Home General ମୋ ବସ୍‍ କୁ ସରକାରୀ ସହାୟତା

ମୋ ବସ୍‍ କୁ ସରକାରୀ ସହାୟତା

ଭୁବନେଶ୍ୱର : ରାଜଧାନୀରୁ ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ଚକଚକିଆ ‘ମୋ ବସ୍‍’ ବର୍ତ୍ତମାନ ସୁଦ୍ଧା ଆତ୍ମନିର୍ଭରଶୀଳ ହୋଇପାରିନାହିଁ । ଫଳରେ ରାଜ୍ୟ ସରକାର ଏହାର ଚଳାଚଳ ଓ ଭିତ୍ତିଭୂମି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି । ଗତ ତିନିବର୍ଷ ଭିତରେ ରାଜ୍ୟ ସରକାର ୩୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଯୋଗାଇ ଦେଇଥିବା ଜଣାଯାଇଛି ।

୨୦୧୦ ମସିହାରୁ ରାଜଧାନୀରେ ଚଳାଚଳ କରୁଥିବା ବିପିଟିସ୍‍ ବସ୍‍ ୨୦୧୮ ମଇ ୪ ତାରିଖରୁ ‘ମୋ ବସ୍‍’ ନାମରେ ନାମିତ ହେବା ସହ ରାଜଧାନୀର ବିଭିନ୍ନ ସ୍ଥାନରୁ ଦୈନିକ ସେବା ଯୋଗାଣ କରୁଛି । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନପୋର୍ଟ (କ୍ରୁଟ୍‍) ଏହାର ପରିଚାଳନା ଦାୟିତ୍ୱରେ ରହିଛି । ବର୍ତ୍ତମାନ କ୍ରୁଟ୍‍ ଅଧିନରେ ୨୨୫ଟି ମୋ ବସ୍‍ ଚଳାଚଳ କରୁଥିବାବେଳେ ଏଥିରେ ୫୦ଟି ଶୀତତାପ ନିୟନ୍ତ୍ରିତ ବସ୍‍ ରହିଛି । ଏହିସବୁ ବସ୍‍ଗୁଡିକ ଭୁବନେଶ୍ୱର, ଖୋରଧା, କଟକ, ପପିଲି, ପୁରୀ ଏବଂ କୋଣାର୍କକୁ ଯାତ୍ରୀସେବା ଯୋଗାଉଛି ।

ମିଳିଥିବା ସୂଚନା ଅନୁଯାୟୀ ମୋ ବସ୍‍ରେ ଦୈନିକ ଯାତ୍ରୀ ପରିବହନ ବୃଦ୍ଧି ପାଇବାରେ ଲାଗିଛି । ୨୦୧୯ରେ ଏପ୍ରିଲରେ ଦୈନିକ ପ୍ରାୟ ୫୯ହଜାର ଯାତ୍ରୀ ମୋ ବସ୍‍ରେ ଯାଉଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ଏକ ଲକ୍ଷ ୪୦ହଜାରକୁ ଟପିଯାଇଛି । ଯାତ୍ରୀ ପରିବହନରେ ବୃଦ୍ଧି ସହିତ ମୋ ବସ୍‍ର ଆୟ ବି ବଢିଛି । ସୂଚନା ଅନୁଯାୟୀ ୨୦୧୯ ଏପ୍ରିଲ୍‍ ମାସରେ ଯାତ୍ରୀ ପରିବହନରୁ କ୍ରୁଟ୍‍ ଦୈନିକ ୯ଲକ୍ଷରୁ ସାମାନ୍ୟ ଅଧିକ ଅର୍ଥ ଆୟ କରୁଥିବାବଳେ ଚଳିତବର୍ଷ ଏପ୍ରିଲ୍‍ରେ ଏହା ୧୬ଲକ୍ଷ ୧୨ହଜାର ଟଙ୍କାକୁ ଟପିଯାଇଛି ।

ଉଭୟ ଯାତ୍ରୀ ପରିବହନ ଓ ରାଜସ୍ୱ ଆୟ ବହୁଗୁଣିତ ହୋଇଥିଲେ ମଧ୍ୟ ‘ମୋ ବସ୍‍’ ଆଜି ପର୍ଯ୍ୟନ୍ତ ଆତ୍ମ ନିର୍ଭରଶୀଳ ହୋଇପାରି ନାହିଁ । ଫଳରେ ରାଜ୍ୟ ସରକାର ପ୍ରତିବର୍ଷ ଏହାର ପରିଚାଳନା ଦାୟିତ୍ୱରେ ଥିବା କ୍ରୁଟ୍‍କୁ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି । ସୂଚନା ଅନୁଯାୟୀ ୨୦୧୯-୨୦ ରୁ ୨୦୨୧-୨୨ ମଧ୍ୟରେ କ୍ରୁଟ୍‍କୁ ରାଜ୍ୟ ସରକାର ପ୍ରାୟ ୩୨୭ କୋଟିରୁ ଅଧିକ ଅର୍ଥ ଯୋଗାଇ ଦେଇଛନ୍ତି । ଏଥି ମଧ୍ୟରେ ୨୦୨୦-୨୧ ବର୍ଷରେ ସର୍ବାଧିକ ୨୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ମୋ ବସ୍‍ ଖରିଦ ପାଇଁ ରାଜ୍ୟ ସରକାର ଯେଉଁ ଅର୍ଥ ଦେଇଛନ୍ତି ତାହାକୁ ପରିଚାଳନା ଦାୟିତ୍ୱରେ ସଂସ୍ଥା ଆଠ ବର୍ଷ ମଧ୍ୟରେ ପରିଶୋଧ କରିବା କଥା । ଇତି ମଧ୍ୟରେ ଚାରିବର୍ଷ ଅତିବାହିତ ହୋଇଛି । ତେବେ ବସ୍‍ ଚଳାଚଳ ପାଇଁ ପାଣ୍ଠି ଅଭାବ ଯୋଗୁଁ ରାଜ୍ୟ ସରକାର ଖର୍ଚ୍ଚର ପ୍ରାୟ ୬୦ ପ୍ରତିଶତ ଅର୍ଥ ଯୋଗାଇ ଦେଉଛନ୍ତି । ଏଭଳି ସ୍ଥିତିରେ ମୋ ବସ୍‍ କେବେ ଆତ୍ମନିର୍ଭରଶୀଳ ହେବ ଓ ସରକାରଙ୍କ ଅର୍ଥ ପରିଶୋଧ କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)