Home Health ମିକ୍ସିପାଥୀ ବିରୁଦ୍ଧରେ ଅନଶନ

ମିକ୍ସିପାଥୀ ବିରୁଦ୍ଧରେ ଅନଶନ

ଭୁବନେଶ୍ୱର: ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) ଭୁବନେଶ୍ୱର ଶାଖା ତରଫରୁ ଆଜି ସ୍ଥାନୀୟ ଆଇଏମଏ ଭବନଠାରେ ଭାରତୀୟ କେନ୍ଦ୍ରୀୟ ଔଷଧ ପରିଷଦ ପକ୍ଷରୁ ଆୟୁଷ ଡାକ୍ତରମାନଙ୍କୁ ଆଧୁନିକ ଶଲ୍ୟ ଚିକିତ୍ସା କରିବା ପାଇଁ ଅନୁମତି ପ୍ରଦାନ କରିବା ନେଇ ଜାରି କରାଯାଇଥିବା ବିଜ୍ଞପ୍ତିର ବିରୋଧ କରି ରିଲେ ଅନଶନ ଧର୍ମଘଟ କରାଯାଇଛି ।

ଚଳିତମାସ ୨ ତାରିଖରୁ ଲଗାତର ଭାବେ ଚାଲିଥିବା ଏହି ରିଲେ ଅନଶନରେ ଆଇଏମଏ ଭୁବନେଶ୍ୱରର ସଭାପତି ଡାକ୍ତର ମାଗୁଣି ବେହେରା, ସମ୍ପାଦକ ଡାକ୍ତର ପ୍ରତ୍ୟୁଷ କୁମାର ରାୟଙ୍କ ସହିତ ଡାକ୍ତର ବିଜୟ କୁମାର ମିଶ୍ର, ଡାକ୍ତର ସରୋଜ କୁମାର ସାହୁ, ଭୁବନେଶ୍ୱର ଆଇଏମଏର ପୂର୍ବତନ ସଭାପତି ଡାକ୍ତର ସନ୍ତୋଷ କୁମାର ମିଶ୍ରଙ୍କ ସହିତ ଶତାଧିକ ଡାକ୍ତର ଅଂଶଗ୍ରହଣ କରିଥିଲେ ।

ପ୍ରକାଶ ଯେ ଗତ ନଭେମ୍ବର ୨୦ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ଔଷଦ ପରିଷଦ (ସିସିଆଇଏମ) ପକ୍ଷରୁ ଆୟୁଷ ଡାକ୍ତରମାନଙ୍କୁ ବିଭିନ୍ନ ସର୍ଜରୀ କରିବା ପାଇଁ ଆଇନାନୁଯାୟୀ ଅନୁମୋଦନ କରାଯାଇ ବିଜ୍ଞପ୍ତି ଜାରି କରାଯାଇଛି । ଏହା ଏକ ବିଭ୍ରାନ୍ତିକର ପଦକ୍ଷେପ ଓ ବର୍ତ୍ତମାନର ପ୍ରଚଳିତ ଆଧୁନିକ ବିଶ୍ୱସ୍ତରୀୟ ଉନ୍ନତମାନର ଚିକିତ୍ସା କ୍ଷେତ୍ରରେ ଏକ କୁଠାରାଘାତ ।

ଏହାଦ୍ୱାରା ଭାରତୀୟ ସର୍ବ ପୁରାତନ ଆୟୁର୍ବେଦ ଚିକିତ୍ସା ବିଜ୍ଞାନର ନିଶ୍ଚିତ ବିପର୍ଯ୍ୟୟ ସହିତ ବିଭିନ୍ନ ଚିକିତ୍ସା ପଦ୍ଧତିର ଅପମିଶ୍ରଣ ଏକ ଅପରିଣାମଦର୍ଶୀ ପଦକ୍ଷେପ । ଅନଭିଜ୍ଞ ଆୟୁଷ ଡାକ୍ତରଙ୍କୁ ଚକ୍ଷୁ, କର୍ଣ୍ଣ, ନାସା, ଗଳା ଓ ଆଧୁନିକ ସର୍ଜରୀ କରିବାକୁ ଅନୁମତି ଦେଇ ସରକାର ଏ ଦେଶର ଗରିବ ଜନସାଧାରଣଙ୍କୁ ଏକ ନିଶ୍ଚିତ ବିପଦ ଆଡ଼କୁ ଠେଲି ଦେଉଛନ୍ତି, ଏହା ନିଃସନ୍ଦେହ ଓ ଅନିର୍ବାଜ୍ୟ । ତେଣୁ ଭାରତୀୟ ଚିକିତ୍ସକ ସଂଘ ତରଫରୁ ଏହାର ବିରୋଧ କରାଯାଇ ଫେବୃଆରୀ ୨ରୁ ୧୪ ପର୍ଯ୍ୟନ୍ତ ଦେଶବ୍ୟାପୀ ରିଲେ ଅନଶନ ଧର୍ମଘଟ ପାଳନ କରାଯାଉଛି ।

ଆଜି ଏହି ଆନ୍ଦୋଳନର ଅନ୍ତିମ ଦିନରେ ଭୁବନେଶ୍ୱର ଆଇଏମଏ ହାଉସଠାରେ ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀମାନେ ରିଲେ ଅନଶନରେ ଭାଗ ନେଇଥିଲେ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଗହଣରେ ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସମ୍ପାଦକ ଶ୍ରୀ ରାୟ କହିଛନ୍ତି ଯେ ଆଇଏମଏର ନିର୍ଦ୍ଦେଶ କ୍ରମେ ଏହି ଅନଶନ ଚାଲିଥିଲା । ଆଗାମୀ ଦିନରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ପରିବର୍ତ୍ତନ ଲାଗି ଆହୁରି କଠୋର ନିଷ୍ପତ୍ତି ଗ୍ରହଣ କରାଯିବ ।

ଭୁବନେଶ୍ୱର ଆଇଏମଏର ପୂର୍ବତନ ସଭାପତି ଡାକ୍ତର ସନ୍ତୋଷ ମିଶ୍ର କହିଛନ୍ତି ଯେ ମିକ୍ସପାଥୀ ବିରୁଦ୍ଧରେ ଚାଲିଥିବା ଏହି ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପ୍ରତ୍ୟାହାର ପର୍ଯ୍ୟନ୍ତ ଜାରି ରହିବ । କମ୍‍ ପଇସାରେ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ନାଁରେ ସରକାର ଯେଭଳି ସେମାନଙ୍କୁ ମରଣମୁହଁକୁ ଠେଲୁଛନ୍ତି ତାହାକୁ ଗ୍ରହଣ କରାଯାଇପାରିବ ନାହିଁ । କାରଣ ବିନା ଡାକ୍ତରୀ ପାଠ ଓ ତାଲିମରେ ଲୋକଙ୍କୁ ଅତ୍ୟାଧୁନିକ ଜରୁରୀ ଚିକିତ୍ସାସେବା ଯୋଗାଇବା ଆଦୌ ସମ୍ଭବପୁର ନୁହେଁଁ ।