Home General ମୋ ସରକାରକୁ ପ୍ରଶଂସା

ମୋ ସରକାରକୁ ପ୍ରଶଂସା

ଭୁବନେଶ୍ୱର : ଓଡ଼ିଶାରେ ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ‘ମୋ ସରକାର’ ବ୍ୟବସ୍ଥାକୁ ଦେଖି ତାମିଲନାଡୁର ପ୍ରତିନିଧି ଦଳ ଆଶ୍ଚର୍ଯ୍ୟଚକିତ ହେବା ସହ ଏ ସଂକ୍ରାନ୍ତରେ ଟିକିନିଖି କରି ପଚାରି ବୁଝିଛନ୍ତି । ବିଶେଷ କରି ସାଧାରଣ ଲୋକଙ୍କଠାରୁ ହେଉଥିବା ମତାମତ ସଂଗ୍ରହ ପ୍ରକ୍ରିୟାକୁ ବେଶ୍‍ ପ୍ରଶଂସା କରିଛନ୍ତି ।

ତାମିଲନାଡୁ ଯୋଜନା କମିଶନର ଏକ ୩ଜଣିଆ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ପ୍ରତିନିଧି ଦଳରେ ଯୋଜନା କମିଶନର ପୂର୍ଣ୍ଣକାଳୀନ ସଦସ୍ୟ ପ୍ରଫେସର ଆର୍‍. ଶ୍ରୀନିବାସନ୍‍, ଅତିରିକ୍ତ ପୂର୍ଣ୍ଣକାଳୀନ ସଦସ୍ୟ ପ୍ରଫେସର ଏନ୍‍. ବିଜୟ ଭାସ୍କର ଏବଂ କମିଶନ ସଦସ୍ୟ ତଥା ଅବସରପ୍ରାପ୍ତ ଆଇଏଏସ୍‍ ଅଫିସର ଥିରୁ. କେ. ଦୀନାବନ୍ଦୁ ଅଛନ୍ତି ।

ଏହି ପ୍ରତିନିଧି ଦଳ ରାଜ୍ୟ ଗସ୍ତ ସମୟରେ ଶନିବାର ଦିନ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ (ଓକାକ୍‍) ପରିସରରେ ଥିବା ମୋ ସରକାରର କଲ୍‍ ସେଣ୍ଟରକୁ ବୁଲି ଦେଖିଛନ୍ତି । ମୋ ସରକାର ବ୍ୟବସ୍ଥାରେ କିଭଳି ଲୋକଙ୍କ ମତାମତ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଉଛି, ଏହି ପଦକ୍ଷେପ ପୋର୍ଟାଲରେ ଅପ୍‍ଲୋଡ୍‍ ହେଉଥିବାବେଳେ ଏହାକୁ ସବୁସ୍ତରର ଅଧିକାରୀଙ୍କ ସମେତ ମନ୍ତ୍ରୀମାନେ ମଧ୍ୟ ଦେଖିବାର ବ୍ୟବସ୍ଥା ହୋଇଛି । ତେବେ ଲୋକଙ୍କ ମତାମତ ଆଧାରରେ ମୋ ସରକାରରେ କାର୍ଯ୍ୟ ସଠିକ୍‍ ଭାବେ ହେଉଛି କି ନାହିଁ ପରବର୍ତ୍ତୀ ସମୟରେ ସେ ସଂକ୍ରାନ୍ତରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ମତାମତ ସଂଗ୍ରହ କରାଯାଉଛି ।

ଏଥିପାଇଁ ମୋ ସରକାର ସେଲ୍‍ରେ କଲ୍‍ ସେଣ୍ଟର ରହିଛି । ଦାୟିତ୍ୱରେ ଥିବା କର୍ମଚାରୀମାନେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ସଠିକ୍‍ ସୂଚନା ପାଇବା ଲାଗି ଏକାଧିକ ଥର ଫୋନ୍‍ କରୁଛନ୍ତି । ଏହାଦ୍ୱାରା ଲୋକଙ୍କ ମତ ଅନୁଯାୟୀ ତଳସ୍ତରରେ ସଠିକ୍‍ ଭାବେ ଯୋଜନା ଗୁଡିକ କାର୍ଯ୍ୟାନ୍ୱୟନ ହେଉଛି କି ନାହିଁ ତାହା ଜଣାପଡିଯାଉଛି ।

ଏହି ପ୍ରତିନିଧି ଦଳ ମୋ ସରକାର କାର୍ଯ୍ୟକାରୀ ହେଉଥିବା ସେଲ୍‍ ବୁଲି ଦେଖିବା ସହିତ ରାଜ୍ୟ ଆଇଟି ସଚିବ ମନୋଜ ମିଶ୍ରଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଆଲୋଚନା କାଳରେ ମୋ ସରକାରର ସଫଳ କାର୍ଯ୍ୟକାରିତାକୁ ନେଇ ତାମିଲନାଡୁର ପ୍ରତିନିଧି ଦଳ ଖୁସିବ୍ୟକ୍ତ କରିବା ସହିତ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ଆଇଟି ପ୍ରକଳ୍ପ ସଂକ୍ରାନ୍ତରେ ପଚାରି ବୁଝିଥିଲେ ।

ଚଳିତମାସ ୧୪ ତାରିଖରୁ ୩ଦିନିଆ ଗସ୍ତରେ ଥିବା ତାମିଲନାଡୁ ଯୋଜନା କମିଶନ ର ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମୋ ସରକାର, ୫-ଟି ସମେତ ଜାଗା ମିଶନ, ୨୪ ଘଣ୍ଟିଆ ଡ୍ରିଙ୍କ୍‍ ଫ୍ରମ୍‍ ଟ୍ୟାପ୍‍, ମୁକ୍ତା, ବିଶ୍ୱ ଦକ୍ଷତା କେନ୍ଦ୍ର, ମିଶନ ଶକ୍ତି ଆଦି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । (ତଥ୍ୟ)