Home Education ଯୁକ୍ତ ଦୁଇରେ ୭୭୯ ଅଧ୍ୟାପକ ପଦବୀ ଖାଲି

ଯୁକ୍ତ ଦୁଇରେ ୭୭୯ ଅଧ୍ୟାପକ ପଦବୀ ଖାଲି

ଭୁବନେଶ୍ୱର : ରାଜ୍ୟର ଯୁକ୍ତଦୁଇ କଲେଜଗୁଡିକରେ ୭ଶହରୁ ଅଧିକ ଅଧ୍ୟାପକ/ଅଧ୍ୟାପିକା ପଦବୀ ଖାଲି ପଡିଛି । ଏଥିମଧ୍ୟରୁ ସର୍ବାଧିକ ଖାଲି ପଦବୀ ରହିଛି ୪୮୮ ବର୍ଗ କଲେଜରେ ।

ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟର ବିଭିନ୍ନ ବର୍ଗର ଯୁକ୍ତଦୁଇ କଲେଜରେ ୭୭୯ଟି ପଦବୀ ଖାଲି ପଡିଛି । ଏଥିମଧ୍ୟରୁ ୪୮୮ ବର୍ଗ କଲେଜରେ ସର୍ବାଧିକ ୫୫୫ଟି ପଦବୀ ଖାଲି ପଡିଥିବା ବେଳେ ୬୬୨ ବର୍ଗ କଲେଜରେ ୫୦ଟି ପଦବୀ ଖାଲି ରହିଛି । ସେହିଭଳି ସରକାରୀ କଲେଜଗୁଡିକରେ ୧୭୪ଟି ଅଧ୍ୟାପକ / ଅଧ୍ୟାପିକା ପଦବୀ ଖାଲି ଅଛି ।

ସରକାରୀ କଲେଜ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୪ଟି ପଦବୀ ଖାଲି ପଡିଥିବା ବେଳେ କଟକରେ ୨୩ଟି ଓ ପୁରୀରେ ୧୯ଟି ପଦବୀ ଖାଲି ପଡିଛି । ବାଲେଶ୍ୱର, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରେ ୧୬ଟି କରି ପଦବୀ ଖାଲି ପଡିଥିବା ବେଳେ ମୟୂରଭଞ୍ଜରେ ୧୫, ସୋନପୁରରେ ୧୪ ପଦବୀ ଖାଲି ଅଛି । କେନ୍ଦ୍ରାପଡା ଜିଲ୍ଲାରେ ୪ଟି ପଦବୀ ଖାଲିଥିବା ବେଳେ ବରଗଡ, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ୨ଟି କରି ଏବଂ ନୂଆପଡା ଜିଲ୍ଲାରେ ଗୋଟିଏ ପଦବୀ ଖାଲି ରହିଛି ।

୪୮୮ ବର୍ଗ କଲେଜ ମଧ୍ୟରେ ସର୍ବାଧିକ ୫୫ଟି ପଦବୀ ଯାଜପୁର ଜିଲ୍ଲାରେ ଖାଲି ଥିବାବେଳେ ଗଞ୍ଜାମରେ ୫୪, ମୟୂରଭଞ୍ଜରେ ୪୬, କଟକରେ ୩୨ ପଦବୀ ଖାଲି ଅଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ ଏହି ବର୍ଗର କଲେଜରେ ୧୫ଟି ପଦବୀ ଖାଲି ଥିବାବେଳେ ନୂଆପଡା ଓ କୋରାପୁଟ ଜିଲ୍ଲାରେ ଗୋଟିଏ କରି ପଦବୀ ଖାଲି ରହିଛି । ୬୬୨ ବର୍ଗ କଲେଜ ଭିତରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୨ଟି ପଦବୀ ଖାଲି ଥିବାବେଳେ ଭଦ୍ରକରେ ୭, ଢ଼େଙ୍କାନାଳ, କନ୍ଧମାଳରେ ୫ଟି କରି ପଦବୀ ଖାଲି ଅଛି ।

ସରକାରୀ କଲେଜ ସମେତ ଅନ୍ୟ ଦୁଇବର୍ଗର କଲେଜକୁ ହିସାବକୁ ନେଲେ ରାଜ୍ୟର ସମସ୍ତ ଜିଲ୍ଲାରେ ଯୁକ୍ତଦୁଇ ସ୍ତରରେ ଊଣାଅଧିକେ ଅଧ୍ୟାପକ/ ଅଧ୍ୟାପିକାଙ୍କ ପଦବୀ ଖାଲି ପଡିଛି । ଏହି ତାଲିକାରେ ଖୋର୍ଦ୍ଧା, ମୟୂରଭଞ୍ଜ, ଯାଜପୁର ଓ କଟକ ଜିଲ୍ଲା ଆଗରେ ରହିଥିବା ବେଳେ ବୌଦ, ନୂଆପଡା ଭଳି ଜିଲ୍ଲାରେ ଖାଲି ପଡିଥିବା ପଦବୀ ସଂଖ୍ୟା ୧ ଅଙ୍କରେ ସୀମିତ ରହିଛି । (ତଥ୍ୟ)