Home General ମିଶନ ଶକ୍ତି କରିବ ସୌର ଚାଳିତ ଶୀତଳଭଣ୍ଡାର

ମିଶନ ଶକ୍ତି କରିବ ସୌର ଚାଳିତ ଶୀତଳଭଣ୍ଡାର

ଭୁବନେଶ୍ୱର : ମହିଳା ଗୋଷ୍ଠିଙ୍କ ଦ୍ୱାରା ଉତ୍ପାଦିତ ପନିପରିବାକୁ ସୌରଶକ୍ତି ଚାଳିତ ଶୀତଳଭଣ୍ଡାରରେ ରଖିବାପାଇଁ ମିଶନ ଶକ୍ତି ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‍ପି) ସହାୟତାରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକରେ ଏହା ଆରମ୍ଭ କରାଯିବ ।

ମିଳିଥିବା ସୂଚନା ଅନୁଯାୟୀ ଗାଁ ଗହଳରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକ ଋଣ ନେଇ ପନିପରିବା ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଥିବାବେଳେ ସଂରକ୍ଷଣ ଅଭାବରୁ ସେମାନେ ଉତ୍ପାଦିତ ସାମଗ୍ରୀକୁ ବାଧ୍ୟହୋଇ ବେପାରୀଙ୍କୁ ଶସ୍ତା ଦରରେ ବିକ୍ରି କରୁଛନ୍ତି । ରାଜ୍ୟରେ ଶୀତଳଭଣ୍ଡାରର ଅଭାବ ଓ ଯେଉଁଠି ବି ରହିଛି ତାହା ମହିଳା ଗୋଷ୍ଠିଙ୍କ ପାଇଁ ଦୂର ହେଉଛି । ତେଣୁ ସେମାନଙ୍କ ହାତ ପାଆନ୍ତାରେ ବିନା ବିଜୁଳିରେ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ମିଶନ ଶକ୍ତି ଆଗେଇ ଆସିଛି ।

ରାଜ୍ୟର ପ୍ରଥମ ସୌରଚାଳିତ ଶୀତଳଭଣ୍ଡାର ଦଶପଲ୍ଲାରେ ସଫଳତାର ସହ କାର୍ଯ୍ୟ କରୁଛି । ସ୍ୱେଚ୍ଛାସେବୀ ସଂସ୍ଥା ଜୀବନ ରେଖା ପରିଷଦ ଏହାକୁ ବ୍ରୁନେଇ ବିଶ୍ୱବିଦ୍ୟାଳୟ ସହାୟତାରେ ପ୍ରତିଷ୍ଠା କରିଛି । ୧୦ ମେଟ୍ରିକ ଟନ୍‍ କ୍ଷମତା ବିଶିଷ୍ଟ ଏହି ଶୀତଳଭଣ୍ଡାର ସ୍ଥାନୀୟ ଚାଷୀଙ୍କ ପାଇଁ ବରଦାନ ପାଲଟିଥିବାବେଳେ ସେମାନେ ଉତ୍ପାଦିତ ପନିପରିବାକୁ ଏଠାରେ ସଂରକ୍ଷିତ ରଖିବା ସହିତ ରାଜଧାନୀ ବଜାରରେ ଆଣି ବିକ୍ରି କରିପାରୁଛନ୍ତି । ଚଳିତ ବର୍ଷ ଟମାଟୋ ଦରବୃଦ୍ଧି ସମୟରେ ଶୀତଳଭଣ୍ଡାରରେ ସଂରକ୍ଷିତ କରି ରଖିଥିବା ଟମାଟୋ ବିକି ଭଲ ଦୁଇ ପଇସା ଲାଭ ପାଇଛନ୍ତି ।

ଜେଆରପିର ସଫଳତାକୁ ଦେଖି ଏବେ ଡବ୍ଲୁଏଫ୍‍ପି ଓ ମିଶନ ଶକ୍ତି ଗାଁ ଗହଳରେ ଏଭଳି ସୌରଶକ୍ତି ଚାଳିତ କ୍ଷୁଦ୍ର ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛନ୍ତି । ପାଇଲଟ ପ୍ରକଳ୍ପ ଭାବେ ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ ବ୍ଲକକୁ ଚିହ୍ନଟ କରାଯାଇଛି । ଏଠାରେ ପ୍ରଥମେ ଗୋଟିଏ ୫ ମେଟ୍ରିକ ଟନ୍‍ କ୍ଷମତା ବିଶିଷ୍ଟ ସୌରଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ । ଏହାପରେ ଚାହିଦାକୁ ଦେଖି ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏଭଳି ଶୀତଳଭଣ୍ଡାର ପ୍ରତିଷ୍ଠା ହେବ । ଆଇସ୍‍ ମେକ୍‍ ସଂସ୍ଥା ଏହି ଶୀତଳଭଣ୍ଡାର ନିର୍ମାଣ ଦାୟିତ୍ୱ ନେଇଥିବାବେଳେ ଚଳିତମାସ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ପାଇଁ ଲକ୍ଷ୍ୟ ରହିଛି ।

ସୂଚନା ଅନୁଯାୟୀ ଏହି ସୌର ଚାଳିତ ଶୀତଳଭଣ୍ଡାରଟି ସମ୍ପୂର୍ଣ୍ଣ ଭାବେ ଉନ୍ନତ ଜ୍ଞାନକୌଶଳରେ ନିର୍ମିତ ଏବଂ ମହିଳା ଗୋଷ୍ଠିର ସଦସ୍ୟମାନେ ନିଜ ନିଜ ମୋବାଇଲ୍‍ ମାଧ୍ୟମରେ ଏହାର ସୂଚନା ପାଇବା ସହିତ ଏହାକୁ ସହଜରେ ନିୟନ୍ତ୍ରଣ କରିପାରିବେ । ଏଥିପାଇଁ ଚଢା ବିଜୁଳି ଦର କିମ୍ବା ବିଜୁଳି କାଟ୍‍ର ଭୟ ନାହିଁ । ପାଇଲଟ ପ୍ରକଳ୍ପର ସଫଳତା ପରେ ମିଶନ ଶକ୍ତି ଏହି ଯୋଜନାରେ ଆଗକୁ ବଢିବ ବୋଲି ସୂଚନା ମିଳିଛି । (ତଥ୍ୟ)