Home Finance ମାସକୁ ୧୦ହଜାର କୋଟିର ରାଜସ୍ୱ

ମାସକୁ ୧୦ହଜାର କୋଟିର ରାଜସ୍ୱ

ଭୁବନେଶ୍ୱର : ରାଜ୍ୟରେ ଏବେ ପ୍ରତି ମାସ ହାରାହାରି ଭାବେ ୧୦ହଜାର କୋଟି ଟଙ୍କାର ରାଜସ୍ୱ ଆଦାୟ ହେଉଥିବାବେଳେ ଉନ୍ନୟନ ବାବଦ ବ୍ୟୟ ପ୍ରାୟ ୯ହଜାର କୋଟି । ଆୟ ବଢୁଥିବା ଦୃଷ୍ଟିରୁ ଆବଶ୍ୟକୀୟ ବ୍ୟୟର ଭାର ବହନ କରିବା ସରକାରଙ୍କ ପକ୍ଷରେ ସମ୍ଭବପର ହୋଇପାରିଛି ।

ରାଜ୍ୟ ସରକାର ରାଜସ୍ୱ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିଥିବା ଯୋଗୁଁ ବର୍ତ୍ତମାନ ରାଜସ୍ୱ ଆଦାୟ ପରିମାଣ ବଢିବାରେ ଲାଗିଛି । ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ପ୍ରତିମାସର ହିସାବ ଧରାଗଲେ ରାଜସ୍ୱ ଆଦାୟ ପ୍ରାୟ ମାସିକ ୧୦ହଜାର କୋଟି ଟଙ୍କା ହେଉଛି । ଅପ୍ରେଲ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୬ମାସ ମଧ୍ୟରେ ରାଜ୍ୟ ସରକାର ୫୭,୬୨୯କୋଟି ଟଙ୍କାର ରାଜସ୍ୱ ଆୟ କରିଥିବାବେଳେ ଉନ୍ନୟନ ପାଇଁ ବ୍ୟୟର ପରିମାଣ ପ୍ରାୟ ୨୫ହଜାର କୋଟି ଟଙ୍କା । ଏହାଛଡା ଋଣ ଓ ସୁଧ ପରିଶୋଧରେ ଆବଶ୍ୟକ ପଡୁଥିବା ଅର୍ଥ ଯୋଗାଇଦେବା ସରକାରଙ୍କ ପକ୍ଷେ ସମ୍ଭବପର ହୋଇପଡିଛି ।

ରାଜ୍ୟ ସରକାର ବିତ୍ତୀୟ ବ୍ୟବସ୍ଥାରେ ସନ୍ତୁଳନ ରକ୍ଷାପାଇଁ ନିଜସ୍ୱ ଟିକସ ରାଜସ୍ୱ ଓ ନିଜସ୍ୱ ଅଣଟିକସ ରାଜସ୍ୱ ସଂଗ୍ରହ ଉପରେ ଗୁରୁତ୍ୱ ଦେଉଥିବା ଯୋଗୁଁ ଏହା ପ୍ରତି ମାସ ଅଭିବୃଦ୍ଧି ହାସଲ କରୁଛି । ଗତ ଅଗଷ୍ଟ ମାସରେ ୯୭୦୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଥିବାବେଳେ ସେପ୍ଟେମ୍ବର ମାସରେ ୯୮୦୦ କୋଟି ଟଙ୍କା ସଂଗ୍ରହ ହୋଇଛି । ଅକ୍ଟୋବର ମାସରେ ଏହା ୧୦ହଜାର କୋଟି ଟଙ୍କାକୁ ଟପିଯିବ ବୋଲି ବରିଷ୍ଠ ଅଧିକାରୀମାନେ ମତ ଦେଇଛନ୍ତି ।

ଚଳିତବର୍ଷ ରାଜ୍ୟରେ ୧,୨୫,୬୦୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ପାଇଁ ଯେଉଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ସେଥିରୁ ରାଜ୍ୟ ସରକାର ନିଜସ୍ୱ ଟିକସ ଓ ଅଣଟିକସ ବାବଦରେ ୫୭,୫୦୦ କୋଟି ଟଙ୍କା ଆଦାୟ ପାଇଁ ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ ୩୭,୫୦୦ କୋଟି ଟଙ୍କା ଆଦାୟ ହୋଇ ସାରିଲାଣି । ତେଣୁ ନିଜସ୍ୱ ଟିକସ ଓ ଅଣଟିକସ ରାଜସ୍ୱ ଆଦାୟର ଲକ୍ଷ୍ୟ ଟପିଯିବା ନିଶ୍ଚିତ ବୋଲି ବରିଷ୍ଠ ଅଧିକାରୀମାନେ ମତପ୍ରକାଶ କରିଛନ୍ତି ।

ଏଭଳି ପରିସ୍ଥିତିରେ ଉନ୍ନୟନ ବିଭାଗଗୁଡିକୁ ଅଧିକ ଅର୍ଥ ବରାଦ କରିବା ସକାଶେ ଗୁରୁତ୍ୱ ଦିଆଯାଉଛି । ରାଜ୍ୟରେ ସାମାଜିକ କ୍ଷେତ୍ରରେ ବ୍ୟୟ ବଢିଚାଲିଛି । ଏବେ ଭିତ୍ତିଭୂମି କ୍ଷେତ୍ରରେ ବ୍ୟୟ କମିଯାଉଛି । ଯେହେତୁ ରାଜ୍ୟ ସରକାର ଭିତ୍ତିଭୂମିରେ ଅଧିକ ପୁଞ୍ଜି ଖଟାଇବାପାଇଁ ନିଷ୍ପତ୍ତି କରିଛନ୍ତି ସେଥିପାଇଁ ଏହି ବ୍ୟୟକୁ ତ୍ୱରାନ୍ୱିତ କରିବା ସକାଶେ ଗୁରୁତ୍ୱଆରୋପ କରାଯାଉଛି । ବର୍ଷାଦିନ ପରେ ଏହି ବ୍ୟୟ ତ୍ୱରାନ୍ୱିତ ହେବବୋଲି ଆଶା କରାଯାଉଛି ।

ତେବେ ଆଗାମୀ ଫେବୃୟାରୀ-ମାର୍ଚ୍ଚ ମାସରେ ପଞ୍ଚାୟତ ନିର୍ବାଚନ ଯୋଗୁଁ ଉନ୍ନୟନ ସଂକ୍ରାନ୍ତୀୟ ବ୍ୟୟ ହ୍ରାସ ପାଇବାର ଆଶଙ୍କା ଉପୁଜିଛି । ସେଥିପାଇଁ ନଭେମ୍ବର-ଡିସେମ୍ବର ମାସରେ ଭିତ୍ତିଭୂମି ଉନ୍ନୟନ ବ୍ୟୟକୁ କିଭଳି ତ୍ୱରାନ୍ୱିତ କରାଯାଇ ପାରିବ ସେଥିପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ ଉପରେ ଗୁରୁତ୍ୱ ଦିଆଯାଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here