Home News in Odia ରାଉରକେଲା ହକି ଷ୍ଟାଡିୟମ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ

ରାଉରକେଲା ହକି ଷ୍ଟାଡିୟମ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ

ରାଉରକେଲା: ଶ୍ରୀପଞ୍ଚମୀର ପବିତ୍ର ତିଥିରେ ୨୦୨୩ ପୁରୁଷ ବିଶ୍ୱକପ୍ ହକି ପାଇଁ ପ୍ରସ୍ତୁତିର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିନିକିଆ ସୁନ୍ଦରଗଡ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୫ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ରାଉରକେଲାଠାରେ ୨୦୨୩ ପୁରୁଷ ବିଶ୍ୱକପ୍ ହକି ଆୟୋଜନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅନ୍ତର୍ଜାତୀୟ ମାନର ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି । ଏହି ନୂତନ ଷ୍ଟାଡିୟମ ବିଶିଷ୍ଟ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରାଗଲା ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ଷ୍ଟାଡିୟମ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମ ହେବ । ଏହି ଷ୍ଟାଡିୟମ ଯୁବ ସମାଜ ମଧ୍ୟରେ ପ୍ରେରଣା ସୃଷ୍ଟି କରିବା ସହିତ ବଡ ବଡ ସ୍ୱପ୍ନ ଦେଖିବା ଓ ବଡ ବଡ କାମ କରିବା ପାଇଁ ଉତ୍ସାହ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଉରକେଲା ସହିତ ବିଜୁବାବୁଙ୍କର ସମ୍ପର୍କ ବିଷୟରେ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଉରକେଲାର ଷ୍ଟିଲ ପ୍ଲାଣ୍ଟଠାରୁ ଆରମ୍ଭ କରି ନିଟ୍‍ ପର୍ଯ୍ୟନ୍ତ ସବୁଥିରେ ବିଜୁବାବୁଙ୍କ ସ୍ମୃତି ଭରି ରହିଛି । ରାଉରକେଲାକୁ ଆଶାର ସହର ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେବଳ ଓଡିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନେ ମଧ୍ୟ ଜୀବିକା ପାଇଁ ରାଉରକେଲାକୁ ଆସିଥାନ୍ତି । ସୁନ୍ଦରଗଡ ଜିଲ୍ଲାର ମିଶନ ଶକ୍ତିର ମା’ମାନଙ୍କୁ ସେମାନଙ୍କର ବିକାଶ କାମରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ବାଲିଶଙ୍କରାର ଜୟନ୍ତୀ ଏକ୍କା କିପରି ଭୁବନେଶ୍ୱରର ମେକ୍ ଇନ୍ ଓଡିଶା କନକ୍ଲେଭରେ ତାଙ୍କର ଉଦ୍ୟୋଗ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ସେ ବିଷୟ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଜୟନ୍ତୀଙ୍କ ନେତୃତ୍ୱର ଉଚ୍ଚପ୍ରଶଂସା କରିଥିଲେ ।

ଜନଜାତିର ପିଲାମାନଙ୍କ ଶିକ୍ଷା ସୁବିଧା ସହିତ ଜନଜାତି ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ମୁଣ୍ଡାରି ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପୁଣି ଥରେ ଦାବି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୦ ମସିହାରେ ରାଜ୍ୟର ଯୋଜନା ବଜେଟ ମାତ୍ର ୨୮୦୦ କୋଟି ଥିବାବେଳେ, ଆଜି କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ୫ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ରୂପାନ୍ତର ତଥା ବିକାଶର ନମୂନା ଭାବେ ବର୍ଣ୍ଣନା କରିବା ସହିତ ବିକାଶର ଏହି ଧାରାକୁ ଜାରି ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ, ସାଂସଦ ଓ ବିଧାୟକ ଯୋଗ ଦେଇଥିବା ବେଳେ ବିଶିଷ୍ଟ ହକି ତାରକା ଦିଲ୍ଲୀପ ତୀର୍କୀ ଧନ୍ୟବାଦ ଦେଇଥିଲେ ।