Home General ମୋବାଇଲରେ ବାତ୍ୟା ସର୍ତକତା

ମୋବାଇଲରେ ବାତ୍ୟା ସର୍ତକତା

81
0

ଭୁବନେଶ୍ୱର : ବାତ୍ୟା ମୁକାବିଲାରେ ବଡ ସହାୟକ ହେଉଛି ମୋବାଇଲ ଫୋନ୍‍ । ସରକାରଙ୍କ ତରଫରୁ ଛଡାଯାଉଥିବା ସତର୍କତା ମେସେଜ ଓ ସୋସିଆଲ ମିଡିଆ ପୋଷ୍ଟ ହେଉଥିବା ସତର୍କ ସୂଚନା ସମ୍ବଳିତ ଭିଡିଓ ଆଦି ନିମିଷକ ମଧ୍ୟରେ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ସେମାନଙ୍କୁ ବାତ୍ୟା ସଂକ୍ରାନ୍ତରେ ଆଗୁଆ ସୂଚନା ପ୍ରଦାନରେ ସହାୟକ ହେଉଛି ।

୨୦୧୯ମସିହାରେ ଓଡିଶାର ଉପକୂଳ ଜିଲ୍ଲାରେ ତାଣ୍ଡବ ରଚିଥିବା ଫନି ମୁକାବିଲା ପାଇଁ ସରକାର ଏଭଳି ରଣନୀତି ଆପଣେଇ ଥିଲେ । ପରବର୍ତ୍ତୀ ବାତ୍ୟା ବୁଲ୍‍ ବୁଲ୍‍ ଓ ଅମ୍ଫାନରେ ଅନୁରୂପ ପଦକ୍ଷେପ ନିଆଯାଇଥିଲା ।

ସହର ଠାରୁ ଗାଁ ଗହଳରେ ଏବେ ପ୍ରତ୍ୟେକ ଲୋକଙ୍କ ହାତରେ ମୋବାଇଲ୍‍ ଫୋନ୍‍ ଥିବାରୁ ବାତ୍ୟା ସଂକ୍ରାନ୍ତୀୟ ମେସେଜ ପଠାଇବାପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ତଦନୁଯାୟୀ ଫନି ସଂକ୍ରାନ୍ତରେ ଲୋକଙ୍କୁ ଆଗୁଆ ଅବଗତ କରିବା ସକାଶେ କେବଳ ଏକ କୋଟି ୮୦ଲକ୍ଷ ସତର୍କ ସୂଚନା ସମ୍ବଳିତ ଏସ୍‍ଏମ୍‍ଏସ୍‍ ପଠାଯାଇଥିଲା । ଏହା ପୁଣିଥିଲା ସ୍ଥାନ ସମ୍ବଳିତ ମେସେଜ । କେଉଁ ଅଞ୍ଚଳରେ ଫନିର ପ୍ରଭାବ କିପରି ରହିବ ତାହାର ସୂଚନା ସେହି ଅଞ୍ଚଳବାସୀଙ୍କୁ ସ୍ୱତନ୍ତ୍ର ଭାବେ ପଠାଯାଉଥିଲା । ଓଡିଆ ଭାଷାରେ ମେସେଜ ପଠାଯାଉଥିବାରୁ ଏହା ଗାଁ ଗହଳର ଲୋକଙ୍କପାଇଁ ଆହୁରି ସହଜ ହୋଇଥିଲା ।

କେବଳ ମୋବାଇଲ୍‍ ମେସେଜ ନୁହେଁ, ସେତେବେଳେ ସ୍ୱତନ୍ତ୍ର ରିଲିଫ କମିଶନର ତାଙ୍କର ଫେସ୍‍ବୁକ୍‍ ପେଜ୍‍କୁ ମଧ୍ୟ ସକ୍ରିୟ କରି ବିଭିନ୍ନ ସତର୍କସୂଚନା ଥିବା ବାର୍ତ୍ତାମାନ ଅପଲୋଡ କରିଥିଲେ ଓ ଏହା ଲକ୍ଷାଧିକ ଲୋକଙ୍କ ନିକଟରେ ପହଞ୍ଚି ପାରିଥିଲା । ଦିନକୁ ହାରାହାରି ୨୧ଟି ବାର୍ତ୍ତା ପୋଷ୍ଟ ହେଉଥିବାବେଳେ ଏହାର ଦର୍ଶକ ସଂଖ୍ୟା ୨ଲକ୍ଷରୁ ଅଧିକ ରହୁଥିଲେ । ଏହାବାଦ୍‍ କର୍ତ୍ତୃପକ୍ଷ ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ମଧ୍ୟ ବ୍ୟବହାର କରୁଥିଲେ । ତେବେ ସବୁଠାରୁ ପ୍ରଭାବଶାଳୀ ରହିଥିଲା ମୋବାଇଲ ମେସେଜ । କାରଣ ଉଭୟ ସ୍ମାର୍ଟଫୋନ୍‍ ଓ ସାଧାରଣ ଫୋନ୍‍ ଧରିଥିବା ଲୋକଙ୍କ ନିକଟରେ ଏହା ପହଞ୍ଚି ପାରୁଥିଲା ।

ଏହାବାଦ୍‍ ଲୋକଙ୍କୁ ବାତ୍ୟା ସଂକ୍ରାନ୍ତରେ ସତର୍କ ସୂଚନା ପାଇଁ ଉପକୂଳ ଅଞ୍ଚଳରେ ସାଇରନ୍‍ ବଜାଇବା, ଜରୁରୀ ସମୟରେ ଯୋଗାଯୋଗ ଲାଗି ଅଧିକାରୀମାନଙ୍କୁ ସାଟେଲାଇଟ୍‍ ଫୋନ୍‍ ପ୍ରଦାନ ଦିଆଯାଇଥିଲା । ତେବେ ଅନ୍ୟତମ ପ୍ରଭାବଶାଳୀ ମାଧ୍ୟମ ଥିଲା ରେଡିଓ ବାର୍ତ୍ତା । ବିଦ୍ୟୁତ୍‍ ସରବରାହ ବିଚ୍ଛିନ୍ନ ସମୟରେ ଲୋକେ ସହଜରେ ବିଭିନ୍ନ ସୂଚନା ପାଇପାରୁଥିଲେ । ଫନି ପୂର୍ବରୁ କର୍ତ୍ତୃପକ୍ଷ ରେଡିଓ ଜରିଆରେ ପ୍ରାୟ ଦେଢ ହଜାର ବାର୍ତ୍ତା ଜାରି କରିଥିଲେ । ଏହାଛଡା ବିଭିନ୍ନ ଟିଭି ଚ୍ୟାନେଲରେ ମଧ୍ୟ ସତର୍କତା ସୂଚନା ଦିଆଯାଇଥିଲା ।

ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁଁ ଗତ ଦୁଇ ଦଶନ୍ଧି ମଧ୍ୟରେ ଆସିଥିବା ଏହି ଦ୍ୱିତୀୟ ବଡ ବାତ୍ୟରେ ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲେ ମଧ୍ୟ ଧନ ଜୀବନ କ୍ଷତିକୁ ବହୁ ପରିମାଣରେ ରୋକାଯାଇ ପାରିଥିଲା । ବର୍ତ୍ତମାନ ବାତ୍ୟା ୟାସ ଓଡିଶା ଉପକୂଳକୁ ମାଡି ଆସୁଥିବାରୁ କର୍ତ୍ତୃପକ୍ଷ ପୁଣିଥରେ ପୂର୍ବର ସଫଳ ରଣନୀତିକୁ ଆପଣେଇବେ ବୋଲି ସୂଚନା ମିଳୁଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here