Home Education ଯୁକ୍ତ ଦୁଇ ନାମଲେଖା ପାଇଁ ଅଙ୍କକଷା ଆରମ୍ଭ

ଯୁକ୍ତ ଦୁଇ ନାମଲେଖା ପାଇଁ ଅଙ୍କକଷା ଆରମ୍ଭ

ଭୁବନେଶ୍ୱର : ଚଳିତବର୍ଷ ଯୁକ୍ତ ଦୁଇ ନାମଲେଖା ଅଗଷ୍ଟ ୧୨ତାରିଖରୁ ଆରମ୍ଭ ହେଉଥିବାବେଳେ ବୃଦ୍ଧି ପାଇଥିବା ସିଟ୍‍ରେ କେତେ ଛାତ୍ରଛାତ୍ରୀ ନାମ ଲେଖାଇବା ସୁଯୋଗ ପାଇବେ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ଗତ ବର୍ଷ ପରୀକ୍ଷା ଦେଇ ମାଟ୍ରିକରେ ମୋଟ୍‍ ୭୮.୭୬ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣର୍ ହୋଇଥିବାବେଳେ ଚଳିତବର୍ଷ ବିନା ପରୀକ୍ଷାରେ ଏହି ସଂଖ୍ୟା ପ୍ରାୟ ୯୮ ପ୍ରତିଶତ ରହିଛି ।

ଗତବର୍ଷ ୭୮.୭୬ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ସରକାରୀ କଲେଜରେ ଥିବା ଯୁକ୍ତ ଦୁଇ ଶ୍ରେଣୀରେ କଳାରେ ପ୍ରାୟତଃ ସମସ୍ତ ଆସନ ପୂରଣ ହୋଇଯାଇଥିଲା । କଳାରେ ମାତ୍ର ୦.୪୬ ପ୍ରତିଶତ ଆସନ ଖାଲି ପଡିଥିବାବେଳେ ବିଜ୍ଞାନରେ ୧୬.୨୧ ପ୍ରତିଶତ ଓ ବାଣିଜ୍ୟରେ ୮.୬୧ ପ୍ରତିଶତ ଆସନ ଖାଲି ପଡିଥିଲା ।

ତେବେ ବେସରକାରୀ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନରେ ଏହି ତିନିଟି ବିଷୟରେ ବହୁ ସଂଖ୍ୟାରେ ସିଟ୍‍ପୂରଣ ହୋଇପାରିନଥିଲା । କଳାରେ ୨୮.୭୫ ପ୍ରତିଶତ ଆସନ ଖାଲିପଡିଥିବାବେଳେ ବିଜ୍ଞାନରେ ୪୩.୭୧ ଓ ବାଣିଜ୍ୟରେ ୫୫ ପ୍ରତିଶତ ଆସନ ଖାଲି ପଡିଥିଲା । ତେବେ ଏହିସବୁ ଶିକ୍ଷାନୁଷ୍ଠାନରେ ଆସନ ଖାଲିପଡିବାର ପ୍ରମୁଖ କାରଣ ହେଲା ଏଗୁଡିକ ମଧ୍ୟରୁ ଅଧିକାଂଶ ସହରାଞ୍ଚଳରେ ରହିଛନ୍ତି । ଏହାବାଦ୍‍ ମାଟ୍ରିକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା, ଆଇଟିଆଇ ଆଦିରେ ବହୁଳ ଭାବେ ନାମାଙ୍କନ କରିଥିଲେ ।

ତେବେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ନୂଆ ରେକର୍ଡ ସୃଷ୍ଟି କରିଥିବାବେଳେ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ନାମଲେଖା ପାଇଁ ଯୁକ୍ତଦୁଇ ସ୍ତରରେ ଆସନ ଉପଲବ୍ଧତା ମୁଖ୍ୟ ସମସ୍ୟା ହୋଇଥିବାବେଳେ ରାଜ୍ୟ ସରକାର ଇତି ମଧ୍ୟରେ କଳାରେ ୩୮ହଜାର, ବିଜ୍ଞାନରେ ୧୩ହଜାର ଓ ବାଣିଜ୍ୟରେ ୩୯୦୦ ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି ।

ତେବେ ଏହି ଆସନ ବୃଦ୍ଧି ଯୋଗୁଁ ଗାଁ ଗହଳର ଛାତ୍ରଛାତ୍ରୀ କେତେ ସଂଖ୍ୟାରେ ନାମଲେଖାରେ ସଫଳ ହେବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । କାରଣ ସାମ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ସାଧାରଣତଃ ନିଜ ପସନ୍ଦର କଲେଜ ବିଶେଷକରି ଘର ନିକଟରେ ଥିବା ଶିକ୍ଷାନୁଷ୍ଠାନକୁ ବାଛିଥାନ୍ତି । କେଉଁ ଶିକ୍ଷାନୁଷ୍ଠାନରେ କେତେ ଆସନ ବଢିଲା ସେଥିରେ ସେମାନଙ୍କର କିଛି ଯାଏ ଆସେ ନାହିଁ ।

ତେଣୁ ସାମସ୍‍ ପୋର୍ଟାଲରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଆବେଦନ ସରିବାପରେ ହିଁ ପ୍ରକୃତ ସମସ୍ୟା ଆଗକୁ ଆସିବ ବୋଲି ଶିକ୍ଷାବିତ୍‍ମାନେ ମତ ଦେଉଛନ୍ତି । ଛାତ୍ରଛାତ୍ରୀଙ୍କ ଆବେଦନ ପରେ ବିଭିନ୍ନ କଲେଜର ସ୍ଥିତିକୁ ନେଇ ଆସନ ସଂଖ୍ୟା ବଢିଥିଲେ ଭଲ ହୋଇଥାନ୍ତା ବୋଲି ମତପ୍ରକାଶ ପାଇଛି । (ତଥ୍ୟ)