Home General ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ୩୬୦୮ କୋଟି

ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ୩୬୦୮ କୋଟି

ଭୁବନେଶ୍ୱର : ଜଳ ଜୀବନ ମିଶନ ଯୋଜନାରେ ରାଜ୍ୟରେ ପ୍ରତିଷ୍ଠା ହେଉଥିବା ସମସ୍ତ ବୃହତ୍‍ ପାନୀୟଜଳ ଯୋଗାଣ ପ୍ରକଳ୍ପ ଆସନ୍ତା ମାର୍ଚ୍ଚ ୨୩ ପରେ ସଂପର୍ଣ୍ଣ ହେବାର ଲକ୍ଷ୍ୟ ରହିଛି । ୨୦୨୨-୨୩ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ଏହି ଯୋଜନା କାର୍ଯ୍ୟକାରୀ ଲାଗି ୩୬୦୮.୬୨ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।

ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଜଳ ଜୀବନ ମିଶନ ଯୋଜନାରେ ରାଜ୍ୟରେ ମୋଟ ୧୩୩ଟି ବୃହତ୍‍ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏହାବାଦ୍‍ ରାଜ୍ୟ ଯୋଜନାରେ ଓଡ଼ିଶା ସରକାର ୭୪ଟି ବୃହତ୍‍ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ।

ରାଜ୍ୟ ସରକାର ଯେଉଁ ୭୪ଟି ବୃହତ୍‍ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଉଛନ୍ତି ସେଥିମଧ୍ୟରେ ବସୁଧା ଯୋଜନାରେ ୮ଟି, ନାବାର୍ଡର ଆରଆଇଡିଏଫ୍‍ରେ ୨୧ଟି, ଚତୁର୍ଥ ଅର୍ଥ କମିଶନଙ୍କ ସହାୟତାରେ ୭ଟି, ଓମ୍ବାଡକ୍‍ ଜରିଆରେ ୩୧ଟି ଓ ଡିଏମଏଫ୍‍ ଜରିଆରେ ୭ଟି କାର୍ଯ୍ୟକାରୀ ହେଉଛି । ଏହି ୭୪ଟି ପ୍ରକଳ୍ପ ମଧ୍ୟରୁ ୧୦ଟିର କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ଆଉ ୭ଟିର କାର୍ଯ୍ୟ ସରିବାର ଲକ୍ଷ୍ୟ ରହିଛି ।

ଜଳ ଜୀବନ ମିଶନ ଯୋଜନା ଜରିଆରେ ୨୦୨୪ ସୁଦ୍ଧା ଦେଶର ପ୍ରତ୍ୟେକ ପରିବାରକୁ ପାଇପ୍‍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ସକାଶେ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଏଥିପାଇଁ ୩.୬୦ ଲକ୍ଷ କୋଟି ଟଙ୍କା ବ୍ୟୟ ହେବ, ଯେଉଁଥିରେ କେନ୍ଦ୍ରର ଅଂଶଧନ ୨୦.୦୮ ଲକ୍ଷ କୋଟି ଟଙ୍କା ରହିଛି । କେନ୍ଦ୍ର ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଏଥିପାଇଁ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦେଉଛନ୍ତି । ପଞ୍ଚଦଶ ଅର୍ଥ କମିଶନ ଅତିରିକ୍ତ ଭାବେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ଏଥିପାଇଁ ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ୧.୪୨ ଲକ୍ଷ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅର୍ଥରେ ଗ୍ରାମାଞ୍ଚଳରେ ଜଳ ଏବଂ ପରିମଳ କାର୍ଯ୍ୟ ସହିତ ବର୍ଷାଜଳ ସଂରକ୍ଷଣ କରାଯିବ ।

ଜଳ ଜୀବନ ମିଶନ ଯୋଜନା ଅଧୀନରେ ଓଡ଼ିଶାକୁ କେନ୍ଦ୍ର ସରକାର ୨୦୨୨-୨୩ ବର୍ଷରେ ୩୬୦୮.୬୨ କୋଟି ଟଙ୍କା ଯୋଗାଇଛନ୍ତି । ଯେଉଁଥିରୁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୮୬୬.୫୭ କୋଟି ଟଙ୍କା ଉଠାଇଛନ୍ତି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିକଟରେ ଏହି ଅର୍ଥରୁ ୨୦୬୩.୮୭ କୋଟି ଟଙ୍କା ମହଜୁଦ ରହିଥିବା କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)