Home Agriculture ମେ ପ୍ରଥମ ସପ୍ତାହରୁ ରବିଧାନ ସଂଗ୍ରହ

ମେ ପ୍ରଥମ ସପ୍ତାହରୁ ରବିଧାନ ସଂଗ୍ରହ

ଭୁବନେଶ୍ୱର : କରୋନା ସଂକ୍ରମଣର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ମଇ ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହେଉଥିବା ରବିଧାନ ସଂଗ୍ରହ କାର୍ଯ୍ୟକୁ ସୁସଂହତ କରିବା ନିମନ୍ତେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ବିଭାଗ ପକ୍ଷରୁ ଏକ ସଂକ୍ରାନ୍ତରେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇ ସଂପୃକ୍ତ ଜିଲ୍ଲାପାଳମାନଙ୍କ ନିକଟକୁ ପଠାଯାଇଛି । ବିଗତ ଖରିଫ ଧାନସଂଗ୍ରହ ସମୟରେ କରୋନା କଟକଣାକୁ ଅନୁପାଳନ କରାଯାଇ ସଂଗଠିତ ଉପାୟରେ ଧାନସଂଗ୍ରହ କରାଯାଇପାରିଥିବା ଦୃଷ୍ଟିରୁ ଚଳିତ ରବିଧାନ ସଂଗ୍ରହ ମଧ୍ୟ ସୁରୁଖୁରୁରେ ସଂପନ୍ନ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏଥି ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଧାନସଂଗ୍ରହ କେନ୍ଦ୍ରରେ ସୋସାଇଟି କର୍ମକର୍ତ୍ତା, ମିଲର କିମ୍ବା ସେମାନଙ୍କ ପ୍ରତିନିଧି ଏବଂ ସର୍ବୋପରି ଚାଷୀଙ୍କ ନିମନ୍ତେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ଭିଡ଼ ଏଡ଼ାଇବା ପାଇଁ ଗୋଟିଏ କେନ୍ଦ୍ରରେ ଦିନକୁ ୩୦ରୁ ୩୫ ପର୍ଯ୍ୟନ୍ତ ଚାଷୀଙ୍କଠାରୁ ଧାନସଂଗ୍ରହ କରାଯିବ । ଏଥିରୁ ଉର୍ଧ ଚାଷୀଙ୍କଠାରୁ ଧାନସଂଗ୍ରହ କରାଯାଇପାରିବ ନାହିଁ । ୧୦-୧୨ ଜଣ ଚାଷୀଙ୍କୁ ଦିନର ନିର୍ଦ୍ଦିଷ୍ଟ ସମୟରେ ଧାନ ବିକି୍ର କରିବା ପାଇଁ ଆସିବା ନିମନ୍ତେ ସୂଚନା ଦିଆଯିବ । ଆବଶ୍ୟକ ପଡ଼ିଲେ ଭିଡ଼ ଏଡ଼ାଇବା ପାଇଁ ଅଧିକ ସଂଖ୍ୟକ ଧାନସଂଗ୍ରହ କେନ୍ଦ୍ର ଖୋଲାଯିବ । ସଂପୃକ୍ତ ଜିଲ୍ଲାପାଳମାନେ ଏଥି ନିମନ୍ତେ ତୁରନ୍ତ ପ୍ରସ୍ତାବ ଦେବା ପାଇଁ କୁହାଯାଇଛି ।

ଧାନସଂଗ୍ରହ କେନ୍ଦ୍ରରେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବରେ ପାଳନ କରାଯିବ । କେନ୍ଦ୍ରଗୁଡ଼ିକରେ ଚାଷୀ ଏବଂ ଶ୍ରମିକ ଓ ଅନ୍ୟ କର୍ମକର୍ତ୍ତାମାନଙ୍କ ପାଇଁ ସାନିଟାଇଜରର ବ୍ୟବସ୍ଥା କରାଯିବ । କେନ୍ଦ୍ରର ପ୍ରବେଶ ପଥରେ ସାନିଟାଇଜର ରଖାଯିବ ଯେପରି ଏହା ସମସ୍ତଙ୍କର ଦୃଷ୍ଟିଗୋଚର ହେଉଥିବ । ପ୍ରତ୍ୟେକ କେନ୍ଦ୍ରରେ ପର୍ଯ୍ୟାପ୍ତ ସଂଖ୍ୟକ ସାନିଟାଇଜର ମହଜୁଦ ଅଛି କି ନାହିଁ, ସେ ସଂପର୍କରେ ନିବନ୍ଧକ, ସମବାୟ ସମିତି ସମୂହ ପକ୍ଷରୁ ନିଶ୍ଚିତ କରାଯିବ । ସେହିପରି ମିଶନ ଶକ୍ତିର ନିର୍ଦ୍ଦେଶକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ସାନିଟାଇଜର ଉପଲବ୍ଧ କରାଇବେ । ଯେଉଁସବୁ କେନ୍ଦ୍ର ଭିଡ଼ ଏଡ଼ାଇବା ଦିଗରେ ବିଫଳ ହେବେ ସେମାନଙ୍କୁ ଧାନସଂଗ୍ରହ କରିବା ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ।

ପ୍ରତିଦିନ ସକାଳ ୭ ଘଟିକାଠାରୁ ଅପରାହ@ ୧ ଘଟିକା ପର୍ଯ୍ୟନ୍ତ ଧାନସଂଗ୍ରହ କରାଯିବ । ଅପରାହ୍ନରେ କଷ୍ଟମ ମିଲରମାନଙ୍କ ଦ୍ୱାରା ଧାନ ଉଠାଣ କାର୍ଯ୍ୟ କରାଯିବ । ଚାଷୀ ଚିହ୍ନଟ ନିମନ୍ତେ ଆଇରିସ୍‌ ସ୍କାନରକୁ ପ୍ରତିଥର ବ୍ୟବହାର ପୂର୍ବରୁ ସାନିଟାଇଜ୍‌ କରାଯିବ । ଆଇରିସ୍‌ ସ୍କାନରକୁ ଗୋଟିଏ ଷ୍ଟାଣ୍ଡରେ ରଖାଯିବ । ଧାନସଂଗ୍ରହ କେନ୍ଦ୍ରକୁ କେବଳ ସୋସାଇଟିର କର୍ମକର୍ତ୍ତା, ମିଲରଙ୍କ ପ୍ରତିନିଧି, ଶ୍ରମିକ, ସେହିଦିନ ଧାନ ବିକିବା ନିମନ୍ତେ ନିର୍ଦ୍ଧାରିତ ଚାଷୀ ଏବଂ ଗାଡ଼ିର ଡ୍ରାଇଭର ଓ ହେଲ¬ର ବ୍ୟତୀତ ଆଉ କାହାକୁ ପ୍ରବେଶର ଅନୁମତି ପ୍ରଦାନ କରାଯିବ ନାହିଁ ।

ବାହାରର କୌଣସି ଲୋକ ମଣ୍ଡି ଭିତରକୁ ପ୍ରବେଶ କଲେ ତୁରନ୍ତ ଜିଲ୍ଲା ପ୍ରଶାସନଙ୍କୁ ଖବର ଦିଆଯିବ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି । ଭିନ୍ନ ଭିନ୍ନ କାର୍ଯ୍ୟ ସଂପାଦନ ନିମନ୍ତେ ମଣ୍ଡିକୁ ବିଭିନ୍ନ ଭାଗରେ ବିଭକ୍ତ କରାଯିବ ଏବଂ ଏଗୁଡ଼ିକ ମଧ୍ୟରେ ଅନୁନ୍ୟ ୩ ମିଟର ବ୍ୟବଧାନ ରହିବ । କେନ୍ଦ୍ରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଚାଷୀମାନଙ୍କୁ ସେମାନଙ୍କ ଧାନ ବିକିବା ପାଳି ଓ ସମୟ ସଂପର୍କରେ ସୂଚିତ କରାଯିବ । କେନ୍ଦ୍ରରେ କୌଣସି ପ୍ରକାର ଧୂମପାନ କିମ୍ବା ଛେପ ପକାଇବା ପାଇଁ ନିଷେଧ କରାଯାଇଛି ।

କୋଭିଡ୍‌-୧୯ ମହାମାରୀ ସଂପୂର୍ଣ୍ଣ ମାନବସମାଜ ନିମନ୍ତେ ଏକ ଆହ୍ୱାନ ହୋଇଥିବାବେଳେ ଚାଷୀମାନଙ୍କୁ ଧାନ ବିକିବା ନିମନ୍ତେ ଧୈର୍ଯ୍ୟ ଧରିବା ପାଇଁ କୁହାଯାଇଛି । ଧାନସଂଗ୍ରହ କେନ୍ଦ୍ରରେ ବିନା ମାସ୍କରେ କାହାରିକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ସେହିପରି କେନ୍ଦ୍ରରେ କାହାରିକୁ ଜ୍ୱର କିମ୍ବା ଥଣ୍ଡା ହୋଇଥିବା ଲକ୍ଷ୍ୟ କରାଗଲେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯିବ ।

ଧାନସଂଗ୍ରହରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ହାତରେ ନନ୍‌ସର୍ଜିକାଲ ଗ୍ଲୋବସ୍‌ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ପ୍ରକାରର କୋଭିଡ୍‌ କଟକଣାକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏଥି ସହିତ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ଯେପରି ପଡ଼ୋଶୀ ରାଜ୍ୟର ଧାନ ଓଡ଼ିଶା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ।

ସୂଚନାଯୋଗ୍ୟ ଯେ ଚଳିତ ରବି ଧାନସଂଗ୍ରହ କାର୍ଯ୍ୟ ରାଜ୍ୟର ୧୭ଟି ଜିଲ୍ଲା ଯଥା ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ କରାଯିବ । ଏଥି ନିମନ୍ତେ ମୋଟ ୨ ଲକ୍ଷ ୨୩ ହଜାର ୨୨୨ ଜଣ ଚାଷୀ ସେମାନଙ୍କର ପଂଜୀକରଣ କରିଛନ୍ତି ଏବଂ ବିଭାଗ ପକ୍ଷରୁ ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି ।