Home Energy ମିଳୁନାହାନ୍ତି ଅର୍ଥ ନିର୍ଦ୍ଦେଶକ

ମିଳୁନାହାନ୍ତି ଅର୍ଥ ନିର୍ଦ୍ଦେଶକ

ଭୁବନେଶ୍ୱର : ଓଡିଶା ତାପଜ ବିଦ୍ୟୁତ୍‍ ଉତ୍ପାଦନ ନିଗମ (ଓପିଜିସି) କୁ ଅର୍ଥ ନିର୍ଦ୍ଦେଶକ ମିଳୁନାହାନ୍ତି । ବାରମ୍ବାର ବିଜ୍ଞାପନ ପରେ ବି ଏଥିପାଇଁ ଉପଯୁକ୍ତ ପ୍ରାର୍ଥୀ ମିଳିପାରୁ ନଥିବା କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦେବ ଆଜି ବିଧାନସଭାରେ ଏହା କହିଛନ୍ତି । ସେ ଦର୍ଶାଇଛନ୍ତି ଯେ ଓପିଜିସିରେ ଅର୍ଥ ନିର୍ଦ୍ଦେଶକଙ୍କ ନିଯୁକ୍ତି ନିମନ୍ତେ ୨୦୨୦ ମସିହା ଡିସେମ୍ବର ୧୧ ତାରିଖରେ ପ୍ରଥମେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେହି ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥୀ ଚୟନ କରାଯାଇ ୨୦୨୨ ମସିହା ଏପ୍ରିଲ୍‍ ୩୦ ତାରିଖରେ ନିଯୁକ୍ତିପତ୍ର ଦିଆଯାଇଥିଲା । କିନ୍ତୁ ସେହି ପ୍ରାର୍ଥୀ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟରେ ଯୋଗ ଦେଇନଥିଲେ । ଏହି ସମୟରେ ଓଡିଶା ଜଳ ବିଦ୍ୟୁତ୍‍ ଉତ୍ପାଦନ ନିଗମର ତତ୍କାଳୀନ ଅର୍ଥ ନିର୍ଦ୍ଦେଶକ ଓପିଜିସିର ଅର୍ଥ ନିର୍ଦ୍ଦେଶକ ଭାବେ ୨୦୨୨, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିଲେ ।

ତେଣୁ ଏହି ପଦବୀ ପାଇଁ ୨୦୨୨, ଡିସେମ୍ବର ୧୭ତାରିଖରେ ପୁଣିଥରେ ବିଜ୍ଞପ୍ତି ପ୍ରକାଶ କରାଯାଇ ପବ୍ଲିକ ଏଣ୍ଟରପ୍ରାଇଜର୍ସ ସିଲେକ୍ସନ ବୋର୍ଡ (ପିଇଏସବି) ଦ୍ୱାରା ଚୟନ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା । ତେବେ ଏଥିରେ ଉପଯୁକ୍ତ ପ୍ରାର୍ଥୀ ନମିଳିବାରୁ ପିଇଏସ୍‍ବିର ସୁପାରିଶ୍‍ କ୍ରମେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ମାଧ୍ୟମରେ ଅର୍ଥ ନିର୍ଦ୍ଦେଶକ ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଚାଲୁ ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି । (ତଥ୍ୟ)