Home General ମୋ ସାଇକେଲ ପ୍ରତି ଲୋକଙ୍କ ଆଗ୍ରହ ନାହିଁ

ମୋ ସାଇକେଲ ପ୍ରତି ଲୋକଙ୍କ ଆଗ୍ରହ ନାହିଁ

ଭୁବନେଶ୍ୱର : ଶତ ପ୍ରଚେଷ୍ଟା ସତ୍ୱେ ରାଜଧାନୀରେ ମୋ ସାଇକେଲ ପ୍ରତି ଲୋକଙ୍କର ଆଗ୍ରହ ପ୍ରକାଶ ପାଉନାହିଁ । ରାସ୍ତାକଡରେ ରଙ୍ଗ ବେରଙ୍ଗର ମାଳ ମାଳ ସାଇକେଲ ଛିଡା ହୋଇଥିଲେ ମଧ୍ୟ କାଁ ଭାଁ ଲୋକେ ଏହାକୁ ବ୍ୟବହାର କରୁଛନ୍ତି ।

ରାଜଧାନୀରେ ବିଶ୍ୱକପ୍‍ ହକି ଆୟୋଜନ ସହିତ ଏହାର ଅନ୍ୟତମ ଆକର୍ଷଣ ଥିଲା ମୋ ସାଇକେଲ ଚଳାଚଳ । ଭୁବନେଶ୍ୱର ସ୍ମାର୍ଟସିଟି ମିଶନ ଏସ୍‍ପିଭି ଦ୍ୱାରା ମୋ ସାଇକେଲ ଯୋଜନାରେ ୨୦୦୦ ସାଇକେଲ ଖରିଦ ସହିତ ସହରର ବିଭିନ୍ନ ସ୍ଥାନରେ ଏହା ରଖାଯାଇଥିଲା । ଏଥିପାଇଁ ବ୍ୟାପକ ଖର୍ଚ୍ଚରେ ସାଇକେଲ ଷ୍ଟାଣ୍ଡ ତିଆରି ହୋଇଥିଲା । ନୂଆ ନୂଆ ଲୋକେ ଏଥିପ୍ରତି ଆଗ୍ରହ ପ୍ରକାଶ ସହିତ ଅର୍ଥ ଖର୍ଚ୍ଚକରି ସାଇକେଲ ଚଳାଉଥିଲେ ।

ତେବେ ୫କୋଟି ଟଙ୍କା ବ୍ୟୟରେ ଖରିଦ ହୋଇଥିବା ୨୦୦୦ ସାଇକେଲ ମଧ୍ୟରୁ ଏବେ ରାସ୍ତାରେ ହଜାରେ ସାଇକେଲ ଗଡିବା ସହିତ ଏହାର ରକ୍ଷଣା ବେକ୍ଷଣ କରାଯାଉଛି । ହେଲେ ଏଥି ମଧ୍ୟରୁ ମାତ୍ର ହାତଗଣତି କେତୋଟିକୁ ଲୋକେ ବ୍ୟବହାର କରୁଛନ୍ତି । ସହର ଭିତରେ ତିଆରି ହୋଇଥିବା ଅନେକ ସାଇକେଲ ଷ୍ଟାଣ୍ଡ ଖାଲି ପଡିଥିବାବେଳେ ଆଉ କେତେକରେ ସାଇକେଲ ଉପରେ ଧୂଳି ଜମି ଗଲାଣି ।

ନିକଟରେ ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀର ସାଇକେଲ କବାଡିଆକୁ ବିକ୍ରି ହେବା ଓ ଏହାକୁ ନେଇ ଥାନାରେ ମାଲି ମୋକଦ୍ଦମା ହୋଇଥିଲା । ତେବେ କିଏ କାହିଁକି କବାଡିଆକୁ ସାଇକେଲ ବିକ୍ରିକଲା ଓ ଏ ସଂକ୍ରାନ୍ତରେ କି କାର୍ଯ୍ୟାନୁଷ୍ଠାନ ହେଲା ତାହା ସାଧାରଣ ଲୋକେ ଜାଣିପାରିଲେ ନାହିଁ ।

ମୋ ସାଇକେଲ ପାଇଁ କର୍ତ୍ତୃପକ୍ଷ ପ୍ରସ୍ତୁତ କରିଥିବା ଆପ୍‍ ବି ଠିକଣା ଭାବେ କାର୍ଯ୍ୟ ନକରିବା ଲୋକଙ୍କ ଅନାଗ୍ରହର ଅନ୍ୟତମ କାରଣ ପାଲଟିଛି । କେଉଁ କମ୍ପାନୀର ସାଇକେଲ କେଉଁଠାରେ କେତୋଟି ରହିଛି ତାହା ଆପ୍‍ରେ ଦର୍ଶାଇବା କଥା । ହେଲେ ତାହା ଠିକଣା ଭାବେ କାର୍ଯ୍ୟକାରୀ କରୁନାହିଁ । ଇତି ମଧ୍ୟରେ ସହରର ଏକାଧିକ ସ୍ଥାନରେ ଥିବା ସାଇକେଲ ଷ୍ଟାଣ୍ଡରେ ପୂର୍ଣ୍ଣଛେଦ ପଡିଗଲାଣି ।

ଅବସ୍ଥା ଏଭଳି ହୋଇଛି ଯେ ଶିକ୍ଷାନୁଷ୍ଠାନ ନିକଟରେ ଥିବା ମୋ ସାଇକେଲକୁ ଚଳାଇବାକୁ ବି ଛାତ୍ରଛାତ୍ରୀମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହାର ଗୋଟିଏ ଉଦାହରଣ ହେଉଛି ରାଜଧାନୀ କଲେଜ ସମ୍ମୁଖରେ ଏକାଧିକ ମୋଇକେଲ ଉପରେ ଧୂଳି ଜମିବା । ଅନ୍ୟ ବହୁ ସ୍ଥାନରେ ବି ସମାନ ଅବସ୍ଥା । କେଉଁଠି ସାଇକେଲର ଧୂଳି ଜମିଛି ତ ଆଉ କେଉଁଠି ଏହାର ସିଟ୍‍କୁ କିଏ ଖୋଲି ନେଲାଣି । ତେଣୁ ମୋଟାମୋଟି ଭାବେ କୋଟି କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ମୋ ସାଇକେଲ ପ୍ରତି ଯେ ରାଜଧାନୀବାସୀ ବିମୁଖ ତାହା ଜଳ ଜଳ ହୋଇ ଦିଶୁଛି । (ତଥ୍ୟ)