Home Health ଯକ୍ଷ୍ମା ବିରୁଦ୍ଧ ଲଢ଼େଇରେ ସମ୍ ହସ୍ପିଟାଲ୍‌ର ସହଯୋଗ

ଯକ୍ଷ୍ମା ବିରୁଦ୍ଧ ଲଢ଼େଇରେ ସମ୍ ହସ୍ପିଟାଲ୍‌ର ସହଯୋଗ

ଭୁବନେଶ୍ୱର : ସାରା ବିଶ୍ୱ କୋଭିଡ ମହାମାରୀ ସହ ଲଢ଼ୁଥିବା ବେଳେ ଟ୍ୟୁବରକ୍ୟୁଲୋସିସ୍ (ଯକ୍ଷ୍ମା) ଏବଂ ଡ୍ରଗ୍‌-ରେଜିଷ୍ଟାଣ୍ଟ ଟ୍ୟୁବରକ୍ୟୁଲୋସିସ୍ (ଡିଆର୍‌-ଟିବି) ରୋଗର ନିରାକରଣ କ୍ଷେତ୍ରରେ ଧ୍ୟାନ ହଟିବାରେ ଲାଗିଛି ।

ସାରା ବିଶ୍ୱରେ ସର୍ବାଧିକ ଟିବି ଏବଂ ଡିଆର୍‌-ଟିବି ସମସ୍ୟା ଭାରତରେ ରହିଥିବା ବେଳେ କେବଳ ଭୁବନେଶ୍ୱରରେ ପ୍ରତ୍ୟେକ ବର୍ଷ ୬୦୦୦ ନୂଆ ମାମଲା ସାମ୍ନାକୁ ଆସୁଛି । ତେବେ ଏହି ରୋଗର ନିରାକରଣ ନେଇ ସାମାଜିକ ସଚେତନତା ଓ ସହଯୋଗ ନ ରହିଲେ ଏହି ସମସ୍ୟାର ସମାଧାନ କରିବା ସହଜ ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି ।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସହରରେ ଏକ ପଥପ୍ରାନ୍ତ ନାଟକ ଗୋଷ୍ଠୀ ‘ସଂଯୋଗ’ ଦ୍ୱାରା ପ୍ରାୟ ୧୦୦ ଟି ବସ୍ତିରେ ନାଟକ ମାଧ୍ୟମରେ ଟିବି ନିରାକରଣ ଏବଂ ସାମାଜିକ ପରିବର୍ତନ ନେଇ ନାଟକ ମଂଚସ୍ଥ କରିବାକୁ ଏକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି । କୋଭିଡ ନିୟମ ପାଳନ କରି ଏହି ପଥପ୍ରାନ୍ତ ନାଟକ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଥମ ନାଟକଟି ସମ୍ ହସ୍ପିଟାଲ୍ କ୍ୟାମ୍ପସରେ ସୋଆର ପ୍ରୋ-ଭାଇସ୍ ଚାନ୍ସେଲର୍ ତଥା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁଙ୍କ ଦ୍ୱାରା ବୁଧବାର ଉଦ୍‌ଘାଟିତ ହୋଇଯାଇଛି । ସେଂଟର ଫର କାଟାଲାଇଜିଂ ଚେଞ୍ଜ (ସି-ଥ୍ରୀ) ନାମକ ଏକ ଜାତୀୟ ସ୍ତରର ଏନ୍‌ଜିଓ ଏହି କାର୍ଯ୍ୟକ୍ରମ ନିମନ୍ତେ ସାହାଯ୍ୟ ଯୋଗାଉଛି ।

ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ସୁମିତ୍ରା ପଟ୍ଟନାୟକ ଏହି ପଥପ୍ରାନ୍ତ ନାଟକ ପ୍ରସ୍ତୁତିର ନେତୃତ୍ୱ ନେଇଥିଲେ । “ସ୍ୱାସ୍ଥ୍ୟ ସମସ୍ୟାକୁ ସୁଧାରିବା ଦିଗରେ ସମାଜର ଏକ ବଡ ଭୂମିକା ରହିଛି । ଏଭଳି ଗୁରୁତର ପ୍ରସଙ୍ଗରେ ସମାଜର ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ନେଇ ଆମେ ଅନେକ ପ୍ରଚେଷ୍ଟା କରୁଛୁ । ଟିବି, ଏହାର ଚିହ୍ନଟ, ଚିକିତ୍ସା, ଯତ୍ନ ଏବଂ ନିରାକରଣ କ୍ଷେତ୍ରରେ ଭୁବନେଶ୍ୱରର ମୁଖ୍ୟତଃ ବସ୍ତିଗୁଡ଼ିକରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ” ବୋଲି କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଡଃ ଇ. ଭେଙ୍କଟ ରାଓ କହିଛନ୍ତି ।

ସି ଥ୍ରୀର ପ୍ରୋଗ୍ରାମ ଅଫିସର ଶ୍ରୀ ବିଭୁତି ପ୍ରଧାନ କହିଛନ୍ତି ଯେ ପଥପ୍ରାନ୍ତ ନାଟକ ଦ୍ୱାରା ଏଭଳି ସଚେତନତା ଅନେକ ଲୋକଙ୍କ ନିକଟରେ ପହଂଚାଇ ହେବ । ଏ ଦିଗରେ ସମ୍ ହସ୍ପିଟାଲ ଅନେକ ସହଯୋଗ କରିଛି । ଏହାଦ୍ୱାରା ଟିବିର ଚିହ୍ନଟ ଏବଂ ନିରାକରଣ ଦିଗରେ ଏକ ବଡ଼ ପରିବର୍ତନ ହେବ ବୋଲି ସେ କହିଛନ୍ତି ।