Home Education ଯୁକ୍ତ-୨ ପୃଥକୀକରଣ ତ୍ୱରାନ୍ୱିତ କର

ଯୁକ୍ତ-୨ ପୃଥକୀକରଣ ତ୍ୱରାନ୍ୱିତ କର

ଭୁବନେଶ୍ୱର : ଯୁକ୍ତ-୨ ଶିକ୍ଷାକୁ ଉଚ୍ଚଶିକ୍ଷା ବିଭାଗରୁ ପୃଥକ କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ମିଶ୍ରଣ କରାଯାଇଥିବାବେଳେ ଯୁକ୍ତ-୨ ଶିକ୍ଷାନୁଷ୍ଠାନଗୁଡ଼ିକୁ ଡିଗ୍ରୀ କଲେଜରୁ ପୃଥକୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗୁରୁତ୍ୱାରୋପ କରିଛନ୍ତି ।

ଯୁକ୍ତ-୨ ଶିକ୍ଷାନୁଷ୍ଠାନଗୁଡ଼ିକୁ ଉଚ୍ଚଶିକ୍ଷା ଅନୁଷ୍ଠାନରୁ ପୃଥକ କରିବା ପ୍ରକ୍ରିୟାର ଅଗ୍ରଗତି ସଂପର୍କରେ ସମୀକ୍ଷା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ଇତି ମଧ୍ୟରେ କିଛି ସ୍ଥାନରେ ଯୁକ୍ତ-୨ ଏବଂ ଡିଗ୍ରୀ ମହାବିଦ୍ୟାଳୟ ପୃଥକ ଭାବରେ କାର୍ଯ୍ୟ କରୁଛି । ତେବେ ଉଚ୍ଚଶିକ୍ଷା ବିଭାଗର ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ଯେଉଁମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅବସ୍ଥାପିତ ହୋଇ କାର୍ଯ୍ୟକରୁଛି, ସେମାନଙ୍କୁ ପର୍ଯ୍ୟାୟ କ୍ରମେ ଉଚ୍ଚଶିକ୍ଷା ବିଭାଗକୁ ଫେରାଇ ନିଆଯିବ, ଯେପରି ଯୁକ୍ତ-୨ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କ୍ଷେତ୍ରରେ କୌଣସି ବ୍ୟାଘାତ ସୃଷ୍ଟି ନହୁଏ ।

ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ସେହିପରି ଯେଉଁସବୁ କମ୍ପୋଜିଟ୍‌ ମହାବିଦ୍ୟାଳୟରେ ଯୁକ୍ତ-୨ ଏବଂ ଡିଗ୍ରୀ ମହାବିଦ୍ୟାଳୟ କାର୍ଯ୍ୟ କରୁଛି ଏବଂ ସେସବୁ ଶିକ୍ଷାନୁଷ୍ଠାନରେ କୋଠାବାଡ଼ି, ଜମି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଦୃଷ୍ଟିରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଡିଗ୍ରୀ ମହାବିଦ୍ୟାଳୟକୁ ସଂପୂର୍ଣ୍ଣ ରୂପେ ପୃଥକ କରାଯାଇପାରିବ, ସେଗୁଡ଼ିକୁ ସଂପୂର୍ଣ୍ଣ ରୂପେ ଅଲଗା କରାଯିବ ।

ତଦନୁଯାୟୀ ଜମିଜମା କାଗଜପତ୍ର ମଧ୍ୟ ପରିବର୍ତ୍ତନ କରାଯିବ । କୋଠାବାଡ଼ି ଓ ଅନ୍ୟାନ୍ୟ ଭିତ୍ତିଭୂମି ସଂପୂର୍ଣ୍ଣ ପୃଥକ ହୋଇଗଲେ ଯୁକ୍ତ-୨ ଶିକ୍ଷାନୁଷ୍ଠାନଗୁଡ଼ିକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଏବଂ ଡିଗ୍ରୀ ମହାବିଦ୍ୟାଳୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ହେବ । ଯୁକ୍ତ-୨ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷକ ଓ ଅଣଶିକ୍ଷକଙ୍କ ପଦବୀ ପୂରଣ ଓ ଅନ୍ୟାନ୍ୟ ଭିତ୍ତିିଭୂମି ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଅର୍ଥବିଭାଗ ସହିତ ଖୁବ୍‌ଶୀଘ୍ର ଏକ ମିଳିତ ବୈଠକ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।