Home General ଯନ୍ତ୍ରଣା ଦେଉଛି ସ୍ମାର୍ଟ ଜନପଥ

ଯନ୍ତ୍ରଣା ଦେଉଛି ସ୍ମାର୍ଟ ଜନପଥ

ଭୁବନେଶ୍ୱର : ରାଜଧାନୀର ସ୍ମାର୍ଟ ଜନପଥ ଏବେ ସ୍ମାର୍ଟସିଟିବାସୀଙ୍କ ପାଇଁ ଯନ୍ତ୍ରଣା ପାଲଟିଲାଣି । ଗୋଟିଏ ପଟେ ଧାର୍ଯ୍ୟ ସମୟରେ ନିର୍ମାଣ ସରୁନଥିବାବେଳେ ଅନ୍ୟ ପଟେ ଗାଡିମୋଟର ରଖିବାକୁ ସ୍ଥାନଟିକେ ନପାଇ ଲୋକେ ହନ୍ତସନ୍ତ ହେଉଛନ୍ତି ।

ସ୍ମାର୍ଟସିଟିରେ ୯୫କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ସ୍ମାର୍ଟ ଜନପଥ । ଶିଶୁଭବନ ଛକ ଠାରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର ଦୁଇ ପଟେ ଏହାର ନିର୍ମାଣ କାର୍ଯ୍ୟ ଗତବର୍ଷ ନଭେମ୍ବର ୨୦ ତାରିଖ ସୁଦ୍ଧା ସରିବାର ଥିଲା । ସ୍ମାର୍ଟଜନଥ ସହିତ ଭୂତର କେବୁଲ ବିଛା କାର୍ଯ୍ୟ ଏହି ଅର୍ଥ ଓ ଧାର୍ଯ୍ୟ ଅବଧିରେ ସରିବା କଥା । ହେଲେ ଏବେ ବି ନିର୍ମାଣ କାର୍ଯ୍ୟ ଜାରି ରହିଛି । କେଉଁଠି ରାସ୍ତାକଡରେ ମାଟି ତଡାହୋଇ ପଡିଛି ତ ଆଉ କେଉଁଠି ଟାଇଲ ବିଛା କାର୍ଯ୍ୟ ସରୁନାହିଁ ।

ବାଣୀବିହାରରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପଟେ ଅଧାପନ୍ତରିଆ କାର୍ଯ୍ୟ ଯୋଗୁଁ ପଥଚାରୀଙ୍କ ଠାରୁ ଆରମ୍ଭକରି ଗାଡିମୋଟର ଚାଳକ ସମସ୍ତେ ଦୁର୍ଦ୍ଦଶା ଭୋଗୁଛନ୍ତି । ଅଧିକାଂଶ ସ୍ଥାରେ ଠିକାଦାରମାନେ ରାସ୍ତାକୁ ତାଡି ପକାଇ ରଖିଛନ୍ତି । ସ୍ମାର୍ଟଜନପଥର ଆଖପାଖ ଅଞ୍ଚଳ ପୂରା ଧୂଳିମୟ ହୋଇଯାଉଛି । ରାସ୍ତାପାଶ୍ୱର୍ରେ ଥିବା ବ୍ୟବସାୟୀମାନେ ଭୟରେ ଦୋକାନ କବାଟ ଖୋଲୁନାହାନ୍ତି ।

ଅନ୍ୟ ପକ୍ଷରେ ଶିଶୁଭବନଛକ ଠାରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ସ୍ମାର୍ଟଜନଥ କାର୍ଯ୍ୟ ସରିଥିବାବେଳେ ଏଠାରେ ବି ଲୋକଙ୍କ ଦୁର୍ଦ୍ଦଶା କିଛି କମ୍‌ ନୁହେଁ । ସ୍ମାର୍ଟ ଜନପଥ ଯୋଗୁଁ ରାସ୍ତାପାଶ୍ୱର୍ରେ ଗାଡି ରଖିବା ସ୍ଥାନ କମିଯାଇଛି । ଯେଉଁଠି କିଛି ବି ସ୍ଥାନ ଗାଡି ରଖିବାପାଇଁ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଛାଡିଛନ୍ତି ସେଠାରେ ରାତି ପାହିଲେ ଲୋକେ ଗାଡି ରଖି ପଳାଉଛନ୍ତି । ଫଳରେ ରାସ୍ତାପାଶ୍ୱର୍ରେ ଥିବା ଦୋକାନକୁ ସାମଗ୍ରୀ କିଣିବାପାଇଁ ଯାଉଥିବା ଲୋକେ କେଉଁଠାରେ ନିଜ ନିଜ ଗାଡି ରଖିବେ ତାହା ଜାଣିପାରୁ ନାହାନ୍ତି । ବ୍ୟବସାୟିକ ପ୍ରତିଷ୍ଠାନ ନଥିବା ରାସ୍ତାର ଗୋଟିଏ ପାଶ୍ୱର୍ରେ ଗାଡି ରଖିବାର ସୁଯୋଗ ଥିବାରୁ ସେଠାରେ ଗାଡି ରଖି ଲୋକେ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ରାସ୍ତା ପାର ହେଉଥିବା ଦେଖିବାକୁ ମିଳୁଛି ।

ସ୍ମାର୍ଟସିଟିର ଅନ୍ୟତମ ଆକର୍ଷଣ ସ୍ମାର୍ଟ ଜନପଥ ହୋଇଥିବାବେଳେ ଧାର୍ଯ୍ୟ ସମୟରେ ତାହାର ନିର୍ମାଣ କାର୍ଯ୍ୟ ନସରିବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ସ୍ମାର୍ଟସିଟରେ ନିର୍ମାଣକାର୍ଯ୍ୟର ଗତି ସ୍ମାର୍ଟ ହୋଇପାରୁ ନାହିଁ ତେବେ ରାଜ୍ୟ ଅନ୍ୟ ସ୍ଥାନରେ କିଭଳି ଚାଲୁଥିବ ବୋଲି ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି । ସ୍ମାର୍ଟ ଜନପଥର ଉଭୟ ପାଶ୍ୱର୍ରେ ଏବେ ବାଲି, ଗୋଡି ମାଟି ଗଦା ସାଙ୍ଗକୁ କେବୁଲ ଗଦାହୋଇ ରହିବା ଓ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ନସରିବା ଏବେ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଲାଣି ।

ଗୋଟିଏ ପଟେ ସ୍ମାର୍ଟସିଟିରେ ଗାଡିମୋଟର ରଖିବାକୁ ଲୋକେ ହନ୍ତସନ୍ତ ହେଉଥିବାବେଳେ ଅନ୍ୟ ପଟେ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ବହୁତଳ ଗାଡି ପାର୍କିଂର ନିର୍ମାଣ କାର୍ଯ୍ୟ ବି ସରୁନାହିଁ । ଶହୀଦନଗର ଠାରେ ୩୧କୋଟି ଟଙ୍କା ବ୍ୟୟରେ ବହୁତଳୀୟ ଗାଡି ପାର୍କିଂ କୋଠାର ନିର୍ମାଣ କାର୍ଯ୍ୟ ଗତବର୍ଷ ଜୁଲାଇରେ ସରିବାର ଥିଲେ ବି ତାହା ପୂର୍ଣ୍ଣାଙ୍ଗ ହୋଇପାରୁ ନାହିଁ ।

LEAVE A REPLY

Please enter your comment!
Please enter your name here