Home Environment ମୋ ଖତ ଚାହିଦା ବୃଦ୍ଧି

ମୋ ଖତ ଚାହିଦା ବୃଦ୍ଧି

ଭୁବନେଶ୍ୱର : ମୋ ଖତର କ୍ରମ ବିକ୍ରିକୁ ମିଳିଛି ପ୍ରଶଂସା । ଉଭୟ ସରକାରୀ ବେସରକାରୀ ସ୍ତରରୁ ଏହି ପ୍ରଶଂସା ଆସିବା ସହିତ ବ୍ୟବହାର କରିଥିବା ନାଗରିକ ମଧ୍ୟ ଏହାକୁ କିଣିବା ପାଇଁ ଆସୁଥିବା ଦେଖାଯାଉଛି । ଭୁବନେଶ୍ୱର ମହାନଗର ନିଗମାଂଚଳରେ ରହିଥିବା ଏକମାତ୍ର ମୋ ଖତ କିଓସ୍କ ଗତ ମାର୍ଚ୍ଚ ମାସ ସୁଧା ୭୦ କ୍ୱିଂଟାଲ୍‌୍ରୁ ଉର୍ଦ୍ଧ୍ୱ ମୋ ଖତ ବିକ୍ରୟ କରିଛି । ଏହା ସହିତ ସରକାରୀ ବିଭାଗକୁ ମୋ ଖତ ଯୋଗାଇବା ପାଇଁ ଏହି କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି ।

ଜାନୁୟାରୀ ୮ ତାରିଖରେ ଆରମ୍ଭ ହୋଇଥିବା ମୋ ଖତ କିଓସ୍କ ସପ୍ତାହର ସବୁଦିନ ଖୋଲାରହି ଗ୍ରାହକ ମାନଙ୍କର ଜୈବିକ ଖତ ଜନିତ ଆବଶ୍ୟକତାକୁ ପୂରଣ କରିବାକୁ ପ୍ରତିଶୃତି ବଦ୍ଧ ହୋଇପାରିଛି । ଯାହାର ନମୁନା ହେଉଛି ବର୍ତମାନ ଅନ୍‌ଲାଇନ୍‌ରେ ଥିବା ସମସ୍ତ ଅର୍ଡ଼ର୍ ଦିଆସରିଛି ଏବଂ ପରୀକ୍ଷା ମୂଳକ ଭାବେ କିଛି ସ୍ଥାନରେ ହୋମ୍ ଡ଼େଲିଭରି କରାଇବା ପାଇଁ ପ୍ରୟାସ ଚାଲୁ ରହିଛି; ଏଥିରୁ ସୁଫଳ ମିଳିବା ମାତ୍ରେ ବି ଏମ୍ ସି ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାର ପ୍ରସ୍ତାବ ଦିଆଯିବ; କହିଛନ୍ତି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ । ନାଗରିକଙ୍କ ପସନ୍ଦ, ସହଯୋଗଏବଂ ଜୈବିକ ଖତରେ ଅଭ୍ୟାସ ଏଭଳି ପ୍ରୟାସକୁ ଆଗେଇ ନେବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ସରକାରୀ ସ୍ତରରୁ ମଧ୍ୟ ଏଥିପାଇଁ ଡିମାଣ୍ଡ ଆସିବାକୁ ଲାଗିଛି । ଓ ୟୁ ଏ ଟି ଏବଂ ବିଡିଏ ରୁ ସ୍ୱତନ୍ତ୍ରଭାବେ ପ୍ରସ୍ତାବ ଆସି ମୋ ଖତ କିଓସ୍କରୁ ପ୍ରାୟ ୧୫ କ୍ୱିଂଟାଲ୍ ଖତ ବିକ୍ରି ହୋଇଛି । ଅଗକୁ ମଧ୍ୟ ଏହି ସବୁ ବିଭାଗ ନିଜ ଆବଶ୍ୟକତା ପାଇଁ ମୋ ଖତର ବ୍ୟବହାର କରିବେ ବୋଲି କୁହାଯାଇଛି ।

ବ୍ୟକ୍ତିଗତଭାବେ କଓସ୍କକୁ ଆସି ଥରକରୁ ଦୁଇଥର ନେଇଥିବା ଅଜୟ ସେଠୀ କହନ୍ତି; “ଗଛ ଭଲ ବଢ଼ୁଛି, ଟିକେ ଡେରି ଲାଗିଲାଭଳି ମନେ ହେଲା, ମାତ୍ର ବଗିଚାର ଗଛଗୁଡିକ ଠିକ୍‌ଠାକ୍ ବଢ଼ୁଛନ୍ତି । ଭଲ ଫଳ ହେଉଛି” । ଅନ୍ୟମାନଙ୍କୁ ଏହି ଅଭିଜ୍ଞତା ଜଣାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଆଉଜଣେ ଗ୍ରହକ ।ଏଠାରେ ମିଳୁଥିବା ଖତ ନିଶ୍ଚିତ ଉନ୍ନତ ମାନର; ଭୁବନେଶ୍ୱରରେ ସରକାରୀ ସ୍ତରରୁ ଏହିଭଳି ଭଲ ଖତର ଚାହିଦା ରହିବ, କାରଣ ଏହା ମୋର ଭଲ ଫୁଲ ଫୁଟାଇଛି । ମୁଁ ନିଜେ ପରଖିଛି । ମୁଁ ଦୁଇଥର ନେଲାଣି” କହିଛନ୍ତି ସୁକାନ୍ତ ସାହୁ ।

ଆଜିସୁଦ୍ଧା କିଓସ୍କରେ ବିକ୍ରୟ ନିମନ୍ତେ ଆମ ପାଖରେ ପାଖାପାଖି ୧୫ କ୍ୱିଂଟାଲ୍ ଖତ ମହଜୁଦ ଅଛି । ଆସନ୍ତା ୭ ଦିନ ମଧ୍ୟରେ ଅଉ ୨୦ କ୍ୱିଂଟାଲ୍ ଖତ ମଧ୍ୟ ବିକ୍ରୟ ପାଇଁ ପ୍ରସ୍ତୁତ ହୋଇଯିବ ।ଯାହା ବଜାରର ଚାହିଦା ପୂରଣରେ କ୍ରମରକ୍ଷା କରିପାରିବ । ବର୍ତମାନ ଭୁବନେଶ୍ୱରରେ ଚାଲୁ ରହିଥିବା ୮ଗୋଟି ଏମ୍ ସି ସି ରୁ ବାହାରୁଛି ଜୈବିକ ସାର, ମୋ ଖତ । ଏଇ ସପ୍ତାହରେ କାର୍ଯ୍ୟକ୍ଷମ ହୋଇଥିବା ଆଉ ୮ଟି ଏମ୍ ସି ସି ରୁ ମଧ୍ୟ କ୍ରମଶଃ ବାହାରିବାକୁ ଲାଗିବ ମୋ ଖତ ।

ଏହି ସାର ଉତ୍ପାଦନରେ ଯେଉଁ ମାନଙ୍କର ପ୍ରଚ୍ଛନ୍ନ ହାତ ରହିଛି ସେମାନେ ହେଲେ ଭୁବନେଶ୍ୱରର ନାଗରିକ , ଯେଉଁମାନେକି ନିୟମିତ ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁକୁ ନିୟମିତ ବିଏମସି ସଫେଇ କର୍ମୀଙ୍କୁ ଦେଇ ଭୁବନେଶ୍ୱରରେ ବର୍ଜ୍ୟର ବିଜ୍ଞାନ ସମ୍ମତ ପରିଚାଳନାକୁ ପ୍ରମାଣିତ କରିବାରେ ନିଜର ଭୁମିକା ନିଭାଇଛନ୍ତି ।