Home Finance ମୁଣ୍ଡପିଛା ଆୟ 1,27,383 ଟଙ୍କା

ମୁଣ୍ଡପିଛା ଆୟ 1,27,383 ଟଙ୍କା

ଭୁବନେଶ୍ୱର :  2020-21 ରେ ଓଡିଶାର ମୁଣ୍ଡପିଛା ଆୟ 1,09,071/- ଟଙ୍କା ଥିଲାବେଳେ ଏହା ଉଲ୍ଲେଖନୀୟ ଭାବେ 16.8 ପ୍ରତିଶତ ବୃଦ୍ଧିପାଇ 2021-22 ମସିହାରେ 1,27,383/- ଟଙ୍କାରେ ପହଞ୍ଚିବାର ଆକଳନ କରାଯାଇଥିବା ରାଜ୍ୟ ବିଧାନସଭରେ ଉପସ୍ଥାପିତ ୨୦୨୧-୨୨ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ସେହିଭଳି ବେକାରୀ ହାର ରାଜ୍ୟରେ 2017-18 ମସିହାରେ 7.1 ଶତାଂଶ ଥିବାବେଳେ ଏହା ହ୍ରାସ ପାଇ 2019-20 ମସିହାରେ 6.2 ଶତାଂଶକୁ ଖସିଆସିଛି । ସର୍ବ ଭାରତୀୟ ସ୍ତରରେ ଏହା 2019-20 ରେ 4.8 ଶତାଂଶ ବୋଲି ପଞ୍ଜିକୃତ କରାଯାଇଛି ।

ଦେଶର ଦୃତ ଅଭିବୃଦ୍ଧିଶୀଳ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ଗୋଟିଏ । ଏହାର ଅଭିବୃଦ୍ଧି ହାର 2021-22 ରେ 10.1 ପ୍ରତିଶତ ଆକଳନ କରାଯାଉଥିବା ବେଳେ ଯାହା ଜାତୀୟ ଅଭିବୃଦ୍ଧି ହାର (8.8) ଠାରୁ ଅଧିକ । 2021-22 ଆର୍ଥିକ ବର୍ଷରେ ଶିଳ୍ପ କ୍ଷେତ୍ରର ଉପବିଭାଗ ଯଥା ଉତ୍ପାଦନ ଶିଳ୍ପ ଓ ଖଣି ଶିଳ୍ପ ଯଥାକ୍ରମେ 14.03 ଓ 18.1 ପ୍ରତିଶତ ଚମତ୍କାର ଅଭିବୃଦ୍ଧି ପ୍ରଦର୍ଶନ କରିବା ଫଳରେ ଶିଳ୍ପ କ୍ଷେତ୍ରରେ 14.5 ପ୍ରତିଶତ ଅଭିବୃଦ୍ଧି ଆଶା କରାଯାଉଛି । ସେବାକ୍ଷେତ୍ର 2021-22 ରେ 7.9 ପ୍ରତିଶତ ବୃଦ୍ଧି ହେବାର ଆଶା କରାଯାଉଛି । ରାଜ୍ୟର କୃଷି ଓ ସହଯୋଗୀ କ୍ଷେତ୍ର ଗୁଡିକ 2021-22 ରେ ପ୍ରାକୃତିକ ବିପର୍ଯ୍ୟୟ ଯଥା – ମରୁଡି, ଅନିୟମିତ ବୃଷ୍ଟିପାତ, ଜୱାଦ, ଗୁଲ୍ଲାବ ଏବଂ ୟାସ୍ ଭଳି ବାତ୍ୟା ଯୋଗୁଁ ଏହି କ୍ଷେତ୍ରର ଅଭିବୃଦ୍ଧି ହାର 3.4 ପ୍ରତିଶତ ସଂକୋଚନ ହେବାର ଆକଳନ କରାଯାଇଛି ।

2021-22 ଅଗ୍ରୀମ ଅଟକଳ ଅନୁଯାୟୀ କୃଷି ଓ ଏହାର ସହଯୋଗୀ କ୍ଷେତ୍ର 20.6 ପ୍ରତିଶତ, ଶିଳ୍ପ କ୍ଷେତ୍ର 39.5 ପ୍ରତିଶତ ଏବଂ ସେବାକ୍ଷେତ୍ର 39.9 ପ୍ରତିଶତ ଓଡିଶା ଅର୍ଥନୀତିକୁ (GSVA) ଯୋଗଦାନ କରିବାର ଆକଳନ କରାଯାଇଛି ।

ରାଜ୍ୟରେ ମିଳିତ ହାରାହାରି ଖାଉଟି ମୂଲ୍ୟ ସୂଚକାଙ୍କ ମୁଦ୍ରାସ୍ପିତ 2021-22 (ଏପ୍ରିଲ – ଜାନୂୟାରୀ) ମସିହାରେ 2.7 ଶତାଂଶ ଥିବାବେଳେ ସର୍ବଭାରତୀୟ ସ୍ତରରେ 5.3 ଶତାଂଶ ବୋଲି ପଞ୍ଜିକୃତ କରାଯାଇଛି ।

ଅଧିକ ରାଜସ୍ୱ ସଂଗ୍ରହ ଓ ଉନ୍ନତ ବ୍ୟୟ ପରିଚାଳନା ସହିତ ରାଜ୍ୟ କ୍ରମାଗତ ଭାବରେ ଏକ ରାଜସ୍ୱ ବଳକା ରାଜ୍ୟ ହେବା ସହିତ ଆର୍ଥିକ ନିଅଣ୍ଟକୁ FRBM Act. ଅନୁଯାୟୀ GSDPର 3.5 ପ୍ରତିଶତ ସ୍ତରରେ ରଖିପାରିଛି । ରାଜ୍ୟର ରାଜସ୍ୱ ଆଦାୟ 2020-21  (B.E)ରେ 1,07,200 କୋଟି ଟଙ୍କା ଥିବାସ୍ଥଳେ ଏହା 2021-22 ରେ 17.2 ପ୍ରତିଶତ ବୃଦ୍ଧିପାଇ 1,25,600 କୋଟି ଟଙ୍କାରେ ପହଞ୍ଚଛି । ମୋଟ ଖର୍ଚ୍ଚର 72.7 ପ୍ରତିଶତ (2021-22 BE) ବିକାଶମୂଳକ ଖର୍ଚ୍ଚ, ଖର୍ଚ୍ଚର ଗୁଣବତ୍ତାର ଏକ ସକାରାତ୍ମକ ସୂଚକ ଏବଂ ସାମଗ୍ରିକ, ସାମାଜିକ ଓ ଆର୍ଥିକ ବିକାଶ ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ସୂଚାଏ ।

ବିଦ୍ୟୁତ୍ ଚାହିଦା ଠାରୁ ଅଧିକ ଉତ୍ପାଦନ କରୁଥିବାରୁ ଓଡିଶା ଏକ ବିଦ୍ୟୁତ୍ ବଳକା ରାଜ୍ୟ ଭାବରେ ପରିଚିଚ । 2019-20 ରେ ରାଜ୍ୟରେ ମୋଟ ସଂସ୍ଥାପିତ କ୍ଷମତା 7676.69 MW ଥିବାବେଳେ 2020-21ରେ ଏହା 8018.25 MW (କେନ୍ଦ୍ର ଓ ଅନ୍ୟାନ୍ୟ ଉତ୍ସକୁ ମିଶାଇ)ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, 2021 ମସିହାରେ ରାଜ୍ୟର ସହରାଞ୍ଚଳ ଜନସଂଖ୍ୟା 84 ଲକ୍ଷ ହେବ ବୋଲି ଆକଳନ କରାଯାଇଥିଲା, ଯାହା ଓଡିଶାର ମୋଟ ଜନସଂଖ୍ୟାର 18.5 ପ୍ରତିଶତ ଅଟେ ।

ଓଡିଶାର ଦୁଇଟି ସ୍ମାର୍ଟ ସହର ମଧ୍ୟରୁ ଭୁବନେଶ୍ୱର, ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସହଜ ଜୀବନ ସୂଚକାଙ୍କ, 2021 ସଂକଳନରେ ଭାରତର ଶ୍ରେଷ୍ଠ ଦଶଟି ରାଜଧାନୀ ମଧ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିଛି । 2021 ମସିହାରେ ପୁରୀ, ଦେଶର ପ୍ରଥମ ସହର ଭାବରେ ସରକାରଙ୍କ “ସୁଜଳ ମିଶନ୍” ଅଧୀନରେ “ଡ୍ରିଙ୍କ ଫ୍ରମ ଟ୍ୟାପ୍” ସୁବିଧା ପାଇଛି । ଅନ୍ୟ ସହରୀ ସ୍ଥାନୀୟ ସଂସ୍ଥାଗୁଡିକୁ ସମାନ ସୁବିଧା ଯୋଗାଇଦେବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସରକାର ମଧ୍ୟ ବକ୍ସି ଜଗବନ୍ଧୁ ନିଶ୍ଚିତ ଡ୍ରିଙ୍କିଙ୍ଗ ଓ୍ୱାଟର ଟୁ ଅଲ ହାବିଟେସନ (BASUDHA) ଜରିଆରେ ସମସ୍ତ ଗ୍ରାମାଞ୍ଚଳକୁ ପାଇପ୍ ପାନୀୟ ଜଳ ଯୋଗାଣର ସାର୍ବଜନୀନ ପରିସର ଭୁକ୍ତ କରୁଛନ୍ତି । 2024-25 ସୁଦ୍ଧା ସମସ୍ତ ଗ୍ରାମରେ ସୁରକ୍ଷିତ ପାନୀୟ ଜଳ ଯୋଗାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି

ରାଜ୍ୟର ମୋଟ ଘରୋଇ ଉତ୍ପାଦନର ଶତକଡା ସ୍ୱାସ୍ଥ୍ୟ ଖର୍ଚ୍ଚ 2019-20 ରେ 1.19 ପ୍ରତିଶତରୁ 2021-22 ରେ 1.59 ପ୍ରତିଶତକୁ ବୃଦ୍ଧି ପାଇଛି । ନବଜାତକ ମୃତ୍ୟୁହାର, ଶିଶୁ ମୃତ୍ୟୁହାର ଏବଂ ପାଞ୍ଚ ବର୍ଷରୁ କମ୍ ମୃତ୍ୟୁହାର କ୍ରମାଗତ ଭାବରେ ହ୍ରାସ ପାଉଛି ଯାହା ରାଜ୍ୟର ସ୍ୱାସ୍ଥ୍ୟର ଉନ୍ନତି ସୂଚାଉଛି । NFHS-5 (2019-21) ଅନୁଯାୟୀ, ଏକ ହଜାର ଜୀବନ୍ତ ଜନ୍ମରେ (27),   (36.3) ଏବଂ (41.1) କୁ ହ୍ରାସ ପାଇଛି, ଯାହା NFHS-4 (2015-16) ରେ ଯଥାକ୍ରମେ 28, 40 ଏବଂ 48 ରହିଥିଲା ।

ପୂର୍ଣ୍ଣ ଟୀକାକରଣ/ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS-5, 2019-21) ଅନୂଯାୟୀ 12-23 ମାସ ବୟସର ପିଲାମାନଙ୍କର ଜାତୀୟ ସ୍ତରରେ 76.4 ପ୍ରତିଶତ ଟିକାକରଣ କରାଯାଇଥିବା ସ୍ଥଳେ ଓଡିଶାରେ ଉଲ୍ଲେଖନୀୟ ଭାବେ 90.5 ପ୍ରତିଶତ ପିଲାଙ୍କୁ ଟିକାକରଣ କରାଯାଇଛି । ମାତୃମୃତ୍ୟୁ ହାର 2014-16 ମସିହାରେ 180 ଥିବାବେଳେ ଏହା ହ୍ରାସପାଇ 2017-19 ରେ 136ରେ ପହଞ୍ଚିଛି ।

ଓଡିଶା ସରକାର ଏକ ସଶକ୍ତ ରାଜ୍ୟ ଗଠନ ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି । ମିଶନ ଶକ୍ତି ଦ୍ୱାରା 70 ଲକ୍ଷ ମହିଳାଙ୍କୁ 6.02 ଲକ୍ଷ ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ରୋଜଗାର କ୍ଷମ କରାଇଛନ୍ତି । ବର୍ତ୍ତମାନ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନ ରାଜ୍ୟର ନାରୀ ସଶକ୍ତି କରଣର ଏକ ଉଜ୍ଜ୍ୱଳ ନମୂନା । ମହିଳା ମାନଙ୍କ ନିମନ୍ତେ Ward ଠାରୁ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ 50 ପ୍ରତିଶତ ସଂରକ୍ଷିତ ରହୁଛି । ଯାହା ଫଳରେ 56 ପ୍ରତିଶତ ମହିଳା ସରପଞ୍ଚ, 57 ପ୍ରତିଶତ ପଞ୍ଚାୟତ ସମିତି ସଭ୍ୟା, 66 ପ୍ରତିଶତ ପଞ୍ଚାୟତ ସମିତି ଚେୟାରମ୍ୟାନ୍ , 55 ପ୍ରତିଶତ ଜିଲ୍ଲା ପରିଷଦ ସଭ୍ୟା ଓ 70 ପ୍ରତିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଛନ୍ତି ।               

ପ୍ରାଥମିକ ସ୍ତରରେ ମୋଟ ନାମଲେଖା ଅନୁପାତ ଗତ ପାଞ୍ଚ ବର୍ଷ ମଧ୍ୟରେ ଉଚ୍ଚ ସ୍ତରରେ ପହଞ୍ଚି ପାରିଛି, ଯାହା ପ୍ରାଥମିକ ସ୍ତରରେ 102.2 ପ୍ରତିଶତ ଓ ଉଚ୍ଚ ମାଧ୍ୟମିକ ସ୍ତରରେ 98 ପ୍ରତିଶତ । ଉଚ୍ଚଶିକ୍ଷାରେ ମୋଟ ନାମଲେଖା ଅନୁପାତ 2010-11 ରେ 16.10 ପ୍ରତିଶତ ଥିବାବେଳେ ଏହା 2018-19 ରେ 22.10 ପ୍ରତିଶତକୁ ବୃଦ୍ଧି ପାଇଛି ।

ରାଜ୍ୟରେ ସଂପୂର୍ଣ୍ଣ ଦାରିଦ୍ର୍ୟ ଉଲ୍ଲେଖନୀୟ ଭାବେ କମିବାରେ ଲାଗିଛି ।  NITI ଆୟୋଗୋଙ୍କ ଦ୍ୱାରା ପ୍ରକାଶିତ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ ଓଡିଶାରେ ଜନସଂଖ୍ୟାର 29.35 ପ୍ରତିଶତ ଦାରିଦ୍ର୍ୟ ଯାହାକି ଜାତୀୟ ସ୍ତରରେ 25.01 ପ୍ରତିଶତ କିନ୍ତୁ ଦାରିଦ୍ର୍ୟର ତୀବ୍ରତା ଓଡିଶାରେ 46.42 ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ 47.13 ପ୍ରତିଶତ ରହିଛି ।

LEAVE A REPLY

Please enter your comment!
Please enter your name here