Home Finance ମୁଣ୍ଡପିଛା ଆୟ ବାର୍ଷିକ ୧ଲକ୍ଷକୁ ଟପିଛି

ମୁଣ୍ଡପିଛା ଆୟ ବାର୍ଷିକ ୧ଲକ୍ଷକୁ ଟପିଛି

ଭୁବନେଶ୍ୱର : ରାଜ୍ୟରେ ବାର୍ଷିକ ହାରାହାରି ମୁଣ୍ଡ ପିଛା ଆୟ ୧ ଲକ୍ଷ ଟଙ୍କାକୁ ଟପିଛି । ଗତ ୨୦ବର୍ଷ ମଧ୍ୟରେ ମୁଣ୍ଡପିଛା ଆୟ ୯୬ ହଜାର ଟଙ୍କାରୁ ଅଧିକ ବୃଦ୍ଧି ପାଇଥିବା ବିଧାନସଭାରେ ସୂଚନା ଦିଆଯାଇଛି ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୦୦-୦୧ ବର୍ଷରେ ରାଜ୍ୟର ବାର୍ଷିକ ମୁଣ୍ଡପିଛା ଆୟ ୧୨,୬୯୮ ଟଙ୍କା ଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷ ଶେଷରେ ଏହା ୧,୦୯,୦୭୧କୁ ବୃଦ୍ଧି ପାଇଛି । ଅର୍ଥାତ୍‍ ଏହି ୨୦ବର୍ଷ ମଧ୍ୟରେ ମୁଣ୍ଡପିଛା ଆୟ ୯୬,୩୭୩ ଟଙ୍କା ବଢ଼ିଛି ।

ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଅଣୁ ଓ କ୍ଷୁଦ୍ରଶିଳ୍ପ ଏବଂ ବିଭିନ୍ନ ସେବା କ୍ଷେତ୍ରରେ ଦକ୍ଷତା ବିକାଶ ଦ୍ୱାରା ନିଯୁକ୍ତି ଓ ଆତ୍ମନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିଛି । ଏହାଦ୍ୱାରା ଜୀବିକା ନିର୍ବାହ ପାଇଁ ଉନ୍ନତତର ସୁଯୋଗ ସୃଷ୍ଟି ହେବା ସହିତ ରାଜ୍ୟରେ ମୁଣ୍ଡପିଛା ଆୟ ବୃଦ୍ଧିରେ ଏହା ସହାୟକ ହେବ ।

ମନ୍ତ୍ରୀ ଦେଇଥିବା ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ୨୦୦୦-୦୧ ବର୍ଷରେ ମୁଣ୍ଡପିଛା ଆୟ ୧୨,୬୯୮ ଟଙ୍କା ଥିବାବେଳେ ୨୦୧୦-୧୧ ବର୍ଷରେ ଏହା ୪୫,୯୦୯ ଟଙ୍କାକୁ ବୃଦ୍ଧି ପାଇଥିଲା । ତେବେ ୨୦୧୮-୧୯ ବର୍ଷରେ ଏହା ୧ ଲକ୍ଷ ଟଙ୍କାକୁ ଅତିକ୍ରମ କରି ୧,୦୦,୮୩୮ ଟଙ୍କାରେ ପହଞ୍ôଚଥିଲା ।

ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ଜୀବିକା ମିଶନ ଓ ମିଶନଶକ୍ତି ଜରିଆରେ ସ୍ୱୟଂସହାୟକ ଗୋଷ୍ଠୀର ଆୟ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । କେବିକେ ଜିଲ୍ଲାଗୁଡିକର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ୱତନ୍ତ୍ର ଯୋଜନାମାନ କାର୍ଯ୍ୟକାରୀ ହେଉଛି । ଏହା କୋରାପୁଟ ସମେତ କେବିକେ ଜିଲ୍ଲାମାନଙ୍କରେ ସାମଗ୍ରିକ ବିକାଶରୁ ସହାୟକ ହେଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)