Home General ରକ୍ତଦାନରେ ବିରଳ ରେକର୍ଡ

ରକ୍ତଦାନରେ ବିରଳ ରେକର୍ଡ

ଭୁବନେଶ୍ୱର : ରକ୍ତଦାନ କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଆର୍ନ୍ତଜାତୀୟ ହ୍ୱିଲ ଚେୟାର କ୍ରିକେଟ ଖେଳାଳୀ ବସନ୍ତ ନିମ୍‍ ଶ୍ରିଷ୍ଠ । ଚାଲିବାର ଶକ୍ତି ହରାଇଥିବା ରାଜଗାଙ୍ଗପୁରର ଏହି ଯୁବକ ହ୍ୱିଲଚେୟାରରେ ବସି ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ରାଜଗାଙ୍ଗପୁରରେ ଓଡିଶା ମୋ ପରିବାରର-ଜୀବନବିନ୍ଦୁ ପକ୍ଷରୁ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ସାମାଜିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବସନ୍ତ । ଶିବିରକୁ ଉଦ୍‍ଘାଟନ କରି ନିଜେ ଆଗ ରକ୍ତଦାନ କରିବାକୁ ଆଗଭର ହୋଇଥିଲେ ଓ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ ।

ବସନ୍ତଙ୍କ ନିଷ୍ଠାପରତା ଓ ସେବା ମନୋବୃତ୍ତି ସେଠାରେ ଉପସ୍ଥିତ ଲୋକଙ୍କୁ ଚକିତ କରିଥିଲା । ବସନ୍ତଙ୍କ ଉଦ୍ୟମ ଯୋଗୁଁ ରେକର୍ଡ ୧୦୮ ୟୁନିଟ୍‍ ରକ୍ତ ସଂଗ୍ରହ ସହିତ କାର୍ଯ୍ୟକ୍ରମକୁ ବେଶ୍‍ ସଫଳତା ମିଳିଥିଲା ।

ବସନ୍ତଙ୍କ ପ୍ରତି ଏବେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟିଛି । ସମାଜ ପ୍ରତି ଅଙ୍ଗିକାରବଦ୍ଧ ଥିଲେ କେହି ତାକୁ ଅଟକାଇ ପାରିବେ ନାହିଁ, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବସନ୍ତ ନିମ୍‍୍‍ ଶ୍ରିଷ୍ଠ । ଏହି ମହାନ କାର୍ଯ୍ୟ ପାଇଁ ବସନ୍ତଙ୍କୁ ଓଡିଶା ମୋ ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।