Home General ଯାଞ୍ଚ ହେଉନି ଦୁଗ୍ଧଜାତ ସାମଗ୍ରୀ

ଯାଞ୍ଚ ହେଉନି ଦୁଗ୍ଧଜାତ ସାମଗ୍ରୀ

ଭୁବନେଶ୍ୱର : ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ସଠିକ୍‍ ଯାଞ୍ଚ ହେଉନାହିଁ । ରାଜଧାନୀ ଠାରୁ ଆରମ୍ଭକରି ରାଜ୍ୟର ବିଭିନ୍ନ ସହରରେ ଖୋଲାଖୋଲି ଭାବେ ନିମ୍ନମାନର ଏଭଳି ସାମଗ୍ରୀ ବିକ୍ରି ଚାଲିଥିବା ଅଭିଯୋଗ ହେଉଛି ।

ରାଜଧାନୀରେ ଏବେ ଦୈନିକ ହଜାର ହଜାର ଲିଟର ଦୁଗ୍ଧ ଖୋଲା ମେଲାରେ ବିକ୍ରି ହେଉଛି । ଘରୋଇ ଦୁଗ୍ଧଗାଡିଗୁଡିକ ସହରର ବିଭିନ୍ନ ସ୍ଥାନରେ ଦୁଗ୍ଧ ବିକ୍ରି କରୁଛନ୍ତି । ଏହି ଦୁଗ୍ଧକୁ ନେବାପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ରହୁଛି । ତେବେ ଏହାର ମାନ କ’ଣ ରହିଛି ତାହାକୁ କେହି ଯାଞ୍ଚ କରୁନାହାନ୍ତି । ଖାଦ୍ୟ ନିରୀକ୍ଷକମାନଙ୍କ ନଜର ଏହା ଉପରେ ନାହିଁ କହିଲେ ଚଳେ ।

ସହର ଉପକଣ୍ଠରେ ଥିବା ଦୁଗ୍ଧଚାଷୀମାନଙ୍କ ଠାରୁ କିଛି ବ୍ୟବସାୟୀ ସିଧାସଳଖ ଦୁଗ୍ଧ ଖରିଦ କରିବା ସହିତ ତାହାକୁ ଆଣି ସହରରେ ବିକ୍ରି କରୁଛନ୍ତି । ଏଥିରେ ପାଣି ସହିତ ଅନ୍ୟାନ୍ୟ ସାମଗ୍ରୀ ମିଶାଉଥିବାର ଖାଉଟିମାନେ ମଝିରେ ମଝିରେ ଅଭିଯୋଗ କରୁଛନ୍ତି । ତେବେ ସରକାରୀ ସ୍ତରରେ ଏହାର ଯାଞ୍ଚ ସଠିକ ଭାବେ ହେଉନଥିବାରୁ ବାସ୍ତବତା କ’ଣ ତାହା ଲୋକେ ଜାଣିପାରୁ ନାହାନ୍ତି ।

ଏହି ବ୍ୟବସାୟୀମାନେ ଚାଷୀଙ୍କ ଠାରୁ ୩୦ ରୁ ୩୫ ଟଙ୍କା ମଧ୍ୟରେ ଦୁଗ୍ଧ କିଣି ତାହାକୁ ରାଜଧାନୀରେ ଲିଟର ପ୍ରତି ୬୦ ଟଙ୍କାରେ ବିକ୍ରି କରୁଛନ୍ତି । ତେବେ ଗୋଟିଏ ଲିଟରରେ ହାରାହାରି ୨୦ ରୁ ୨୫ ଟଙ୍କା ଲାଭ କରୁଥିବା ବ୍ୟବସାୟୀମାନେ କେଉଁମାନର କ୍ଷୀର ଲୋକଙ୍କୁ ଯୋଗାଉଛନ୍ତି ତାହା ଏହାକୁ କିଣୁଥିବା ଲୋକେ ଜାଣିପାରୁ ନାହାନ୍ତି । ଯାଞ୍ଚ ଠିକଣା ଭାବେ ହେଉନଥିବାରୁ ଏବେ ଧିରେ ଧିରେ ଦୁଗ୍ଧରେ ସେମାନେ ପାଣି ସହିତ ଗୁଣ୍ଡଦୁଗ୍ଧ ଓ ରସାୟନିକ ପଦାର୍ଥ ମିଶ୍ରଣ କରୁଥିବାର ଅଭିଯୋଗ ହେଉଛି । ଏହି ବ୍ୟବସାୟୀଙ୍କ ନିକଟରେ ଦୁଗ୍ଧ ଶୀତଳୀକରଣ ବ୍ୟବସ୍ଥା ନଥିବାରୁ ତାହା ନଷ୍ଟହେବା ଆଶଙ୍କାରେ ସେଥିରେ ଲୁଣ, ଚିନି ସହିତ ଅନ୍ୟାନ୍ୟ ରସାୟନିକ ସାମଗ୍ରୀ ମିଶ୍ରଣ କରୁଥିବା ନେଇ ଅଭିଯୋଗ ହେଉଛି ।

କେବଳ ଦୁଗ୍ଧର ସଠିକ ଭାବେ ଯାଞ୍ଚ ହେଉନାହିଁ, ଦୁଗ୍ଧଜାତି ସାମଗ୍ରୀ ଯଥା ଛେନା, ପନିର ସହିତ ଛେନାରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ମିଠାର ବି ଯାଞ୍ଚ ହେଉନାହିଁ । ଫଳରେ ବ୍ୟବସାୟୀମାନେ ମନଇଚ୍ଛାରେ ଏହିସବୁ ସାମଗ୍ରୀ ବିକ୍ରି କରୁଛନ୍ତି । ସାଧାରଣ ଲୋକଙ୍କ ନିକଟରେ ମଧ୍ୟ ଏହାର ପରୀକ୍ଷା ପାଇଁ ସେଭଳି କୌଣସି ସାଧନ ନାହିଁ ।

ଏଭଳି ଘରୋଇ ଦୁଗ୍ଧ ବ୍ୟବସାୟୀଙ୍କ ପାଇଁ ସରକାରୀ ଓମ୍‍ଫେଡର କାରବାର ରାଜଧାନୀ ସମେତ ଅନ୍ୟାନ୍ୟ ସହରରେ ହ୍ରାସ ପାଇବାରେ ଲାଗିଛି । ଓମ୍‍ଫେଡ୍‍ ଲୋକଙ୍କୁ ଜୀବାଣୁମୁକ୍ତ ଦୁଗ୍ଧ ଯୋଗାଇ ଦେଉଥିଲେ ମଧ୍ୟ ପ୍ରଚାର ଦୌଡରେ ପଛରେ ପଡିଥିବା ଯୋଗୁଁ ଲୋକେ ଗାଁ ଗହଳରୁ ଆସୁଥିବା ଅଶୋଧିତ ଦୁଗ୍ଧକୁ ଖରିଦ କରୁଛନ୍ତି । ତେବେ ରାଜଧାନୀରେ ପ୍ରତିଦିନ ଏକାଧିକ ସ୍ଥାନରେ ଖୋଲା ମେଲାରେ ବିକ୍ରି ହେଉଥିବା ଦୁଗ୍ଧ ଓ ଦୁଗ୍ଧଜାତି ସାମଗ୍ରୀକୁ ନିୟମିତ ଭାବେ ଯାଞ୍ଚ କରିବାପାଇଁ ମତିପ୍ରକାଶ ପାଉଛି । (ତଥ୍ୟ)