Home Health ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଓଡିଶାକୁ ଅଧିକ ଅର୍ଥ

ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଓଡିଶାକୁ ଅଧିକ ଅର୍ଥ

ଭୁବନେଶ୍ୱର : ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗକୁ ରୋକିବାପାଇଁ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଓଡିଶାକୁ ବିପୁଳ ପରିମାଣର ଅର୍ଥ ଯୋଗାଇ ଦେଉଛନ୍ତି । ୨୦୧୭-୧୮ ବର୍ଷରେ କେନ୍ଦ୍ର ସରକାର ଏହି ଯୋଜନାରେ ଓଡିଶାକୁ ୨୮୫.୨୯ କୋଟି ଟଙ୍କା ଯୋଗାଇ ଦେଇଥିଲେ ଯାହାକି ଦେଶର ଅନ୍ୟ କୌଣସି ରାଜ୍ୟ ତୁଳନାରେ ସର୍ବାଧିକ ରହିଥିଲା ।

ତେବେ ଏହା ପରବର୍ଷ ଠାରୁ ଓଡିଶାକୁ ଅନୁଦାନ ହ୍ରାସ ପାଉଥିଲେ ମଧ୍ୟ ମିଳିଥିବା ଅର୍ଥକୁ ଠିକଣା ଭାବେ ବ୍ୟୟ କରାଯାଇନଥିବା ଦେଖିବାକୁ ମିଳିଛି । ୨୦୧୭-୧୮ ବର୍ଷରେ ଓଡିଶାକୁ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପାଇଁ ୨୮୫କୋଟି ୨୯ଲକ୍ଷ ଟଙ୍କା ମିଳିଥିବାବଳେ ସେଥିରୁ ରାଜ୍ୟ ସରକାର ମାତ୍ର ୪୧କୋଟି ୭୮ଲକ୍ଷ ଟଙ୍କା ବ୍ୟୟ କରିବାକୁ ସକ୍ଷମ ହୋଇଥିଲେ । ସେହିବର୍ଷ ଓଡିଶା ବ୍ୟତିତ ପଡୋଶୀ ଝାଡଖଣ୍ଡ ଓ ଛତିଶଗଡକୁ ଯଥାକ୍ରମେ ୧୪୪.୮୯ କୋଟି ଓ ୧୩୩କୋଟି ଟଙ୍କା ମିଳିଥିଲା । ଏହା ଥିବା ଦେଶରେ ତିନି ଅଙ୍କ ବିଶିଷ୍ଟ ଅର୍ଥ ପ୍ରଦାନ କ୍ଷେତ୍ରରେ ଦ୍ୱିତୀୟ ଓ ତୃତୀୟ ସର୍ବାଧିକ ।

ତେବେ ୨୦୧୮-୧୯ ବର୍ଷରେ ରୋଗ ନିୟନ୍ତ୍ରଣ ପାଇଁ ଓଡିଶାକୁ ମିଳିଥିଲା ମାତ୍ର ଏକ କୋଟି ୯୧ଲକ୍ଷ ଟଙ୍କା । କିନ୍ତୁ ବଳକା ପଇସାକୁ ମିଶାଇ ରାଜ୍ୟ ସରକାର ୧୨କୋଟି ଟଙ୍କାରୁ ଅଧିକ ବ୍ୟୟ କରିଥିଲେ । ସେହିଭଳି ୨୦୧୯-୨୦ ବର୍ଷରେ କେନ୍ଦ୍ରରୁ ଏ ବାବଦରେ ୨କୋଟି ଟଙ୍କା ମିଳିଥିବାବେଳେ ରାଜ୍ୟରେ ବ୍ୟୟ ହୋଇଥିଲା ୨୬କୋଟି ଟଙ୍କାରୁ ଅଧିକ । ତେବେ ୨୦୨୦-୨୧ ବର୍ଷରେ କେନ୍ଦ୍ର ସରକାର ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପାଇଁ ଓଡିଶାକୁ ୨୧୧କୋଟି ୪୩ଲକ୍ଷ ଟଙ୍କା ଯୋଗାଇଥିଲେ । ସେହିବର୍ଷ ମଧ୍ୟ ରାଜ୍ୟ ସରକାର ୨୨୭କୋଟିରୁ ଅଧିକ ଅର୍ଥ ବ୍ୟୟ କରିଥିଲେ ।

ବିପୁଳ ଅର୍ଥ ବ୍ୟୟ ଯୋଗୁଁ ରାଜ୍ୟରେ ମ୍ୟାଲେରିଆ ମୃତ୍ୟୁ ରୋକିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି । ୨୦୧୬ ମସିହାରେ ମ୍ୟାଲେରିଆରେ ରାଜ୍ୟରେ ୭୭ଜଣ ମରିଥିବା ସରକାରୀ ଭାବେ କୁହାଯାଇଥିବାବେଳେ ୨୦୧୯ରେ ଏହି ସଂଖ୍ୟା ମାତ୍ର ୯ ରହିଥିଲା । ରାଜ୍ୟର ମ୍ୟାଲେରିଆ ପ୍ରବଣ କୁହାଯାଉଥିବା ୧୯ଟି ଜିଲ୍ଲା ଉପରେ ରାଜ୍ୟ ସରକାର ଫୋକସ କରିବା ଫଳରେ ଏଭଳି ସଫଳତା ମିଳିଛି ।

ମ୍ୟାଲେରିଆ ନିରାକରଣ ପାଇଁ ସମନ୍ୱିତ ରୋଗ ପରିଚାଳନା କାର୍ଯ୍ୟକ୍ରମରେ ଲୋକଙ୍କ ଘର ଭିତରେ ଔଷଧ ସିଞ୍ଚନ ସହିତ ଔଷଧିୟ ମଶାରୀ ଯୋଗାଣ କରାଯାଇଛି । ଏଥି ସହିତ ମଶାକୁ ଲାର୍ଭା ଅବସ୍ଥାରେ ବିନାଶ ପାଇଁ ବାୟୋ ଲାର୍ଭେସାଇଡ୍‍ ଛଡାଯିବା ସହିତ ମଶାବଂଶ କିଭଳି ବୃଦ୍ଧି ନପାଇବ ତାହା ଉପରେ ପଦକ୍ଷେପ ନିଆଯାଉଛି । କେବଳ ମ୍ୟାଲେରିଆ ନୁହେଁ ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ସରକାରଙ୍କୁ ବେଶ୍‍ ସଫଳତା ମିଳିଛି । ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଆବଶ୍ୟକ ପାଣ୍ଠି ସହିତ ପ୍ରାରମ୍ଭିକ ସ୍ତରରେ ଡେଙ୍ଗୁ ଚିହ୍ନଟ ପାଇଁ ଏନ୍‍ଏସଆଇ ପରୀକ୍ଷା କିଟ୍‍ ଯୋଗାଇ ଦେଉଛନ୍ତି । (ତଥ୍ୟ)