା ଆଉ ଦେଖିବାକୁ ମିଳୁନାହିଁ । ମଝିରେ ମଝିରେ କାଁ ଭାଁ ଭିଆଇପି ଓ ଭିଭିଆଇପି ଅଞ୍ଚଳରେ ମଶାଧୂଆଁ ଛାଡି କର୍ତ୍ତୃପକ୍ଷ କାମ ସାରିଦେଉଛନ୍ତି । ଫଳରେ ସହରବାସୀ ଏବେ ମଶା କାମୁଡାରେ କଲବଲ ହେବାରେ ଲାଗିଛନ୍ତି । ଏଥିଯୋଗୁଁ ଏବେ ରାଜଧାନୀରେ ମଶା ଦାଉରୁ ରକ୍ଷା ପାଇବାପାଇଁ ଲୋକେ ବିଭିନ୍ନ ପ୍ରକାର ଅଗରବତୀ ଓ ତୈଳ ଖରିଦ କରିବାରେ ଲାଗିଛନ୍ତି । (ତଥ୍ୟ)