Home General ଯାନବାହାନ କଟକଣା ଯୋଗୁଁ କର୍ମଚାରୀ ହନ୍ତସନ୍ତ

ଯାନବାହାନ କଟକଣା ଯୋଗୁଁ କର୍ମଚାରୀ ହନ୍ତସନ୍ତ

ଭୁବନେଶ୍ୱର : ଯାନବାହାନ ଚଳାଚଳ ଉପରେ କରୋନା ପରିପ୍ରେକ୍ଷୀରେ କଡା କଟକଣା ଥିବାବେଳେ ସରକାରୀ କର୍ମଚାରୀମାନେ ଦପ୍ତର ଆସିବାକୁ ନାକେଦମ ହେଉଛନ୍ତି । ଏମିତିକି ଖୋଦ ରାଜଧାନୀ ଭୁବନେଶ୍ୱରରେ ଲୋକସେବାଭବନ, ବିଭାଗୀୟ ମୁଖ୍ୟଦପ୍ତର ସମେତ ଅନ୍ୟ ସ୍ଥାନମାନଙ୍କୁ କର୍ମଚାରୀ ଆସିବାରେ ଅସୁବିଧା ଉପୁଜୁଛି ।

କରୋନା କଟକଣାରେ ବସ୍‍, ଅଟୋ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଛି । ଏମିତିକି ଅନେକ ରେଳ ମଧ୍ୟ ଚାଲୁନାହିଁ । ଭୁବନେଶ୍ୱରର ବିଭିନ୍ନ ସରକାରୀ ଓ ବେସରକାରୀ ଦପ୍ତରକୁ କେବଳ ରାଜଧାନୀରେ ନୁହେଁ ଆଖପାଖର ୫୦/୬୦କିଲୋମିଟର ଅଞ୍ଚଳରୁ କର୍ମଚାରୀମାନେ ଆସିଥାନ୍ତି । ମନ୍ତ୍ରୀ, ଅଫିସରମାନଙ୍କୁ ସରକାରୀ ଗାଡି ନେବା ଆଣିବା କରୁଥିବାରୁ ଛୋଟ କର୍ମଚାରୀମାନେ ଦପ୍ତର ଆସିବାପାଇଁ ଯେତେ ଦହଗଞ୍ଜ ହେଉଛନ୍ତି ତାହା ସେମାନେ ଅନୁଭବ କରିପାରୁ ନାହାନ୍ତି ।

ଯେଉଁ କର୍ମଚାରୀମାନଙ୍କର ନିଜସ୍ୱ ଗାଡି ରହିଛି ଓ ଗାଡିଚାଳନା ଜାଣିଛନ୍ତି ସେମାନେ ପରିଚୟପତ୍ର ଦେଖାଇ ଦପ୍ତର ଆସୁଛନ୍ତି । କିନ୍ତୁ ପୁରୀ, ବାଲୁଗାଁ ଠାରୁ ଆରମ୍ଭ କରି କୋଣାର୍କ, ବନମାଳିପୁର, ଭଦ୍ରକ, କଟକ, ବାଙ୍କି, ଆଠଗଡ, ଖୋର୍ଦ୍ଧା, ନୟାଗଡ ଆଦି ଅଞ୍ଚଳରୁ ଯେଉଁ କର୍ମଚାରୀମାନେ ରେଳ ଓ ବସ୍‍ ଯୋଗେ ପୂର୍ବରୁ ରାଜଧାନୀରେ ଥିବା ଦପ୍ତରକୁ ଆସୁଥିଲେ ସେମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏମିତିକି ରାଜଧାନୀର ସିଟିବସ୍‍ ଓ କଟକରୁ ଆସୁଥିବା ମହିଳା ସ୍ପେଶାଲ ବସ୍‍ ସହିତ ଅଟୋରେ ଶହ ଶହ କର୍ମଚାରୀ ଘରୁ ଦପ୍ତରକୁ ଯିବାଆସିବା କରୁଥିଲେ ।

ଗାଡି ଚଳାଚଳର ବନ୍ଦୋବସ୍ତ ନକରି କରୋନାର ଦ୍ୱିତୀୟ ଲହର ଜନିତ ଲକଡାଉନ୍‍ ସମୟରେ କର୍ମଚାରୀମାନଙ୍କୁ କେଉଁଠି ରୋଷ୍ଟର ବା କେଉଁଠି ବିନା ରୋଷ୍ଟରରେ ଦପ୍ତର ଆସିବାକୁ କୁହାଯାଉଥିବାରୁ ସେମାନେ ନାକେଦମ ହେଉଛନ୍ତି । ଗତବର୍ଷ ଲକଡାଉନ୍‍ ପରେ ଅନ୍‍ଲକ୍‍ର ବିଭିନ୍ନ ପର୍ଯ୍ୟାୟରେ ସୀମିତ ସଂଖ୍ୟକ ଯାତ୍ରୀ ନେଇ ଅଟୋ, ବସ୍‍, ଟ୍ୟାକ୍ସି ଓ ଟ୍ରେନ ଚଳାଚଳ କରୁଥିଲା ।

ବିଶେଷକରି ରାଜଧାନୀରେ ସିଟିବସ୍‍ଗୁଡିକୁ ବାରମ୍ବାର ସାନିଟାଇଜ୍‍ କରାଇ କମ୍‍ ସଂଖ୍ୟକ ଯାତ୍ରୀରେ ସେତେବେଳେ ଚଳାଯାଉଥିବାରୁ ବିଭିନ୍ନ ଅଞ୍ଚଳରୁ କର୍ମଚାରୀମାନେ ସହଜରେ ଦପ୍ତର ଆସିପାରୁଥିଲେ । ଏବେ କିନ୍ତୁ ଏସବୁ ଯାନବାହନ ଚଳାଚଳ ବନ୍ଦ ରଖାଯାଇ କର୍ମଚାରୀମାନଙ୍କୁ ଦପ୍ତର ଆସିବାକୁ ବାଧ୍ୟ କରାଯାଉଥିବାରୁ ଅନେକ ନିୟମିତ କର୍ମଚାରୀ ଛୁଟିରେ ରହୁଛନ୍ତି । ତେବେ ଠିକା କର୍ମଚାରୀମାନେ ଦପ୍ତର ନଆସିଲେ ଦରମା କଟିବାର ଭୟ ରହୁଛି ।

ଅନ୍ୟ କାହାର ସହାୟତା ନେଇ ଦୁଇ ବା ଚାରିଚକିଆ ଯାନରେ ଅଫିସ ଆସିଲେ ବାଟରେ ପୁଲିସ୍‍କୁ ପରିଚୟପତ୍ର ଦେଖାଇଲେ ତ୍ରାହି ମିଳୁଛି । କିନ୍ତୁ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଦପ୍ତରରେ ଛାଡି ଫେରୁଥିବା ଏହି ଗାଡିଚାଳକମାନଙ୍କୁ ଜୋରିମାନା ଦେବାକୁ ପଡୁଛି । ଏବେ କରୋନା ସଂକ୍ରମଣ ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବାବେଳେ ଦପ୍ତରକୁ ଯିବାଆସିବା କରିବା ଅନେକ କର୍ମଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟିକରିଛି ।

ସେମାନଙ୍କ ସୁବିଧା ଲାଗି ସରକାର ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରିବାକୁ ଦାବି ହେଉଛି । ସ୍ଥିତି ଏଭଳି ଥିବାବେଳେ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକୁ ଖୋଲାଗଲାଣି । ଏହା ଫଳରେ ପୁରୁଷମାନଙ୍କ ତୁଳନାରେ ମହିଳା କର୍ମଚାରୀମାନେ ବେଶି ସମସ୍ୟା ଭୋଗୁଥିବା ଏବଂ ଅନେକ ବିପଦସଙ୍କୁଳ ଯାତ୍ରାରେ ଆତଙ୍କିତ ଥିବା ଅଭିଯୋଗ ହେଉଛି । (ତଥ୍ୟ)