Home General ମୁଖ୍ୟ ଶାସନ ସଚିବଙ୍କ ନୂଆପଡ଼ା ଗସ୍ତ

ମୁଖ୍ୟ ଶାସନ ସଚିବଙ୍କ ନୂଆପଡ଼ା ଗସ୍ତ

ଭୁବନେଶ୍ୱର: କୋଭିଡ ସ୍ଥିତିର ଅନୁଧ୍ୟାନ ଓ ନିୟନ୍ତ୍ରଣ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ନୂଆପଡ଼ା ଗସ୍ତ କରିଛନ୍ତି । ପୂର୍ବାହ୍ନରେ ଶ୍ରୀ ମହାପାତ୍ର ନୂଆପଡ଼ାର ସିଲଦା ସ୍ଥିତ ଜିଲ୍ଲା କୋଭିଡ୍‍ ହସ୍ପିଟାଲ ପରିଦର୍ଶନ କରି ସେଠାରେ ଚିକିତ୍ସା ସୁବିଧା, ବେଡ୍‍, ଆଇସିୟୁ, ଔଷଧ ଓ ଅନ୍ୟାନ୍ୟ ଚିକିତ୍ସା ବ୍ୟବସ୍ଥା ଆଦିର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲେ ।

ପରେ ପରେ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ସମ୍ପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ କୋଭିଡ ମୁକାବିଲା ବିଷୟରେ ଆଲୋଚନା କରିଥିଲେ । କୋଭିଡ୍‍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲ୍ଲାର ପ୍ରସ୍ତୁତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିବା ସହ ଲଢ଼େଇକୁ ଜୋରଦାର କରିବା ନିମନ୍ତେ ବିଭିନ୍ନ ଆବଶ୍ୟକତା ବିଷୟ ପଚାରି ବୁଝିଥିଲେ ।

ନୂଆପଡ଼ାକୁ ଲାଗିଥିବା ପଡ଼ୋଶୀ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇଥିବାରୁ ବାହାରୁ ଆସୁଥିବା ସବୁ ଲୋକଙ୍କର ଆରଟିପିସିଆର ଟେଷ୍ଟ ଏବଂ ଏକାନ୍ତବାସ କଡ଼ାକଡ଼ି କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବାହାରୁ ଆସୁଥିବା ସମସ୍ତ ବ୍ୟକ୍ତି ଅତିକମରେ ୭ ଦିନ ସଙ୍ଗରୋଧରେ ରହିବାକୁ କଡ଼ାକଡ଼ି ପ୍ରବର୍ତ୍ତନ କରିବା ଏବଂ କୋଭିଡ ପ୍ରତିରୋଧ ବିଷୟରେ ଜନସଚେତନତା ସଘନ ଓ ବ୍ୟାପକ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଗ୍ରାମ କମିଟି, ପଞ୍ଚାୟତ, ସରପଞ୍ଚ, ୱାର୍ଡମେମ୍ବର ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସଚେତନତା ଓ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ଏକାନ୍ତବାସ କାର୍ଯ୍ୟରେ ସକ୍ରିୟ ଭାବେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବଜାର କମିଟିମାନଙ୍କ ସହ ଆଲୋଚନା କରି ସମସ୍ତ ବଜାରରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଲାଗୁ କରିବା ନିମନ୍ତେ କହିଥିଲେ । ଜିଲ୍ଲା କୋଭିଡ୍‍ ହସ୍ପିଟାଲରେ ଆସିୟୁ ସଂଖ୍ୟା ବଢ଼ାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଜିଲ୍ଲାରେ ଥିବା କୋଭିଡ କେୟାର ସେଣ୍ଟରଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ସହ ଦୈନିକ କୋଭିଡ ପରୀକ୍ଷା ସଂଖ୍ୟା ଅଧିକରୁ ଅଧିକ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟାପ୍ତ ଔଷଧ ମହଜୁଦ ଅଛି । କରୋନା ଟିକାକରଣ ଚାଲିଛି । ଆଜି ଆହୁରି ଅଧିକ ଟିକା ଜିଲ୍ଲାକୁ ଯୋଗାଇ ଦିଆଯିବ । ଜିଲ୍ଲା ପାଇଁ ଅଧିକ ଡାକ୍ତର ନିୟୋଜନ କରାଯାଇଛି । ସେମାନେ ଖୁବଶୀଘ୍ର କାର୍ଯ୍ୟରେ ଯୋଗଦେବେ ।

ନୂଆପଡ଼ାର ଜିଲ୍ଲାପାଳ ସ୍ୱାଧା ଦେବ ସିଂ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଶିକ୍ଷଣ ନିର୍ଦ୍ଦେଶକ ଡ. ସିବିକେ ମହାନ୍ତିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମୁଖ୍ୟ ଶାସନ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ସମୟରେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।