Home General ରକ୍ଷକ ଯୋଜନାରେ ୪୦ଲକ୍ଷ ଖର୍ଚ୍ଚ

ରକ୍ଷକ ଯୋଜନାରେ ୪୦ଲକ୍ଷ ଖର୍ଚ୍ଚ

ଭୁବନେଶ୍ୱର : ରକ୍ଷକ ଯୋଜନାରେ ୮ ମାସ ମଧ୍ୟରେ ୪୦ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ ହେଲାଣି । ଏହି ଅର୍ଥରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କୁ ବଞ୍ଚାଇବା ଲାଗି ବିଭିନ୍ନ ବର୍ଗର ଲୋକଙ୍କୁ ତାଲିମ ଦିଆଯାଇଛି ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରକ୍ଷକ ଯୋଜନା ୨୦୨୧ ନଭେମ୍ବର ୧୦ ତାରିଖରେ ଆରମ୍ଭ ହୋଇଥିଲା । ଦୁର୍ଘଟଣାରେ ଆହତ ବ୍ୟକ୍ତିମାନେ ଯେଭଳି ଘଣ୍ଟାଏ ମଧ୍ୟରେ ଉପଯୁକ୍ତ ପ୍ରାଥମିକ ଚିକିତ୍ସା ପାଇବେ ସେଥିପାଇଁ ପାନ ଦୋକାନୀ, ହୋଟେଲ କର୍ମଚାରୀ, ଉଠାଦୋକାନୀ ଇତ୍ୟାଦିଙ୍କୁ ଉପଯୁକ୍ତ ତାଲିମ ଯୋଗାଇ ଦେବା ରକ୍ଷକ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଗତ ୩ ବର୍ଷରେ ରାଜ୍ୟରେ ମୋଟ ୩୧,୮୬୫ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୧୫,୧୫୨ଜଣ ମୃତ୍ୟୁବରଣ କରିଛନ୍ତି ଓ ୨୯,୭୭୭ ଜଣ ଆହତ ହୋଇଛନ୍ତି । ତେବେ ୨୦୨୦ ତୁଳନାରେ ୨୦୨୧ ବର୍ଷରେ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ଓ ଆହତଙ୍କ ସଂଖ୍ୟା ଅଧିକ ରହିଛି । ୨୦୨୦ରେ ୯୮୧୭ଟି ଦୁର୍ଘଟଣା ଘଟି ୪୭୩୮ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦୨୧ରେ ୧୦,୯୮୪ଟି ଦୁର୍ଘଟଣାରେ ୫୦୮୧ ଜଣ ମୃତ୍ୟୁ ବରଣ କରିଥିବା ରେକର୍ଡ ହୋଇଛି ।

ସେହିଭଳି ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଥିବା ପରିବାରଗୁଡିକ ପାଇଁ ସୋଲାଟିୟମ ପାଣ୍ଠି ମାଧ୍ୟମରେ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି । ଏହି ପାଣ୍ଠିରୁ ମୃତ ବ୍ୟକ୍ତିଙ୍କୁ ପରିବାରକୁ ୨ ଲକ୍ଷ ଓ ଗୁରୁତର ଆହତଙ୍କ ଲାଗି ୫୦ ହଜାର ଟଙ୍କା ଦେବାର ବ୍ୟବସ୍ଥା ହୋଇଛି । ଏହି ପାଣ୍ଠିରୁ ସର୍ବାଧିକ ୫୮ଲକ୍ଷ ଟଙ୍କା ଖୋର୍ଦ୍ଧା ଜିଲ୍ଲାରେ ଦିଆଯାଇଥିବା ବେଳେ ଝାରସୁଗୁଡା ଜିଲ୍ଲାରେ ୫୦ଲକ୍ଷ ୫୦ ହଜାର ଟଙ୍କା, ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାରେ ୩୦ଲକ୍ଷ, ବରଗଡ ଜିଲ୍ଲାରେ ୩୨ଲକ୍ଷ ୫୦ ହଜାର, କେନ୍ଦ୍ରାପଡା ଜିଲ୍ଲାରେ ୨୯ଲକ୍ଷ ୫୦ ହଜାର, ସମ୍ବଲପୁରରେ ୨୬ଲକ୍ଷ ୫୦ ହଜାର ଓ ବଲାଙ୍ଗୀର ଜିଲ୍ଲାରେ ୨୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି । (ତଥ)