Home News in Odia ରବିବାର ନୂଆ ମନ୍ତ୍ରୀମଣ୍ଡଳ

ରବିବାର ନୂଆ ମନ୍ତ୍ରୀମଣ୍ଡଳ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପଞ୍ଚମ ପାଳି ଶାସନରେ ଆସନ୍ତା କାଲି (ରବିବାର) ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ରାଜ୍ୟର ସମସ୍ତ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିଥିବାବେଳେ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାକୁ ଥିବା ବିଧାୟକଙ୍କ ମାନଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ଆଜି ସଂଧ୍ୟାରେ ଫୋନ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ରବିବାର ଦିନ ଲୋକସେବା ଭବନର କନଭେନସନ ହଲରେ ପୂର୍ବାହ୍ନ ୧୧.୪୫ରେ ନୂଆ ମନ୍ତ୍ରୀମାନେ ଶପଥଗ୍ରହଣ କରିବେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇବେ । ଏହି ଶପଥଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ।

ତେବେ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାକୁ ଯେଉଁ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ଫୋନ୍‍ କରିଥିବା ନେଇ ସୂଚନା ମିଳୁଛି ସେମାନଙ୍କ ମଧ୍ୟରେ ରହିଛନ୍ତି ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଆଳି ବିଧାୟକ ପ୍ରତାପ ଦେବ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଟିଟିଲାଗଡ ବିଧାୟକ ଟୁକୁନି ସାହୁ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲିକ, ରେଢାଖୋଲ ବିଦାୟକ ରୋହିତ ପୂଜାରୀ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ନିମାପଡା ବିଧାୟକ ସମୀର ଦାସ. ଝାରସୁଗୁଡା ବିଧାୟକ ନବ ଦାସ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଚିକିଟି ବିଧାୟିକା ଉଷା ଦେବୀ, ବିଜେପୁର ବିଧାୟିକା ରୀତା ସାହୁ, ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇ, ବିଧାୟକ ନିରଞ୍ଜନ ପୂଜାରୀ, ପ୍ରଫୁଲ ମଲ୍ଲିକ, କାକଟପୁର ବିଦାୟକ ତୁଷାରକାନ୍ତି ବେହେରା, କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମ ଓ ବିଧାୟକ ଜଗନ୍ନାଥ ସାରକା ପ୍ରମୁଖ । ସମ୍ଭାବ୍ୟ ମନ୍ତ୍ରୀଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ୧୩ଜଣଙ୍କୁ କ୍ୟାବିନେଟ୍‍ ଓ ୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେବେବୋଲି ସୂଚନା ମିଳୁଛି ।

ତେବେ ଗଠନ ହେବାକୁ ଥିବା ନୂତନ ମନ୍ତ୍ରୀମଣ୍ଡଳରେ ଟୁକୁନି ସାହୁ, ସମୀର ଦାସ, ନବ ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ଚନ୍ଦ୍ରପ ପଣ୍ଡା, ନିରଞ୍ଜନ ପୂଜାରୀ ଓ ପ୍ରଫୁଲ ମଲ୍ଲିକ ସେମାନଙ୍କ ମନ୍ତ୍ରୀପଦ ବଜାୟ ରଖିଛନ୍ତି । ସେହିଭଳି ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଦୀପ ଅମାତ ପ୍ରମୁଖ ମନ୍ତ୍ରୀମଣ୍ଡଳକୁ ଫେରିଛନ୍ତି । ଭଞ୍ଜନଗର ବିଧାୟକ ତଥା ପୂର୍ବତନ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାର ବାଚସ୍ପତି ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳୁଛି । ସେହିଭଳି ଜଗତ୍‍ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ସରକାରୀ ଦଳର ମୁଖ୍ୟ ସଚେତକ ଓ ବିଧାୟକ ସରୋଜ ମେହେର ଉପମୁଖ୍ୟ ସଚେତକ ହେବାର ଅଛି ।

ନୂଆ ମୁହଁ ଭାବେ ପ୍ରଶାନ୍ତ ମୁଦୁଲି, ରୋହିତ ପୂଜାରୀ, ଶ୍ରୀକାନ୍ତ ସାହୁ, ରୀତା ସାହୁ ଓ ପ୍ରୀତି ରଞ୍ଜନ ଘଡାଇ ପ୍ରମୁଖ ସ୍ଥାନ ପାଇବାକୁ ଯାଉଛନ୍ତି । ପ୍ରମିଳା ମଲ୍ଲିକ ଓ ରୋହିତ ପୂଜାରୀ ବର୍ତ୍ତମାନ ସରକାରରେ ବିଧାନସଭାରେ ଶାସକଦଳର ଯଥାକ୍ରମେ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

ଆଗାମୀ କାଲି ଶପଥଗ୍ରହଣ ପରେ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିବ ତାହାକୁ ନେଇ ବି ଆଲୋଚନା ଆରମ୍ଭ ହୋଇଛି ।