Home General ମୃତ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ

ମୃତ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଫେବୃଆରୀ ୫ ତାରିଖ ଶନିବାର ଏକ ଲ୍ୟାଣ୍ଡମାଇନ ବିସ୍ପୋରଣରେ ପ୍ରାଣ ହରାଇଥିବା “ଧରିତ୍ରୀ’’ ଖବରକାଗଜର କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ବ୍ଲକ୍‌ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି ।

ଫେବୃଆରୀ ୫ ତାରିଖ ଦିନ ମଦନପୁର-ରାମପୁର ଓ ମୋହନଗିରି ମଧ୍ୟସ୍ଥ ଡୋମକର୍ଲାଖୁଣ୍ଟା ପୋଲ ନିକଟରେ ସମ୍ବାଦ ସଂଗ୍ରହ କରୁଥିବା ବେଳେ ରୋହିତ ବିଶ୍ୱାଳ ଏକ ଲ୍ୟାଣ୍ଡମାଇନ ବିସ୍ପୋରଣରେ ପ୍ରାଣ ହରାଇଥିଲେ ।

ତାଙ୍କ ମର୍ମନ୍ତୁଦ ନିଧନ ସମ୍ବାଦ ପାଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ତୁରନ୍ତ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା (ଓଡ଼ିଶା ପୋଲିସ ପକ୍ଷରୁ ୯ ଲକ୍ଷ ଟଙ୍କା ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ପରିଚାଳିତ ସାମାଜିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା)ର ଅନୁକମ୍ପା ରାଶି ପ୍ରଦାନ ନେଇ ଘୋଷଣା କରିଥିଲେ ।

ଏହି ଦୁଃଖଦ ଘଟଣାରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ ଗଭୀର ମର୍ମାହତ ହୋଇଥିଲେ ଓ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଅନୁକମ୍ପା ରାଶି ବାବଦରେ ୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ତାଙ୍କ ପନିୀ ମାଧବୀ ବିଶ୍ୱାଳଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରେରଣ କରାଯାଇଛି ।