Home General ମୁମ୍ବାଇ ଢାଞ୍ଚାରେ ତାଲିମ କେନ୍ଦ୍ର

ମୁମ୍ବାଇ ଢାଞ୍ଚାରେ ତାଲିମ କେନ୍ଦ୍ର

ଭୁବନେଶ୍ୱର : ମୁମ୍ବାଇ ସହରର ଢାଞ୍ଚାରେ ଅବକାରୀ ସ୍କ୍ୱାଡ୍‍ ଓ କଷ୍ଟମ ଡ୍ୟୁଟି ଉପରେ ଅନୁଧ୍ୟାନ ଲାଗି ତାଲିମ କେନ୍ଦ୍ର ପ୍ରତିଷ୍ଠା ସକାଶେ ଅବକାରୀ ବିଭାଗର ଷ୍ଟାଣ୍ଡିଂ କମିଟି ସୁପାରିଶ୍‍ କରିଛି । ବିଧାୟକ ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ୧୧ଜଣ ବିଧାୟକ ଅଛନ୍ତି ।

କମିଟି ତାହାର ସୁପାରିଶ୍‍ରେ କହିଛି ଯେ ଅବକାରୀ ବିଭାଗର ଦପ୍ତର, କର୍ମଚାରୀଙ୍କ ବାସଗୃହ ଆଦିର ରକ୍ଷଣା ବେକ୍ଷଣ ଜରୁରୀ ହୋଇପଡିଛି । ଏଥିପାଇଁ ଅତିରିକ୍ତ ବଜେଟ୍‍ରେ ୨୫ କୋଟି ଟଙ୍କାର ବ୍ୟୟବରାଦ କରିବାକୁ କୁହାଯାଇଛି । ସେହିଭଳି ଅବକାରୀ ବିଭାଗର ଆବଶ୍ୟକତା ଅନୁଯାୟୀ ନୂଆ ଗାଡି କିଣିବା ସହିତ ପୁରୁଣା ଗାଡିର ମରାମତି ଲାଗି ୭୦ଲକ୍ଷ ଟଙ୍କା ବରାଦ ପାଇଁ କୁହାଯାଇଛି ।

ମୁମ୍ବାଇ ସହର ଢାଞ୍ଚାରେ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଗଲେ ଅବକାରୀ ବିଭାଗର କ୍ଷେତ୍ର କର୍ମଚାରୀମାନେ ନିଶା ଓ ଅସ୍ତ୍ରଶସ୍ତ୍ର କାରବାରରେ ଲିପ୍ତ ଅପରାଧିମାନଙ୍କୁ ସହଜରେ ଠାବ କରିପାରିବେ ବୋଲି କୁହାଯାଇଛି । କମିଟି ମଧ୍ୟ ଦପ୍ତର ଓ କ୍ୱାଟର୍ସ ନିର୍ମାଣ ପାଇଁ ଅତିରିକ୍ତ ବଜେଟ୍‍ରେ ୩୦କୋଟି ଟଙ୍କାର ବ୍ୟୟବରାଦ ପାଇଁ ସୁପାରିଶ୍‍ କରିଛନ୍ତି । ଏଥିସହିତ ବାହାର ସଂସ୍ଥାରୁ ଠିକା କର୍ମଚାରୀ ଆଣିବା ବଦଳରେ ଆବଶ୍ୟକତା ଅନୁଯାୟୀ ନିୟମିତ ଭାବେ ସ୍ଥାୟୀ କର୍ମଚାରୀ ନିଯୁକ୍ତି ସପକ୍ଷରେ ମତ ଦେଇଛନ୍ତି । ଅବକାରୀ ବିଭାଗର ଆବଶ୍ୟକତା ଅନୁଯାୟୀ ପୁଲିସ୍‍ ମହାନିର୍ଦ୍ଦେଶକ ୨୪ଘଣ୍ଟା ସଶସ୍ତ୍ର ପୁଲିସ୍‍ବଳ ଯୋଗାଇ ଦେବାକୁ କମିଟି ସୁପାରିଶ୍‍ କରିଛି ।

କମିଟି ରିପୋର୍ଟରେ ଦର୍ଶାଯାଇଛି ଯେ ଅବକାରୀ ମାମଲା ଗୁଡିକର ତ୍ୱରିତ ଫଏସଲା ଲାଗି ସ୍ୱତନ୍ତ୍ର ଅଦାଲତ ସ୍ଥାପନ ପ୍ରସ୍ତାବ ଆଇନ୍‍ ବିଭାଗକୁ ପଠାଯାଇଛି । ଅବକାରୀ ମାମଲା ଦଣ୍ଡହାର କମ୍‍ ସଂକ୍ରାନ୍ତରେ କୁହାଯାଇଛି ଯେ ଅଧିକାଂଶ ମାମଲା ସିଜେଏମ୍‍ ଅଦାଲତକୁ ପଠାଯାଉ ନାହିଁ । ଏହି ଅଦାଲତଙ୍କର ଅପରାଧିଙ୍କୁ ୩ବର୍ଷରୁ ଅଧିକ ଦଣ୍ଡ ଦେବାର କ୍ଷମତା ରହିଛି । ତାଲିମ କେନ୍ଦ୍ର, ଅବକାରୀ ଏକାଡେମୀ ଓ ଅବକାରୀ ଭବନ ନିର୍ମାଣ ପାଇଁ କଟକର ସତୀ ଚଉରା ନିକଟସ୍ଥ କୃଷକ ବଜାର ଠାରେ ଜମି ଚିହ୍ନଟ ହୋଇଥିବାବେଳେ ପ୍ଲାନ ପ୍ରସ୍ତୁତ ହେଉଥିବା ସୂଚନା ଦିଆଯାଇଛି ।