Home General ମୋବାଇଲ୍‍ ଅପହଞ୍ଚ ଗାଁ ଓଡିଶାରେ ସର୍ବାଧିକ

ମୋବାଇଲ୍‍ ଅପହଞ୍ଚ ଗାଁ ଓଡିଶାରେ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟର ୬ହଜାରରୁ ଅଧିକ ଗାଁରେ ଏବେ ବି ମୋବାଇଲ୍‍ ସେବା ପହଞ୍ଚି ପାରିନାହିଁ, ଯାହା ସମଗ୍ର ଦେଶରେ ସର୍ବାଧିକ । ରାଜ୍ୟରେ ବ୍ରଡବ୍ୟାଣ୍ଡ୍‍ ଇଣ୍ଟରନେଟ୍‍ ସଂଯୋଗ ନେଇଥିବା ଗ୍ରାହକଙ୍କ ସଂଖ୍ୟା ୨କୋଟିରୁ ଅଧିକ ଥିବାବେଳେ ୬ହଜାରରୁ ଅଧିକ ଗାଁ କିନ୍ତୁ ମୋବାଇଲ୍‍ ସଂଯୋଗ ନଥିବା ଜଣାଯାଇଛି ।

ସମଗ୍ର ଦେଶରେ ମୋବାଇଲ୍‍ ସଂଯୋଗ ଅପହଞ୍ଚ ଥିବା ଗ୍ରାମ ସଂକ୍ରାନ୍ତରେ କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିଂ ଚୌହାନ ଲୋକସଭାରେ ଦେଇଥିବା ସୂଚନାରୁ ଏହା ଜଣାଯାଇଛି । ଏହି ସୂଚନା ଅନୁଯାୟୀ ସମଗ୍ର ଦେଶରେ ଏବେ ବି ୨୫,୦୬୭ଟି ଗ୍ରାମରେ ମୋବାଇଲ୍‍ ସେବା ପହଞ୍ଚି ପାରିନଥିବାବେଳେ ଏଥି ମଧ୍ୟରେ ଓଡିଶାର ସର୍ବାଧିକ ୬୦୯୯ଟି ଗ୍ରାମ ରହିଛି । ଏହା ପଛକୁ ମଧ୍ୟପ୍ରଦେଶରୁ ୨୬୧୨ଟି ଗାଁ ଥିବାବେଳେ ମହାରାଷ୍ଟ୍ରର ୨୩୨୮, ଅରୁଣାଚଳପ୍ରଦେଶର ୨୨୨୩ଟି ଗ୍ରାମ ରହିଛି ।

ସେହିଭଳି ଛତିଶଗଡରେ ୧୮୪୭ଟି ଗ୍ରାମ ମୋବାଇଲ ସେବା ଠାରୁ ଦୂରରେ ଥିବାବେଳେ ଆନ୍ଧ୍ରପ୍ରଦେଶର ୧୭୮୭, ମେଘାଳୟର ୧୬୭୪, ଜାମ୍ମୁ-କାଶ୍ମୀରର ୧୧୪୪ଟି ଗାଁ ଏହି ତାଲିକାରେ ରହିଛି । ତେବେ ସବୁଠାରୁ କମ୍‍ ମାତ୍ର ଗୋଟିଏ ଗ୍ରାମ ଲକ୍ଷାଦୀପ୍‍ରେ ଥିବାବେଳେ ପଡୋଶୀ ପଶ୍ଚିମବଙ୍ଗରେ ଏହି ସଂଖ୍ୟା ମାତ୍ର ୮ ରହିଛି ।

ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଭାରତ୍‍ ନେଟ୍‍ ଯୋଜନାରେ ସମଗ୍ର ଦେଶର ୭୨୮୭ଟି ମୋବାଇଲ୍‍ ଅପହଞ୍ଚ ଗ୍ରାମରେ ୪ଜି ମୋବାଇଲ୍‍ ସେବା ପହଞ୍ଚାଇବା ଲାଗି ଯୋଜନା ହୋଇଥିବାବେଳେ ଏଥିରେ ଓଡିଶାର ପାଖପାଖି ୪ହଜାର ଗ୍ରାମ ରହିଛି । ଏଥିପାଇଁ ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୫୪୨ଟି ମୋବାଇଲ୍‍ ଟାୱାର ବସିବ ଯେଉଁଥିରେ ଓଡିଶାର ବିଭିନ୍ନ ଅଞ୍ଚଳରେ ୪୮୩ଟି ଟାୱାର ସ୍ଥାପନ କରାଯିବ । ଏଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ମୋବାଇଲ୍‍ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ସହିତ ବୁଝାମଣା କରିଛନ୍ତି ।

ତେବେ ଓଡିଶାର ହଜାର ହଜାର ଗାଁରେ ମୋବାଇଲ୍‍ ସେବା ନଥିବାରୁ ଡିଜିଟାଲ ମୋଡରେ ଆର୍ଥିକ କାରବାର ସହିତ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରିତାରେ ସମସ୍ୟା ଉପୁଜୁଛି । ଏପରିକି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ମୋବାଇଲ୍‍ ସେବା ଦାବି କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକେ ଆନ୍ଦୋଳନକୁ ଓହ୍ଲାଇବା ସହିତ ଭୋଟ ବର୍ଜନ ଧମକ ଦେଇଥିଲେ । ପଡୋଶୀ ପଶ୍ଚିମବଙ୍ଗରେ ମାତ୍ର ୮ଟି ଗାଁରେ ମୋବାଇଲ୍‍ ସେବା ନଥିବାବେଳେ ଓଡିଶାରେ ଏଭଳି ଗାଁ ସଂଖ୍ୟା ସମଗ୍ର ଦେଶରେ ସର୍ବାଧିକ ରହିବା କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ସ୍ପଷ୍ଟ କରିଛନ୍ତି । (ତଥ୍ୟ)