Home News in Odia ଯନ୍ତ୍ରୀଙ୍କ ପାଇଁ ଜମି ଶୁଖିଲା

ଯନ୍ତ୍ରୀଙ୍କ ପାଇଁ ଜମି ଶୁଖିଲା

ଭୁବନେଶ୍ୱର : ଧାରା ଶ୍ରାବଣରେ କମ୍‍ ବୃଷ୍ଟିପାତ ଯୋଗୁଁ ରାଜ୍ୟର ବହୁ ଅଞ୍ଚଳରେ ଚାଷ ବ୍ୟାହତ ହେଉଥିବାବେଳେ ଆଉ କିଛି ସ୍ଥାନରେ ଜଳସମ୍ପଦ ବିଭାଗର ଖାମଖିଆଲି ନୀତି ଯୋଗୁଁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଚାଷୀମାନେ ପାଣି ପାଉନଥିବାରୁ ଜଳକର ଦେବେନାହିଁ ବୋଲି ଚେତାବନୀ ଦେଲେଣି ।

ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକରୁ । ଏହି ବ୍ଲକର ବୁଆଲି, ମାଛପଡା ଓ ଡେଲାଙ୍ଗ ମାଇନର କେନାଲରେ ପାଣି ଆସିପାରୁ ନାହିଁ । ଫଳରେ ହଜାର ହଜାର ଚାଷୀଙ୍କ ବିଲ ଶୁଖିଗଲାଣି । କେଉଁଠି ତଳି ଓପଡା ହୋଇପାରୁ ନାହିଁ ତ ଆଉ କେଉଁଠି ବିଲକୁ ହଳ ବି ଯାଇପାରୁ ନାହିଁ । ଏଥିପାଇଁ ଚାଷୀମାନେ ଏବେ ଚାଷ ଛାଡି ଜଳସମ୍ପଦ ବିଭାଗର ଯନ୍ତ୍ରୀଙ୍କ ଦପ୍ତର ଠାରୁ ଆରମ୍ଭକରି ରାଜସ୍ୱ ବିଭାଗ ଅଧିକାରୀଙ୍କ ଦପ୍ତର ପର୍ଯ୍ୟନ୍ତ ଯାଇ ସମସ୍ତଙ୍କୁ ଭେଟିବାରେ ଲାଗିଛନ୍ତି ।

ଅଭିଯୋଗ ଅନୁଯାୟୀ ଏହି ତିନିଟି ମାଇନର କେନାଲର ଅରିସୋଲ ଓ ବେରବୋଇ ଠାରେ କେନାଲ ଉପରେ ପୋଲ ନିର୍ମାଣ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ନିର୍ମାଣ କାର୍ଯ୍ୟ ନେଇଥିବା ଠିକାଦାର ଲୋକଙ୍କ ଯିବାଆସିବାପାଇଁ ପୋଲ ନିର୍ମାଣ ସ୍ଥଳରେ କେନାଲରେ ମାଟି ପକାଇ ରାସ୍ତାକରି ଦେଇଛନ୍ତି । ଏହି ମାଟିବନ୍ଧରେ ପାଣିଯିବାକୁ ବାଟ ନଥିବାରୁ ଏବେ କେନାଲ ଶୁଖିଲା ପଡିଛି । ସ୍ଥାନୀୟ ଜଳସମ୍ପଦ ବିଭାଗର ଯନ୍ତ୍ରୀମାନେ ଏଭଳି ତ୍ରୁଟି ପ୍ରତି ଆଖିବୁଜି ଦେଇଥିବାରୁ ଏବେ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।

ଉପରୋକ୍ତ ତିନି ମାଇନର ଜଳସେଚନ ଅଞ୍ଚଳରେ ଥିବା ଗଉହହୁଙ୍କା, ବୁଆଲି, ଆୟତନଡୁଆ, ବେରବୋଇ, ମରିଚିପୁର, ଅରିସଲ, ବଙ୍କିଲୋ, ଅମଳଙ୍ଗ, ପୁରୁଣା ଡେଲାଙ୍ଗ ଆଦି ଅଞ୍ଚଳରେ ଥିବା ଚାଷଜମିକୁ ପାଣି ମାଡିପାରୁ ନାହିଁ । ଗୋଟିଏ ପଟେ କମ୍‍ ବର୍ଷା ଯୋଗୁଁ ବିଲ ଶୁଖିଲା ପଡିଥିବାବେଳେ ଅନ୍ୟ ପଟେ ଜଳସେଚନ ସୁବିଧା ଥାଇ ମଧ୍ୟ ଏଠାରେ ଚାଷୀଙ୍କୁ ପାଣି ମିଳୁନାହିଁ । ଏ ସଂକ୍ରାନ୍ତରେ ଚାଷୀମାନେ ଜଳସମ୍ପଦ ବିଭାଗକୁ ଗଲେ ସେଠାରେ ରାଜସ୍ୱ ଅଧିକାରୀଉପର ଦୋଷ ଖସାଇ ଦିଆଯାଉଥିବାବେଳେ ରାଜସ୍ୱ ବିଭାଗ ଦପ୍ତରକୁ ଗଲେ ସେଠାରେ ଜଳସମ୍ପଦ ଅଧିକାରୀଙ୍କ ମୁଣ୍ଡରେ ଦୋଷ ଲଦାଯାଉଛି ।

ଚାଷୀମାନେ ପାଣିଟିକେ ପାଇବାକୁ ବାରମ୍ବାର ଏ ଦପ୍ତରରୁ ସେ ଦପ୍ତର ଦଉଡି ଦଉଡି ହତାଶ ହେବାପରେ ଯଦି ତୁରନ୍ତ ଜମିକୁ ପାଣି ନମିଳେ ତେବେ ଚଳିତବର୍ଷ ଜଳକର ଦେବେନାହିଁ ବୋଲି ରୋକ୍‍ଠୋକ୍‍ ଶୁଣାଇବା ସହିତ ଏଥିପାଇଁ ଜଳସମ୍ପଦ ବିଭାଗର ସ୍ଥାନୀୟ ଯନ୍ତ୍ରୀ ଦାୟି ରହିବେ ବୋଲି ଚେତାବନୀ ଦେଇଛନ୍ତି । ଯଦି ଦିନେ ଦୁଇଦିନ ମଧ୍ୟରେ କେନାଲରେ ପାଣି ଛଡାନଯାଏ ତେବେ ହଜାର ହଜାର ଏକର ଜମିରେ ଧାନଗଛ ଜଳିଯିବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି । (ତଥ୍ୟ)