Home Mining ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମିଳିବନି ଡିଏମ୍‍ଏଫ୍‍ ଅର୍ଥ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମିଳିବନି ଡିଏମ୍‍ଏଫ୍‍ ଅର୍ଥ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (ସିଏମ୍‍ଆରଏଫ୍‍) କୁ ଆଉ ଜିଲ୍ଲା ଖଣିଜ ଫାଉଣ୍ଡେସନ (ଡିଏମ୍‍ଏଫ୍‍) ଅର୍ଥ ମିଳିବନାହିଁ । ଏଥି ସହିତ ଅନ୍ୟ କୌଣସି ରାଜ୍ୟ ସ୍ତରୀୟ ସଂସ୍ଥାକୁ ଏହି ଅର୍ଥ ନଦେବାକୁ କେନ୍ଦ୍ର ସରକାର କହିଛନ୍ତି । କେନ୍ଦ୍ରର ଆଦେଶ ଅନୁଯାୟୀ ରାଜ୍ୟ ସରକାର ଜିଲ୍ଲାପାଳ ଓ ବିଭାଗଗୁଡିକ ଅନୁରୂପ ନିର୍ଦ୍ଦେଶ ଜାରି କରିଛନ୍ତି ।

ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ନିକଟରେ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଲାପାଳମାନଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି । କେନ୍ଦ୍ର ଖଣି ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ କୌଣସି ସ୍ଥିତିରେ ଜିଲ୍ଲା ଖଣିଜ ପାଉଣ୍ଡେସନରୁ ରାଜ୍ୟ ରାଜକୋଷ କିମ୍ବା ରାଜ୍ୟ ସ୍ଥରୀୟ ସଂସ୍ଥାକୁ ଅର୍ଥ ପଠାଯାଇ ପାରିବନାହିଁ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମଧ୍ୟ ଡିଏମ୍‍ଏଫ୍‍ ଅର୍ଥ ମିଳିବନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।

ଅନୁରୂପ ଭାବେ ରାଜ୍ୟ ସ୍ତରରେ ରାଜ୍ୟ ସରକାର କୌଣସି ଏଜେନ୍ସି ଦ୍ୱାରା ଡିଏମ୍‍ଏଫ୍‍ ଅର୍ଥ ଖର୍ଚ୍ଚ କରିବାକୁ ଅନୁମତି ମିଳିବନାହିଁ । କେନ୍ଦ୍ର ସରକାର ଉପରୋକ୍ତ ନିର୍ଦ୍ଦେଶନାମା ଅନୁପାଳନ ସହିତ ଡିଏମ୍‍ଏଫ୍‍ ଟ୍ରଷ୍ଟବୋର୍ଡ ଦ୍ୱାରା ଅନୁମୋଦିତ ପ୍ରକଳ୍ପ ହିଁ ସମ୍ପୃକ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏହା ଓଡିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ ରୁଲ୍ସ ୨୦୧୫ ଏବଂ ପ୍ରଧାନ ମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାର ନିୟମାବଳୀ ଅନୁଯାୟୀ ବିଭାଗ ଓ ଏଜେନ୍ସିମାନେ କାର୍ଯ୍ୟ କରିବେ ବୋଲି ଉନ୍ନୟନ କମିଶନ ଶ୍ରୀ ଜେନା ଉଲ୍ଲେଖ କରିଛନ୍ତି ।

ତେବେ ଜିଲ୍ଲା ଖଣିଜ ପାଣ୍ଠି ମାଧ୍ୟମରେ କେଉଁ ନିର୍ଦ୍ଦିଷ୍ଟ ପ୍ରକଳ୍ପ କାର୍ଯ୍ୟ କରାଯିବା ଦରକାର ଏବଂ ତାହା ଖଣିଜ ପାଣ୍ଠି ଟ୍ରଷ୍ଟ ବୋର୍ଡ ପରିସରଭୁକ୍ତ କି ନୁହେଁ ତାହା ଅନୁଧ୍ୟାନକରି ଜିଲ୍ଲା ସ୍ତରରୁ ପ୍ରଶାସନିକ ବିଭାଗକୁ ପ୍ରସ୍ତାବ ପଠାଯିବା ଆବଶ୍ୟକ । ଯଦି ଏହି ପ୍ରସ୍ତାବ ଗ୍ରହଣଯୋଗ୍ୟ ହୁଏ ତେବେ ଆବଶ୍ୟକୀୟ ମଞ୍ଜୁରୀ ପରେ ସମ୍ପୃକ୍ତ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ମାଧ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯାଇ ପାରିବ । ଏ ପ୍ରସଙ୍ଗରେ ଉନ୍ନୟନ କମିଶନର ବରିଷ୍ଠ ଅଧିକାରୀମାନଙ୍କୁ ନିୟମାବଳୀ ଅନୁଯାୟୀ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ସୁପାରିଶ୍‍ ଆସିଛି କି ନାହିଁ ଓ ତାହା ଅନୁମୋଦନ ହେଉଛି କି ନାହିଁ ସେ ସଂକ୍ରାନ୍ତରେ ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

ଏବର୍ଷ ଜାନୁୟାରୀ ସୁଦ୍ଧା ଓଡିଶାରେ ଜିଲ୍ଲା ଖଣିଜ ପାଣ୍ଠି ଲାଗି ୧୬,୯୫୨କୋଟି ୬୪ଲକ୍ଷ ଟଙ୍କା ସଂଗୃହୀତ ହୋଇଥିବାବେଳେ ସେଥିରୁ ୮୫୧୫କୋଟି ୭୧ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସମଗ୍ର ଦେଶରେ ଏ ବାବଦରେ ଯେତେ ଅର୍ଥ ସଂଗ୍ରହ କରାଯାଇଛି କେବଳ ଓଡିଶାରେ ତାହାର ୨୮.୭ ପ୍ରତିଶତ ସଂଗୃହୀତ ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ଖଣିଜ ପାଣ୍ଠି ବ୍ୟବହାର କରି ରାଉରକେଲାରେ ଆର୍ନ୍ତଜାତିକ ସ୍ତରର ହକି ଷ୍ଟାଡିୟମ ନିର୍ମିତ ହୋଇଥିବାବେଳେ ଝାରସୁଗୁଡା ବିମାନବନ୍ଦର କ୍ଷେତ୍ରରେ ବି ଏହି ପାଣ୍ଠି ବିନିଯୋଗ ହୋଇଛି । ଏହାଛଡା ରାଉରକେଲା ପୁଲିସ୍‍ ପାଇଁ ଖଣିଜ ପାଣ୍ଠିରୁ ବି ଗାଡି କିଣାଯାଇଛି । ଏଣିକି ନୂଆ ନିୟମାବଳୀ ଆଧାରରେ କିନ୍ତୁ ଏଭଳି ବାବଦରେ ଆଉ ଖର୍ଚ୍ଚ କରାଯାଇ ପାରିବନାହିଁ । (ତଥ୍ୟ)