Home News in Odia ଯନ୍ତ୍ରୀଙ୍କୁ ତୁରନ୍ତ ବଦଳି କର

ଯନ୍ତ୍ରୀଙ୍କୁ ତୁରନ୍ତ ବଦଳି କର

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ଥିବା ଅଫିସରଙ୍କୁ ତଡିବାପାଇଁ ଏବେ ନିର୍ବାଚିତ ପ୍ରତିନିଧିମାନେ ଅଭିଯାନ ଆରମ୍ଭ କରିଛନ୍ତି । ଏହାର ଗୋଟିଏ ଉଦାହରଣ ହେଉଛି ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ଥିବା ଜଣେ ଯନ୍ତ୍ରୀଙ୍କ ବଦଳିଲାଗି ସୁନ୍ଦରଗଡର ବିଜେପି ବିଧାୟିକା ସିଧାସଳଖ ପଞ୍ଚାୟତିରାଜ ଓ ପାନୀୟଜଳ ସଚିବଙ୍କୁ ପତ୍ର ଲେଖିବା ।

ବିଧାୟିକା ଶ୍ରୀମତୀ ଟେଟେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ସୁନ୍ଦରଗଡ ସଦର ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ତାଙ୍କ ସ୍ଥାନରୁ ତୁରନ୍ତ ବଦଳି କରାଯାଉ । ଏହି ଯନ୍ତ୍ରୀ ଜଣଙ୍କ ସାତବର୍ଷ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ସମ୍ପୃକ୍ତ ଯନ୍ତ୍ରୀଙ୍କ ଘର ଲଙ୍କାହୁଡା ପଞ୍ଚାୟତର ଜେପାଙ୍ଗ ଜିଲ୍ଲାରେ ରହିଛି ଯାହା କି ସୁନ୍ଦରଗଡର ସଦର ବ୍ଲକ ଅଧିନରେ ଆସୁଛି ।

ଏଠାରେ ଅବାଧ ଓ ସ୍ୱଚ୍ଛ ନିର୍ବାଚନ ପାଇଁ ସମ୍ପୃକ୍ତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କର ବଦଳି ଏକାନ୍ତ ଆବଶ୍ୟକ । ନିଜ ଜନ୍ମସ୍ଥାନରେ ଜଣେ ଯନ୍ତ୍ରୀ ଦୀର୍ଘଦିନ ଧରି ରହିଲେ ସେଠାରେ ପଞ୍ଚାୟତ ନିର୍ବାଚନ ସ୍ୱଚ୍ଛ ହୋଇପାରିବ ନାହିଁ ବୋଲି ବିଧାୟିକା ଦର୍ଶାଇଛନ୍ତି । ତେଣୁ ତାଙ୍କୁ ସଦର ବ୍ଲକରୁ ତୁରନ୍ତ ବଦଳି ପାଇଁ ବିଧାୟିକା ସଚିବଙ୍କୁ କହିବା ସହିତ ତାଙ୍କ ପତ୍ରରେ ଏହା ଜରୁରୀ ଓ ନିର୍ବାଚନ ସମ୍ବନ୍ଧୀୟ ବୋଲି ଉଲ୍ଲେଖ କରିଛନ୍ତି ।

ତେବେ ଇତି ମଧ୍ୟରେ ଆହୁରି କିଛି ଜନ ପ୍ରତିନିଧି ସେମାନଙ୍କ ନିର୍ବାଚନମଣ୍ଡଳୀରେ ଦୀର୍ଘଦିନ ଧରି ଗାଦି ମାଡି ବସିଥିବା ଅଧିକାରୀଙ୍କୁ ହଟାଇବାପାଇଁ ଅଭିଯାନ ଆରମ୍ଭ କରିଦେଇଥିବା ସୂଚନା ମିଳିଛି । ବିଶେଷକରି ବିରୋଧିଦଳର କିଛି ସଦସ୍ୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେମାନଙ୍କ ଅଞ୍ଚଳରେ ଥିବା ଅଧିକାରୀମାନେ କିଭଳି ବଦଳି ହେବେ ସେଥିପାଇଁ ବିଭିନ୍ନ ସ୍ଥାନକୁ ପତ୍ର ଲେଖିବା ସହିତ ନିଜେ ଯୋଗାଯୋଗରେ ରହିଛି । ତେବେ ବର୍ତ୍ତମାନ ରାଜ୍ୟରେ ଭୋଟର ତାଲିକା ନବୀକରଣ ପ୍ରକ୍ରିୟା ଜୋରଦାର ଭାବେ ଚାଲିଥିବାରୁ କିଛି ଅଧିକାରୀଙ୍କୁ ବଦଳି କରିବା ସମ୍ଭବପର ହେବନାହିଁ ।

ହେଲେ ଯେକୌଣସି ପ୍ରକାରେ ଏଭଳି ଅଧିକାରୀଙ୍କୁ ବଦଳି କରିବାପାଇଁ ଲାଗି ପଡିଥିବା ଜନପ୍ରତିନିଧିମାନେ ଆବଶ୍ୟକ ହେଲେ ଆଗାମୀ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବାର ବି ସୂଚନା ମିଳୁଛି । ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଏଭଳି ଅନେକ ବଦଳି ତାଲିକା ସରକାରଙ୍କ ନିକଟରେ ଆସି ପହଞ୍ଚିବାର ସମ୍ଭାବନା ଥିବାରୁ ତାହାକୁ କିଭଳି ମୁକାବିଲା କରାଯିବ ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)

LEAVE A REPLY

Please enter your comment!
Please enter your name here