Home News in Odia ମାହାଙ୍ଗା ଘଟଣାରେ ଶ୍ୱେତପତ୍ର ଦାବି

ମାହାଙ୍ଗା ଘଟଣାରେ ଶ୍ୱେତପତ୍ର ଦାବି

ଭୁବନେଶ୍ୱର : ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଶ୍ୱେତପତ୍ର ଦାବି କରିଛି ରାଜ୍ୟ ବିଜେପି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହି ମର୍ମରେ ପୁଲିସ୍‍ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଅନୁରୋଧ କରିବା ସହିତ କହିଛନ୍ତି ଯେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ଭାରତୀୟ ଜନତା ପାର୍ଟୀର ବରିଷ୍ଠ କାର୍ଯ୍ୟକର୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀଙ୍କ ସମେତ ୧୪ ଜଣଙ୍କ ନାଁରେ ଏତଲା ଦିଆଯାଇଥିଲା । କିନ୍ତୁ ପୋଲିସ ଶାସକ ଦଳ ଚାପରେ ଆଇନ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୃକ୍ତ କରୁନାହିଁ ।

ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟାକାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଏବଂ ସେମାନଙ୍କୁ ହତ୍ୟା କରିଥିବା ମୁଖ୍ୟ ଅପରାଧୀ ପ୍ରଫୁଲ ବିଶ୍ୱାଳଙ୍କ ସଡକ ଦୁର୍ଘଟଣାର ମୃତ୍ୟୁ ଘଟଣାର ତଦନ୍ତ କରିବା ସହ ରାଜନୈତିକ ହତ୍ୟା ବିରୁଦ୍ଧରେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ନେଇଛି ତାହା ଏକ ଶ୍ୱେତପତ୍ର ମାଧ୍ୟମରେ ପ୍ରକାଶ କରୁ । ଏହା ସହ ରାଜ୍ୟରେ କେତେ ଦିନ ଯାଏଁ ବିଜେପି ନେତାମାନେ ରାଜନୈତିକ ହତ୍ୟାର ଶିକାର ହେବେ ବୋଲି ଶ୍ରୀ ମହାନ୍ତି ଡିଜିପିଙ୍କୁ ପ୍ରଶ୍ନ କରିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଚଳିତବର୍ଷ ଜାନୁଆରୀ ମାସରେ ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ମଟରସାଇକେଲରେ ଘରକୁ ଫେରୁଥିବା ସମୟରେ କିଛି ଦୃବୁର୍ତ ସେମାନଙ୍କୁ ହତ୍ୟା କରିଥିଲେ । ଏହି ଘଟଣାରେ ୧୨ ଜଣ ଗିରଫ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳଙ୍କର ରହସ୍ୟମୟ ଭାବେ ମୃତ୍ୟୁ ହେବା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏତଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିବାବେଳେ ପୋଲିସ ତାଙ୍କୁ କାହିଁକି ଗିରଫ କରୁନାହିଁ ବୋଲି ମୃତକ ପରିବାର ଲୋକ ବାରମ୍ବାର ଅଭିଯୋଗ କରିଆସୁଛନ୍ତି ।

ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଇ ଆସୁଥିଲେ । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ପଂଚାୟତରାଜ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆସୁଥିକବାରୁ କୁଳମଣି ବରାଳଙ୍କୁ ଚୁପ୍ କରିବା ପାଇଁ ଏହି ହତ୍ୟାକାଣ୍ଡ ରଚାଯାଇଥିଲା । ଏହି ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ପ୍ରଫୁଲ ବିଶ୍ୱାଳଙ୍କୁ ଗିରଫ ନକରିବା ଘଟଣା ପୋଲିସର ଭୂମିକା ସନ୍ଦେହ ଘେରରେ ରହିଛି ।

ମାହାଙ୍ଗା ହତ୍ୟାକାଣ୍ଡ ପରେ ପ୍ରଫୁଲ ବିଶ୍ୱାଳଙ୍କୁ ମନ୍ତ୍ରୀ ପ୍ରତାପ ଜେନା ଅଣ୍ଡରଗ୍ରାଉଣ୍ଡ କରି ରଖିଥିଲେ । ଟାଙ୍ଗୀ ପୋଲିସ ମୋବାଇଲ ଟ୍ରାକ କରି ପ୍ରଫୁଲ ବିଶ୍ୱାଳ ଟାଙ୍ଗୀରେ ଅଛନ୍ତି ବୋଲି ଜାଣିବା ପରେ ବି କିପରି ତାଙ୍କୁ ଖୋଜି ପାରିଲା ନାହିଁ । ଅନ୍ୟପଟେ ଗାଡି ଦୁର୍ଘଟଣାରେ ପ୍ରଫୁଲ ବିଶ୍ୱାଳଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବାବେଳେ କିପରି ତାଙ୍କ ବାଇକ, ମୋବାଇଲ ଏବଂ ହେଲମେଟ ସୁରକ୍ଷିତ ଥିଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ପ୍ରଫୁଲ ବିଶ୍ୱାଳଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ମୃତ୍ୟୁ ପୂର୍ବରୁ ପ୍ରଫୁଲ ବିଶ୍ୱାଳ ତାଙ୍କ ପୁଅକୁ ଫୋନ୍ କରି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେବ ବୋଲି କହିଥିଲେ । ମହାଙ୍ଗା ଡବଲ ମର୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳ ମୃତ୍ୟୁ ପୂର୍ବରୁ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କୁ ଫୋନ୍ କରି ତାଙ୍କ ପରିବାରର ଦେଖାଶୁଣା କରିବା ପାଇଁ କହିଥିଲେ ବୋଲି ପୋଲିସକୁ ରମାକାନ୍ତ ସୂଚନା ଦେଇଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।

ଗତ ଜାନୁଆରୀ ୮ ତାରିଖରେ ମାହାଙ୍ଗା ଡବଲ ମର୍ଡର ଘଟଣାର ଏକ ଡିଆଜି ର‌୍ୟାଙ୍କ ଅଧିକାରୀ ୧୦ ଦିନ ମଧ୍ୟରେ ତଦନ୍ତ କରିବେ ବୋଲି ଡିଜିପି ପ୍ରତିଶୃତି ଦେଇଥିଲେ ସୁଦ୍ଧା ଏଯାବତ୍ ସେପରି କିଛି ହେଲା ନାହିଁ । ଆଇନଶୃଙ୍ଖଳା ରକ୍ଷା କରିବା ଏବଂ ଜଘନ୍ୟ ଅପରାଧ ଉପରେ ରୋକ୍ ଲଗାଇବା ପୋଲିସର କର୍ତବ୍ୟ । କିନ୍ତୁ ଓଡିଶାରେ ଅପରାଧ ହାର ବୃଦ୍ଧି ପାଇବାରେ ଲାଗିଛି । ତଦନ୍ତରେ ଶିଥିଳତା ଯୋଗୁଁ ଅନେକ ଅପରାଧୀ ଧରାପଡୁନାହାଁନ୍ତି ଏବଂ ଯେଉଁମାନଙ୍କୁ ପୋଲିସ ଧରୁଛି ସେମାନଙ୍କୁ ସହଜରେ ଜାମିନ ମିଳିଯାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।