Home Covid ମିଶନ ମୋଡରେ ଓଡିଶାର ଅକ୍ସିଜେନ୍‍ ଯୋଗାଣ

ମିଶନ ମୋଡରେ ଓଡିଶାର ଅକ୍ସିଜେନ୍‍ ଯୋଗାଣ

ଭୁବନେଶ୍ୱର : କୋଭିଡର ଦ୍ୱିତୀୟ ଲହରରେ ଅକ୍ସିଜେନ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ହା ହା କାର ଅବସ୍ଥା ସୃଷ୍ଟି ହୋଇଥିବାବେଳେ ୧୭ଟି ରାଜ୍ୟକୁ ଓଡିଶା ୪୦ହଜାର ମେଟ୍ରିକ ଟନ୍‍ ତରଳ ଅକ୍ସିଜେନ ଯୋଗାଇ ଅନେକଙ୍କ ଜୀବନ ବଞ୍ଚାଇ ପାରିଛି । ଅକ୍ସିଜେନ ଯୋଗାଣକୁ ରାଜ୍ୟ ସରକାର ମିଶନ ମୋଡ୍‍ରେ ଗ୍ରହଣ କରିବା ଯୋଗୁଁ ଏହା ସମ୍ଭବ ହୋଇଥିବା ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କ ସୂତ୍ରରୁ ସୂଚନା ମିଳିଛି ।

ମାର୍ଚ୍ଚ ଶେଷ ଓ ଏପ୍ରିଲ ପ୍ରାରମ୍ଭ ସମୟରୁ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବାବେଳେ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢିଥିଲା । ପ୍ରଥମ ଲହରରେ ଅକ୍ସିଜେନ୍‍ର ଆବଶ୍ୟକତା ଏତେ ପଡୁନଥିବାବେଳେ ଦ୍ୱିତୀୟ ଲହରରେ ଏହାର ଆବଶ୍ୟକତା ଅସମ୍ଭବ ଭାବରେ ବୃଦ୍ଧି ପାଇଥିଲା । ତେଣୁ ବିଭିନ୍ନ ରାଜ୍ୟରେ ଅତ୍ୟନ୍ତ ତିରୋଟ ପରିସ୍ଥିତି ସୃଷ୍ଟିହେବା ସଂଗେ ସଂଗେ ସଂଖ୍ୟାଧିକ ରୋଗୀ ଅକ୍ସିଜେନ ଅଭାବରୁ ଅକାଳ ମୃତ୍ୟୁବରଣ କରୁଥିଲେ । ତେଣୁ ମେଡିକାଲ ଅକ୍ସିଜେନ ଯୋଗାଣ ଓ ଚାହିଦା ମଧ୍ୟରେ ବଡ ଧରଣର ପାର୍ଥକ୍ୟ ଦେଖା ଦେଇଥିଲା ।

ଓଡିଶା ଦେଶର ଧାତବ ସମ୍ପଦଭରା ରାଜ୍ୟ ହୋଇଥିବାରୁ ଏଠାରେ ଅନେକ ଇସ୍ପାତ କାରଖାନା ରହିଛି । ୨୦୨୦ ମସିହାରେ ଓଡିଶାରେ ୨୦ ନିୟୁତ ଟନ୍‍ ଇସ୍ପାତ ଉତ୍ପାଦନ ହୋଇଥିବାବେଳେ ୨୦୩୦ ସୁଦ୍ଧା ଏହା ୧୦୦ ନିୟୁତ ଟନ୍‍ ହେବାର ଲକ୍ଷ୍ୟ ରହିଛି । ଏହି ଶିଳ୍ପରେ ଅକ୍ସିଜେନ୍‍ ବ୍ୟବହାର ହେଉଥିବାରୁ ଓଡିଶା ଅତ୍ୟନ୍ତ ଭଲ ସ୍ଥିତିରେ ରହିଛି । ରାଜ୍ୟରେ ପାଖାପାଖି ୭୦ଟି ଇସ୍ପାତ କାରଖାନା ରହିଥିବାବେଳେ ରାଉରକେଲା, ଅନୁଗୁଳ, ଯାଜପୁର ଏବଂ ଢେଙ୍କାନାଳରେ ବଡ ବଡ ଇସ୍ପାତ କାରଖାନା ରହିଛି ଯେଉଁମାନେ ବି ସେମାନଙ୍କ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ବ୍ୟବହାର କରିଥାନ୍ତି ।

ମେଡିକାଲ ଅକ୍ସିଜେନ୍‍ ଅତ୍ୟନ୍ତ ପରିଷ୍କୃତ ହୋଇଥାଏ କାରଣ ଏହା ମଣିଷ ଶରୀରକୁ ଯାଇଥାଏ । ତରଳ ମେଡିକାଲ ଅକ୍ସିଜେନ୍‍ ୯୯.୫ ପ୍ରତିଶତ ବିଶୁଦ୍ଧ ହୋଇଥିବାବେଳେ ଏହାର ପରିବହନ ମଧ୍ୟ ବଡ ଚ୍ୟାଲେଞ୍ଜ ଅଟେ । ଏଥିପାଇଁ କ୍ରାୟୋଜେନିକ ଟ୍ୟାଙ୍କର ସହିତ ଅତ୍ୟନ୍ତ କମ୍‍ ତାପମାତ୍ରାରେ ପରିବହନ କରିବାକୁ ପଡେ ।

ଅକ୍ସିଜେନ ପରିବହନ ବ୍ୟବସ୍ଥା ଅତ୍ୟନ୍ତ ଜଟିଳ ହୋଇଥିବା ପରିପ୍ରେକ୍ଷୀରେ ପ୍ରତି ମୂହୂର୍ତ୍ତରେ ଏହାର ପ୍ରବନ୍ଧନ ସଂକ୍ରାନ୍ତରେ ସତର୍କ ଦୃଷ୍ଟି ରଖାଯାଇଥାଏ । ଏଥିପାଇଁ ସ୍ୱତନ୍ତ୍ର ଡାସ୍‍ବୋର୍ଡ ପ୍ରସ୍ତୁତ ହୋଇ ତାହା ନିରୀକ୍ଷଣ କରାଯିବା ସଂଗେ ସଂଗେ କୌଣସି କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଲକ୍ଷ୍ୟ କରାଗଲେ ତାହାର ନିରାକଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥାଏ ।

ଟ୍ୟାଙ୍କରଗୁଡିକ ପୁନଃ ଫିଲିଙ୍ଗ୍‍ କରିବାପାଇଁ ଯେଉଁସବୁ ଭିତ୍ତିଭୂମି ଆବଶ୍ୟକ ସେଥି ନିମନ୍ତେ ଅକ୍ସିଜେନ ଟାସ୍କଫୋର୍ସ ପକ୍ଷରୁ ପଦକ୍ଷେ ଗ୍ରହଣ କରାଯାଇଛି । ଯାହା ଫଳରେ କି ଏହି କ୍ଷେତ୍ରରେ ପୂର୍ବରୁ ଆବଶ୍ୟକ ପଡୁଥିବା ସମୟକୁ ହ୍ରାସ କରାଯାଇ ପାରିଛି । ଏହା ଫଳରେ କମ୍‍ ସମୟ ମଧ୍ୟରେ ରାଜ୍ୟମାନଙ୍କୁ ଅଧିକରୁ ଅଧିକ ସଂଖ୍ୟକ ଅକ୍ସିଜେନ୍‍ ଟ୍ୟାଙ୍କ୍‍ର ଯୋଗାଣ ହୋଇପାରିଥିଲା ।